ପ୍ରବାସୀ ଓଡ଼ିଆଙ୍କ ସହାୟତା ପାଇଁ ୧୦ ପ୍ରଶାସକଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକ ପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଶ୍ରମ ଓ ଗୃହ ବିଭାଗ ଅଧୀନରେ ଦୁଇଟି କଣ୍ଟ୍ରୋଲ୍ ରୁମ୍ ଓ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ଏଥିସହ ସହାୟତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ୧୦ ଜଣ ନୋଡାଲ୍ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।

ଡହ ଡହ ଖରା ଓ ବର୍ଷାରେ ଶହଶହ କିଲୋମିଟରର ଯାତ୍ରା କରୋନା ଭୂତାଣୁଠୁ ଏମାନଙ୍କୁ ବେଶୀ ଡରାଉଛି। ଅନେକ ଶ୍ରମିକ ଅସହାୟ ହୋଇ ଭିଡିଓ ଜରିଆରେ ସହାୟତା ଭିକ୍ଷା କରୁଛନ୍ତି। ଏମାନଙ୍କ ପାଇଁ ଶ୍ରମ ନିର୍ଦ୍ଦେଶାଳୟରେ ଓ ଗୃହ ବିଭାଗ ଅଧୀନରେ ଦୁଇଟି ଭିନ୍ନ ଭିନ୍ନ କଣ୍ଟ୍ରୋଲ ରୁମ୍‌ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।

ଶ୍ରମ ନିର୍ଦ୍ଦେଶାଳୟରେ ଥିବା ଶ୍ରମିକ ସହାୟତା କଣ୍ଟ୍ରୋଲ ରୁମରେ ଆଜି ସୁଦ୍ଧା ବାହାର ରାଜ୍ୟରେ ଫସିଥିବା ୩ ହଜାର ୬ଶହ ଶ୍ରମିକଙ୍କ ସହାୟତା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ବ୍ୟବସ୍ଥା କରାଯାଇଛି। ସେହିପରି ବାହାର ରାଜ୍ୟର ୧୫ ହଜାର ୬ଶହ ଶ୍ରମିକଙ୍କ ପାଇଁ ଓଡ଼ିଶାର ୧୦୪ଟି କ୍ୟାମ୍ପରେ ଖାଦ୍ୟ ଓ ଆଶ୍ରୟର ବ୍ୟବସ୍ଥା କରାଯାଇଛି।

ବାହାର ରାଜ୍ୟରେ ଫସିଥିବା ଓଡିଆଙ୍କ ପାଇଁ ବିଭାଗ ପକ୍ଷରୁ ଦୁଇଟି ହେଲ୍ପ ଲାଇନ ନମ୍ବର ଜାରି ହୋଇଛି 0674_2392115କୁ ଫୋନ କରି କିମ୍ବା 94389-15986କୁ ନାଁ, ଠିକଣା ଆଦି ହ୍ୱାଟ୍ସଆପ୍ କରି ସହାୟତା ନେଇପାରିବେ। ସେହିପରି ଓଡିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକଙ୍କ ପାଇଁ ମଧ୍ୟ ଏକ ହେଲପଲାଇନ ନମ୍ବର କାର୍ଯ୍ୟ କରୁଛି ସେହି ନମ୍ବରଟି ହେଉଛି 1800_345_6703।  ନୂଆଦିଲ୍ଲୀ ସହିତ ଅନ୍ୟ ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ସହାୟତା ପାଇଁ ନୋଡାଲ୍ ଅଫିସର ଭାବେ ଆଇପିଏସ୍ ଅମିତାଭ ଠାକୁର ଓ ୯ ଆଇଏଏସ୍ ନିଯୁକ୍ତ କରାଯାଇଛି।

 

You might also like