ରାଜ୍ୟରେ ୧୦ କରୋନା ଆକ୍ରାନ୍ତ ଆଖି ବୁଜିଲେ

ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତକାଲି ରାଜ୍ୟରେ  ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଏହାର ସଂଖ୍ୟା ବୃଦ୍ଧି ପାଇଛି।

କରୋନାକୁ ନେଇ ସବୁଠାରୁ ଚିନ୍ତା ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିଂହ୍ନଟ ହେଉଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଏହି ଜିଲ୍ଲାରେ ସର୍ବାଧିକ। ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତକାଲି  ଖୋର୍ଦ୍ଧା ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ୪ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି।

ସେହିପରି ସୁନ୍ଦରଗଡ଼ରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ  ରାୟଗଡ଼ା ଜିଲ୍ଲାରୁ ୨ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୭କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷେ ଦେଶରେ ଆହୁରି ପ୍ରାୟ ୨୦ ଦିନ କରୋନାର ପ୍ରକୋପ ଦେଖିବାକୁ ମିଳିପାରେ। ମେ ଦ୍ୱିତୀୟ ସପ୍ତାହ ବେଳକୁ  କରୋନା ପିକରେ ପହଞ୍ଚିପାରେ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ।

ସେ କହିଛନ୍ତି, ଆଇଆଇଟି କାନପୁରର ଗବେଷଣା ଅନୁସାରେ ଦେଶରେ ମେ’ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ କରୋନା । ସେ କିନ୍ତୁ ଆଶ୍ୱାସନା ଦେଇଛନ୍ତି, ରାଜ୍ୟରେ ଟେଷ୍ଟିଂ କମିନି କିମ୍ବା ଟେଷ୍ଟିଂ କିଟ୍‌ର କୌଣସି ଅଭାବ ନାହିଁ। ଏବେ ଲୋକେ ନିଜେ ନିଜେ ଆସି ଟେଷ୍ଟିଂ କରାଉଛନ୍ତି । କିଛି ଲୋକ ରେମଡେସିଭିରକୁ ଘରେ ଅଯଥାରେ ମହଜୁଦ କରି ରଖୁଥିବା ଅଭିଯୋଗ କରି ନିରଂଜନ ମିଶ୍ର କହିଛନ୍ତି, ଏହି ଔଷଧ କରୋନା ପାଇଁ ଅବ୍ୟର୍ଥ ନୁହେଁ । କିଛି ଲୋକେ ଏହାକୁ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି।

ସରକାରୀ ସ୍ତରରେ ଦରକାର ମୁତାବକ ମେଡିସିନ ଅଛି । ବେଡର ମଧ୍ୟ ଅଭାବ ରହିବ ନାହିଁ । କାରଣ ୪ଟି ଲେଖାଏଁ ଜିଲ୍ଲାକୁ ନେଇ କ୍ଲଷ୍ଟର କରାଯାଉଛି । ସେହି ଜିଲ୍ଲା ଭିତରେ ରୋଗୀଙ୍କୁ ବେଡ୍ ଯୋଗାଇ ଦିଆଯିବ । ରୋଗୀ ଗୁରୁତର ନ ଥିଲେ ହସ୍ପିଟାଲ ବେଡ୍‌ରେ ନ ରହି ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସୂଚନାଥାଉ କି, ଦେଶରେ ଆଜି ୨୭୭୧ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୮୦ ରେକର୍ଡ କରାଯାଇଛି। ଏଥିସହିତ ୨୦, ୨୦୧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଠାରେ ପଜିଟିଭିଟି ରେଟ ୩୫% ରହିଛି। ସୁସ୍ଥହାର ୮୯.୭୯ ଥିବାବେଳେ ମୃତ୍ୟୁ ହାର ୧.୪୦ ରହିଛି।

You might also like