ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୨, ମୃତ୍ୟୁ ତାଲିକାରେ ବି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ଆଜି ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ହେଲେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। ଗତକାଲି ରାଜ୍ୟରୁ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଁ ୧୨ରେ ପହଞ୍ଚିଛି।

 ଆଜି ଆଖି ବୁଜିଥିବା ୧୨ ଜଣଙ୍କ ମଧ୍ୟରୁ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଅଛନ୍ତି। ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଆଗରେ ଥିବାବେଳେ ମୃତ୍ୟୁ ତାଲିକାରେ ମଧ୍ୟ ଖୋର୍ଦ୍ଧା ଆଗରେ ରହିଛି। ଗତକାଲି ପୁରୀ ଓ ରାୟଗଡ଼ାରେ ସର୍ବାଧିକ ମୃତ୍ୟୁ ସଂଖ୍ୟାଥିବାବେଳେ ଆଜି ଏହି ତାଲିକାରେ ଖୋର୍ଦ୍ଧା ଆଗରେ ଥିଲା। ଗତକାଲି ପୁରୀ ଓ ରାୟଗଡ଼ାରେ ୩ ଜଣ ଲେଖାଏ ଆଖି ବୁଜିଥିଲେ। 

ସେହିପରି ପୁରୀ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ, ଅନୁଗୁଳ, କଟକ, କେନ୍ଦୁଝର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି। 

ବିଶେଷକରି ଖୋର୍ଦ୍ଧା ଜିଲ୍ଲା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଲୋକେ ସତର୍କ ହେଉ ନାହାନ୍ତି। ବିନା ମାସ୍କରେ ବୁଲୁଥିବା ଏବଂ ଭିଡ କରୁଥିବା ଦେଖିବାକୁ ମିଳିଛି। ସେଥିପାଇଁ ବିଏମ୍‌ସି ପକ୍ଷରୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଗତକାଲି  ମାର୍କେଟ ବିଲ୍ଡିଂକୁ ସିଲ କରାଯାଇଛି । ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧିନଥିବା, ସାମାଜିକ ଦୂରତା ରହୁନଥିବା, ଗହଳି ଲାଗୁଥିବା ଆଦି କାରଣ ପାଇଁ ବିଏମ୍‌ସିର ଡେପୁଟି କମିଶନର ସିଲ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବାପୁଜୀ ନଗରର ଫାଷ୍ଟ ଫୁଡ ସେଣ୍ଟର, ରେଣ୍ଟାଲର ଆମିଷ ବଜାର, ରୁଚିକା ମାର୍କେଟ ଓ ଡମଣାର ଖାଦ୍ୟ ଷ୍ଟଲ, ଭିଭିଏସ୍ ନଗର ମାର୍କେଟ ମଧ୍ୟ ୪୮ ଘଣ୍ଟା ବନ୍ଦ ରଖିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୪୮ ଘଣ୍ଟିଆ କଟକଣା ପରେ ପରେ ଏହି ଅଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍ ମଧ୍ୟ ହେବ। ତେଣୁ ଦୋକାନ ବଜାର ସୋମବାର ହିଁ ଖୋଲିବ । 

ସୂଚନାଥାଉ କି, ଦେଶରେ ଆଜି ୩୬୪୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସେହପରି ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୮୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେହିପରି ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୨୫, ୭୫୨ ନୂଆ ମାମଲା ସାମ୍ନାକୁ ଆସିଛି। ଏହି ସମୟ ମଧ୍ୟରେ ୩୬୮ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୯୯, ୭୫୨ ଥିବାବେଳେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨୦, ୪୫୮। ଏବେ ଏଠାରେ ୫୩, ୮୧୬ ଜଣ ଚିକିତ୍ସିତ ହେଉଛନ୍ତି।

You might also like