ମେଲୋଡି ନାଇଟ୍‌ସ୍‌ରେ ମର୍ଡର

କଟକ: ମେଲୋଡି ନାଇଟ୍‌ସ୍‌ରେ ମର୍ଡର। କଟକ ଜିଲ୍ଲା ସାଲେପୁର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ମେଲୋଡି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ପାଟସାଇଲ ଗାଁର ସେକ୍‌ ଇମ୍ରାନ ଓ ବନମାଳିପୁରର ନିତ୍ୟାନନ୍ଦ ମଲ୍ଲିକ। ଆହତ ଦୁଇଜଣ ହେଲେ ଭୋଳ ଗାଁର ଉତ୍ତମ ଦାସ ଓ ରଘୁନାଥ ମଲ୍ଲିକ। ସେମାନେ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ, କଟିକଟା ବଜାରରେ କାର୍ତ୍ତିକେଶ୍ୱର ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଗତକାଲି ମେଲୋଡି କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ଇମ୍ରାନ ଜଣେ ଯୁବକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଘଟଣା କ’ଣ ଜାଣିବା ପାଇଁ କିଛି ଲୋକ ସେମାନଙ୍କ ପାଖକୁ ଆସୁଥିବା ସମୟରେ ଯୁବକ ଜଣକ ଇମ୍ରାନଙ୍କ ଉପରକୁ ଗୁଳି ଚଳାଇବା ସହ ଲୋକଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ଇମ୍ରାନଙ୍କ ବେକରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଏହି ଘଟଣାରେ ଆଉ ୩ଜଣ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆହତ ୩ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା।

ସେପଟେ ଗୁଳିକାଣ୍ଡ ପରେ ଭୟରେ ଲୋକମାନେ ଇତସ୍ତତଃ ହୋଇଯିବାରୁ ଗୁଳିମାଡ଼ କରିଥିବା ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ।

ଅନ୍ୟପଟେ, ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like