‌ଶନିବାର, ରବିବାର ସଟ୍‌ଡାଉନ୍‌: ୧ ଘଣ୍ଟା ପାଇଁ କୋହଳ ହେବ କଟକଣା

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଆରମ୍ଭ ହେବ। ଶନିବାର ଓ ରବିବାର ଏହି ସପ୍ତାହାନ୍ତ ସଟ୍‌ଡାଉନ୍ ବେଳେ ସକାଳେ ଘଣ୍ଟାଏ ପାଇଁ କଟକଣା କୋହଳ କରାଯିବ। ମର୍ଣ୍ଣିଂ ଓ୍ବାକ୍ ଓ ସାଇକ୍ଲିଂ ପାଇଁ ସକାଳ ୫ଟାରୁ ୬ଟା ଯାଏ କଟକଣା କୋହଳ ହେବ। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର(SRC) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।

ସପ୍ତାହାନ୍ତ ସଟ୍‌ଡାଉନ୍ ନେଇ SRC କହିଛନ୍ତି, ଶନିବାର ସକାଳୁ ହିଁ ସପ୍ତାହାନ୍ତ ସଟ୍‌ଡାଉନ୍ ଆରମ୍ଭ ହେବ। ଆଜି ରାତିର ନାଇଟ୍‌ କର୍ଫ୍ୟୁ କଟକଣା କାଲି ସକାଳୁ ସରିଲେ ସଟ୍‌ଡାଉନ୍ କଟକଣା‌ ଆରମ୍ଭ ହେବ। ତେବେ ସକାଳେ ଘଣ୍ଟାଏ ପାଇଁ ଏହି ସଟ୍‌ଡାଉନ୍‌ କଟକଣା କୋହଳ କରାଯିବ। ମର୍ଣ୍ଣିଂ ଓ୍ବାକ୍ ଓ ସାଇକ୍ଲିଂ ପାଇଁ ସକାଳ ୫ଟାରୁ ୬ଟା ଯାଏ କଟକଣା କୋହଳ ହେବ। ସୋମବାର ସକାଳ ପର୍ଯ୍ୟନ୍ତ ସଟ୍‌ଡାଉନ୍ କଟକଣା ଜାରି ରହିବ।

SRC ଆହୁରି କହିଛନ୍ତି, ପଞ୍ଚିମବଙ୍ଗରୁ ଫେରୁଥିବା ବା ସେଠାକୁ ଯାଇ ଆସୁଥିବା ଲୋକ କ୍ୱାରେଣ୍ଟିନରେ ରହିବେ। ନେଗେଟିଭ ରିପୋର୍ଟ ବା ୨ ଡୋଜ୍ ଟିକା ଥିଲେ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବେ। ରିପୋର୍ଟ ବା ଟିକା ନେଇନଥିଲେ ଇନଷ୍ଟିଚ୍ୟୁସ୍‌ନାଲ୍‌ କ୍ୱାରେଣ୍ଟିନରେ ରହିବେ। ଯେଉଁମାନେ ହୋମ୍ କ୍ୱାରେଣ୍ଟିନ୍‌ ନିୟମ ଭାଙ୍ଗିବେ ଇନଷ୍ଟିଚ୍ୟୁସ୍‌ନାଲ୍ କ୍ୱାରେଣ୍ଟିନ୍‌ରେ ରହିବେ।

ରାଜ୍ୟର ସବୁ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ନେଇ କିଛିଦିନ ତଳେ ରାଜ୍ୟ ସରକାର ଘୋଷଣା କରିଥିଲେ। ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି।

ଆସନ୍ତାକାଲି ସକାଳୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଦୁଇ ଦିନିଆ ସଟ୍‌ଡାଉନ୍‌ ଲାଗୁ ହେବାକୁ ଯାଉଛି। ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଶନିବାର ଓ ରବିବାର ଏହି ସଟ୍‌ଡାଉନ୍ ହେବ। ସେପଟେ ସପ୍ତାହାନ୍ତ ସଟ୍‌ଡାଉନ୍‌ ନେଇ କମିଶନରେଟ ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଅର୍ବାନ ପୋଲିସ୍‌ ସହ ଅଧିକ ୧୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହେବେ। ସିଫ୍ଟରେ ହୋମ୍‌ଗାର୍ଡ, କନେଷ୍ଟବଲଙ୍କ ସହ ପୋଲିସ୍‌ ଅଫିସର ମୁତୟନ ହେବେ। ମୋଟ୍‌ ୨୫ ଟି ଜାଗାରେ ଚେକ୍‌ ପଏଣ୍ଟ କରାଯାଇ ଲୋକମାନଙ୍କ ଗତିବିଧି ଯାଞ୍ଚ କରାଯିବ। ଔଷଧ ଦୋକାନ, ହୋମ୍‌ ଡେଲିଭରି ସହ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାଇପାରିବେ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।

ସପ୍ତାହାନ୍ତ ସଟ୍‌ଡାଉନ୍‌ ଯୋଗୁ ଶନିବାର ଓ ରବିବାର ଦୁଇଦିନ ପୁରୀ ଶ୍ରୀମନ୍ଦିର ବନ୍ଦ ରହିବ। ଜରୁରୀ କାମ ନଥିଲେ କୌଣସି ଲୋକ ଘରୁ ନ ବାହାରିବାକୁ ପୁରୀ ସହରବାସୀଙ୍କୁ ନିବେଦନ କରିଛନ୍ତି ଏସ୍‌ପି କେ.ବି ସିଂହ। ସଟ୍‌ଡାଉନ୍ ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ବାକି ସବୁ ବନ୍ଦ ରହିବ।

You might also like