ବେଲଗାମ୍‌ କରୋନା: ଦିନକରେ ଓଡ଼ିଶାରେ ବାହାରିଲେ ୧,୭୪୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୧,୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୭୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୧,୦୧୫ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୭୨୬ ରହିଛି।

ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୪ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୩୦୨ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍-୯,୨୫୯ ଥିବାବେଳେ ୩ ଲକ୍ଷ ୪୦ ହଜାର ୬୨ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।

ଗତକାଲି ରାଜ୍ୟରେ ୧,୩୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୮୦୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୫୭୧ ଥିଲା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନରେ ଜୋରଦାର ଚେକିଂ ଆରମ୍ଭ ହୋଇଛି। ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଉଛି। ଏହାସହ ଆଜିଠାରୁ ଯାତ୍ରୀମାନଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବଦଳା ଯାଇଛି। ଯେଉଁ ଯାତ୍ରୀମାନେ ଷ୍ଟେସନ ଭିତରକୁ ପ୍ରବେଶ କରିବେ ସେମାନେ ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡ ପଟେ ଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁମାନେ ଷ୍ଟେସନ ଭିତରୁ ବାହାରିବେ ସେମାନେ ଷ୍ଟେସନ ସମ୍ମୁଖ କିମ୍ବା ଡାହାଣ ପଟେ ବାହାରକୁ ବାହାରିବା ପାଇଁ କୁହାଯାଇଛି।

ସେପଟେ ଗଞ୍ଜାମ ଜିଲ୍ଲାରେ ସରକାରୀ ଅଫିସ ପାଇଁ କୋଭିଡ୍ କଟକଣା ଜାରି ହୋଇଛି। ଅତି ଜରୁରୀ ନଥିଲେ କୌଣସି ସରକାରୀ କାର୍ଯ୍ୟାଳୟକୁ ନଯିବାକୁ ଲୋକଙ୍କୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ। ଆବଶ୍ୟକ ହେଲେ ସରକାରୀ କାର୍ଯ୍ୟ ପାଇଁ ଯୋଗାଯୋଗ କରିବାକୁ ନମ୍ବର ଜାରି କରାଯାଇଛି। ସରକାରୀ କାର୍ଯ୍ୟାଳୟକୁ ଗଲେ କୋଭିଡ ନିୟମକୁ କଡ଼ାକଡ଼ ପାଳନ କରିବାକୁ କୁହାଯାଇଛି। କରୋନା ସଂକ୍ରମଣ ଏଡାଇବାକୁ ହେଲେ ସାମାଜିକ ଦୂରତା ପ୍ରତି ସମସ୍ତଙ୍କୁ ସତର୍କ ରହିବାକୁ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି।

You might also like