ଯୁବତୀଙ୍କୁ ହତ୍ୟା କରି ପୋଡ଼ିବା ପରେ ପୋତି ଦେଲେ ପରିବାର ଲୋକେ !
ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁରର ତଳଜଙ୍ଘ ନଈକୂଳ ସାହିରେ ଅନର କିଲିଂ ଅଭିଯୋଗ ହୋଇଛି। ଗାଁର ଭାରତୀ ଜେନା ନାମକ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ପରିବାର ଲୋକେ ହତ୍ୟା କରି ପୋଡ଼ିବା ପରେ ତରବରିଆ ଭାବେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଗତ ଶନିବାର ଦିନ ଏହି ଘଟଣା ଘଟିଥିଲା।
ଗାଁ ଲୋକେ ଓ ଶବ ପୋଡ଼ା ଯାଇଥିବା ପ୍ଲଟ୍ ମାଲିକ ଥାନାରେ ଅଭିଯୋଗ ପରେ ଏସ୍ଡିପିଓଙ୍କ ତତ୍ତ୍ୱାବଧାନରେ ପୋଲିସ ପକ୍ଷରୁ ଛାନ୍ଭିନ୍ ଆରମ୍ଭ ହୋଇଥିଲା। ଏହାସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାସ୍ଥଳରୁ ମାଟି ଖୋଳି ହାଡ଼ ଉଦ୍ଧାର କରାଯାଇଛି। ଆବଶ୍ୟକ ପଡ଼ିଲେ ଏହାର ଡିଏନ୍ଏ ଟେଷ୍ଟ କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ, ଘଟଣାକୁ ଚପାଇ ଦେଇଥିବା ଓ ପୋଲିସକୁ ସୂଚନା ଦେଇ ନଥିବା ଅଭିଯୋଗରେ ଏହି ଘଟଣାରେ ୫ରୁ ୬ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି। ସୂଚନା ଅନୁସାରେ ଭାରତୀ, ଗାଁର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ପରେ ଦୁହେଁ ଫେରାର ହୋଇ ଯାଇଥିଲେ। ଥାନାରେ ଏତଲା ପରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ଏହି ଘଟଣାକୁ ନେଇ ପରିବାର ଲୋକେ ଭାରତୀଙ୍କୁ ମାର୍ପିଟ୍ କରିବା ସହ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି।