ବାହାର ରାଜ୍ୟ ଓ ହଟ୍‌ସ୍ପଟ୍‌ ଅଞ୍ଚଳରୁ ଓଡ଼ିଶାର ଏହି ଜିଲ୍ଲାକୁ ଆସିଲେ RTPCR ଟେଷ୍ଟ୍‌ ରିପୋର୍ଟ ବାଧ୍ୟତାମୂଳକ

ବ୍ରହ୍ମପୁର: ପୁଣି କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏହାକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ମାସ୍କ ବ୍ୟବହାରକୁ କଡ଼ାକଡ଼ି କରାଯାଇଛି। ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯିବ।

ବାହାର ରାଜ୍ୟରୁ ଗଞ୍ଜାମ ଆସିଲେ RTPCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ। ନହେଲେ ଏଠାକୁ ଆସିଲା ପରେ ସେମାନେ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନରେ ରହିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଜାନିଯାତ୍ରା ପାଇଁ ରାଜ୍ୟ ବାହାରରୁ ଲୋକେ ଗଞ୍ଜାମ ଆସିପାରିବେନି। କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଆସନ୍ତୁ।

ଅନ୍ୟପକ୍ଷରେ, ଗଞ୍ଜାମରେ ଏଥର ହୋଲି ଉପରେ କଟକଣା ଲଗା ଯାଇଛି। ମନ୍ଦିରରେ କେବଳ ଠାକୁରଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇପାରିବ। ସର୍ବ ସାଧାରଣ ସ୍ଥାନରେ ହୋଲି ଖେଳା ଯାଇପାରିବନି।  ବୁଢୀ ଠାକୁରାଣୀ ଯାତ୍ରା ମଧ୍ୟ ରୀତିନୀତି ଅନୁଯାୟୀ ହେବ। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ଏହାର ତଦାରଖ କରିବେ ବିଡିଓ, ତହସିଲଦାର ଓ NAC କାର୍ଯ୍ୟ ନିର୍ବାହୀ ଅଧିକାରୀ। ସତର୍କ ନ ରହିଲେ ଓ କୋଭିଡ୍ କଟକଣା ନ ମାନିଲେ ପୁଣି ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଭଳି ସ୍ଥିତି ଉପୁଜିବ ବୋଲି ଜିଲ୍ଲାପାଳ କହିଛନ୍ତି।

You might also like