ବିଜୁଳି ଥିଲେ ଚଳଚଞ୍ଚଳ,  ବିଜୁଳି ଗଲେ ଖାଁ ଖାଁ 

କଳାହାଣ୍ଡି: ସରକାର ପାଓ୍ୱାର କଟ୍ ବନ୍ଦ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହି ଘୋଷଣା କେବଳ କାଗଜ କଲମରେ ସୀମିତ ଥିବା  ଭଳି ଲାଗୁଛି । ଗତ ୬/୭ ମାସ ହେଲା କଳାହାଣ୍ଡିରେ ପାଓ୍ୱାରକଟ୍ ଚାଲିଥିବା ବେଳେ ଏବେ ତାତି ବଢିବା ସାଙ୍ଗକୁ ମୁଣ୍ଡରେ ବୋର୍ଡ ପରୀକ୍ଷାର ଚିନ୍ତ। ଏଥିରେ ଛାତ୍ରଛାତ୍ରୀ ସାଙ୍ଗକୁ ସାଧାରଣ ଲୋକ ବି ପ୍ରଭାବିତ ହେଉଛନ୍ତି।

ବିଜୁଳି ଥିଲେ ଚଳଚଞ୍ଚଳ ଏବଂ ବିଜୁଳି ଗଲେ ଖାଁ ଖାଁ । ଏ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରର ଦୃଶ୍ୟ। ବର୍ଷତମାମ ଏଠାରେ ପାଓ୍ୱାରକଟ୍ ସମସ୍ୟା ଚାଲୁଥିବାବେଳେ ସବୁଦିନ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ୨ ଘଣ୍ଟା ବିଦ୍ୟୁତ୍‌ କାଟ୍ ହେଉଥିବା ଅଭିଯୋଗ ହୋଇଛି।

କେବଳ ଧର୍ମଗଡ ନୁହେଁ ଜୟପାଟଣା, କଲମପୁର,କୋକସରା,ଜୁନାଗଡ,ଗୋଲାମୁଣ୍ଡା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । ଛାତ୍ରଛାତ୍ରୀଙ୍କ ମାଟ୍ରିକ୍ ପରୀକ୍ଷା ଚାଲିଥିବାବେଳେ ଆଗକୁ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ପରୀକ୍ଷା ବି ରହିଛି । ତେଣୁ ଏଇ ସମୟରେ ଏଭଳି ଅଘୋଷିତ ବିଦ୍ୟୁତ୍‌ କାଟ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ।

ବିଦ୍ୟୁତ୍‌ କାଟ୍ ସମସ୍ୟା ଯୋଗୁ ବଜାରଘାଟ ବି ଖାଁ ଖାଁ ଲାଗୁଛି। ଧୀରେ ଧୀରେ ତାତି ବଢୁଥିବାରୁ ଏଭଳି ବିଦ୍ୟୁତ୍‌ କାଟ୍‌ ଯୋଗୁ ପ୍ରଭାବିତ ହେଉଛି ଜୀବନଯାତ୍ରା। ଅନ୍ୟପଟେ ୱେସକୋର ନିର୍ବାହୀ ଯନ୍ତ୍ରୀଙ୍କ କହିବା କଥା, ଅଧିକ ଲୋଡ୍ ପଡୁଥିବାରୁ ଆବଶ୍ୟକତା ଦେଖି ବିଦ୍ୟୁତ୍‌ କାଟ୍ କରାଯାଉଛି ।

You might also like