Sports

ଜବାମଣୀ ଟୁଡୁ

ସଫଳତା / ଉପଲବ୍ଧି

ଜବାମଣୀ ଟୁଡୁ । ଉଦୀୟମାନ ମହିଳା ଫୁଟବଲ୍ ଖେଳାଳି । ଭାରତୀୟ ସିନିୟର ମହିଳା ଫୁଟବଲ ଦଳର ଜଣେ ନିୟମିତ ସଦସ୍ୟ । ଚଳିତ ବର୍ଷ ନେପାଳରେ ଆୟୋଜିତ ସାଉଥ ଏସିଆନ୍ ଫୁଟବଲ ଫେଡେରେସନ ଚାମ୍ପିୟାନସିପରେ ବିଜୟୀ ଭାରତୀୟ ମହିଳା ଦଳର ସଦସ୍ୟା ଥିଲେ ଜବାମଣୀ । ସେହିପରି ସ୍ପେନ୍ ଓ ତୁର୍କିରେ ଆୟୋଜିତ ତୁର୍କିସ୍ ମହିଳା କପ୍ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଟିମର ସଦସ୍ୟ ଥିଲେ ମୟୂରଭଂଜର ଏହି ଓଡ଼ିଆ ଝିଅ । ଜୁନିୟର ଟିମରେ ଭଲ ପ୍ରଦର୍ଶନ କରିଥିବା ଜବାମଣୀ ଏବେ ଭାରତୀୟ ସିନିୟର ମହିଳା ଫୁଟବଲ୍ ଦଳର ଜଣେ ଆଗଧାଡିର ଖେଳାଳି । ଡିଫେଣ୍ଡର ଓ ଫରୱାର୍ଡ ପୋଜିସନରେ ଖେଳୁଥିବା ଜବାମଣୀ ପ୍ରତିପକ୍ଷ ଖେଳାଳିଙ୍କୁ ଚକମା ଦେବାରେ ମାହିର । ଏ ପର୍ଯ୍ୟନ୍ତ ଜବାମଣୀ ଟୁଡୁ 30ରୁ ଅଧିକ ଅନ୍ତର୍ଜାତୀୟ କ୍ୟାପର ଅଧିକାରିଣୀ ହୋଇସାରିଲେଣି । ଚମତ୍କାର ପ୍ରଦର୍ଶନ ପାଇଁ ସେ ଫୁଟବଲ୍ ପ୍ରେମୀଙ୍କ ପସନ୍ଦର ଖେଳାଳି ପାଲଟିପାରିଛନ୍ତି । ଭାରତୀୟ ମହିଳା ଫୁଟବଲ୍ ଦଳରେ ସ୍ଥାନ ପକ୍କା କରି ସେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ପ୍ରମୋଦ ଭଗତ

ସଫଳତା / ଉପଲବ୍ଧି

ପ୍ରମୋଦ ଭଗତ। ଭାରତୀୟ ପାରା ବ୍ୟାଡମିଣ୍ଟନର ସେନ୍ସେସନ୍ । ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ ତିନି ତିନିଥର ଓ୍ୱାଲର୍ଡ ଚାମ୍ପିୟାନ୍ ହୋଇଛନ୍ତି । ପିଲାଟିବେଳୁ ପୋଲିଓ ଆକ୍ରାନ୍ତ ହୋଇଥିବା ପ୍ରମୋଦ ନିଜର ଅଧ୍ୟବସାୟ ବଳରେ ଏବେ ଭାରତର ଗର୍ବ ଓ ଗୌରବ ପାଲଟିଛନ୍ତି । ସୁଇଜରଲ୍ୟାଣ୍ଡର ବାସିଲ୍ ଠାରେ ଆୟୋଜିତ ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଉଭୟ ଡବଲସ୍ ଓ ସିଙ୍ଗିଲ୍ସରେ ସ୍ୱର୍ଣ୍ଣପଦକ ଜିତିବାର ଗୌରବ ହାସଲ କରିଛନ୍ତି ପ୍ରମୋଦ। ପାରା ବ୍ୟାଡମିଣ୍ଟନରେ ଚମତ୍କାର ଖେଳ ପ୍ରଦର୍ଶନ କରି ସମସ୍ତଙ୍କୁ ତାଜୁବ କରିବାର ଦକ୍ଷତା ରଖନ୍ତି ଏହି ଓଡ଼ିଆ ପୁଅ । ବରଗଡ ଅତାବିରାରୁ ଅନ୍ତର୍ଜାତୀୟ ମ୍ୟାଚ୍, ଏକ ଲମ୍ବା ଯାତ୍ରା । ବ୍ୟାଡମିଣ୍ଟନ ଖେଳ ପ୍ରତି ଆଗ୍ରହ, ଉଦ୍ୟମ ଓ ନିଷ୍ଠା 31 ବର୍ଷୀୟ ପ୍ରମୋଦଙ୍କୁ ଆଣିଦେଇଛି ଅନେକ ସଫଳତା । 6 ଥର ବିଶ୍ୱ ଚାମ୍ପିୟାନସିପରେ ଅଂଶ ଗ୍ରହଣ କରିଥିବା ପ୍ରମୋଦ ତିନି ଥର ବିଶ୍ୱଚାମ୍ପିୟାନ୍ ହେବାର ଗୌରବ ହାସଲ କରିପାରିଛନ୍ତି । ଏ ପର୍ଯ୍ୟନ୍ତ ପ୍ରମୋଦ ଜାତୀୟସ୍ତରରେ 30ଟି ସ୍ୱର୍ଣ୍ଣ, 12ଟି ରୌପ୍ୟ, ଗୋଟିଏ କାଂସ୍ୟ ସହ ଅନ୍ତର୍ଜାତୀୟ ସ୍ତରରେ 21ଟି ସ୍ୱର୍ଣ୍ଣ, 7ଟି ରୌପ୍ୟ ଓ 12ଟି କାଂସ୍ୟ ପଦକ ଜିତିସାରିଲେଣି । କେବଳ ଚଳିତ ବର୍ଷ ସେ 10ଟି ସ୍ୱର୍ଣ୍ଣ ସହ 2ଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିସାରିଲେଣି । ଦିବ୍ୟାଙ୍ଗ ହେଲେ ବି ନିଜର ଦୁର୍ବଳତାକୁ ଭୁଲି ବ୍ୟାଡମିଣ୍ଟନ କୋର୍ଟରେ ପ୍ରତିପକ୍ଷଙ୍କୁ ପରାସ୍ତ କରିବାର କଳା ବେଶ୍ ଭଲଭାବେ ଜଣା ପ୍ରମୋଦ ଭଗତଙ୍କୁ।
ପ୍ୟାରୀ ଖାଖା

ସଫଳତା / ଉପଲବ୍ଧି

ପ୍ୟାରୀ ଖାଖା । ସୁନ୍ଦରଗଡ କୁଆଁରମୁଣ୍ଡାର 22 ବର୍ଷୀୟା ପ୍ୟାରୀ ଖାଖା ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜ ପ୍ରତିଭା ପାଇଁ ବେଶ ପ୍ରଶଂସିତ । ଭାରତୀୟ ମହିଳା ଫୁଟବଲ୍ ଦଳର ସଦସ୍ୟା ପ୍ୟାରୀ ଟିମ୍ ପାଇଁ ସବୁବେଳେ ଲକି ସାବ୍ୟସ୍ତ ହୋଇଛନ୍ତି । ଚଳିତ ବର୍ଷ ହଂକଂ ବିପକ୍ଷରେ ଭାରତୀୟ ମହିଳା ଫୁଟବଲ୍ ଟିମ୍ 1-0 ଗୋଲରେ ବିଜୟୀ ହୋଇଥିଲା, ସୁଖର ବିଷୟ ସେହି ଏକମାତ୍ର ଗୋଲ ଦେଇଥିଲେ ଓଡ଼ିଆ ଝିଅ ପ୍ୟାରୀ ଖାଖା । ପଡିଆକୁ ଓହ୍ଲାଇଲେ ପ୍ରତିପକ୍ଷଙ୍କ ଛାତିରେ ଛନକା ସୃଷ୍ଟି କରୁଥିବା ଖେଳାଳି ହେଉଛନ୍ତି ପ୍ୟାରୀ । କମ୍ ବୟସରୁ ସେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । 19 ବର୍ଷରୁ କମ୍ ଭାରତୀୟ ମହିଳା ଫୁଟବଲ ଟିମରେ ଖେଳିବା ପରେ 2015ରେ ସେ ସିନିୟର ଦଳରେ ସାମିଲ୍ ହୋଇଥିଲେ । 2016ରେ ସିଲଂରେ ଆୟୋଜିତ ସାଉଥ୍ ଏସିଆନ୍ ଗେମ୍ସରେ ସ୍ଵର୍ଣ୍ଣପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ ସୁନ୍ଦରଗଡର ଏଇ ଝିଅ । ଫରଓ୍ୱାଡର ଭାବେ ଫିଲ୍ଡରେ ଚମତ୍କାର ଖେଳ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଗୁଡ୍ ବୁକରେ ନାଁ ପକ୍କା କରିପାରିଛନ୍ତି ପ୍ୟାରୀ ।
ସାଇନା ସାଲୋନିକା

ସଫଳତା / ଉପଲବ୍ଧି

ଗୋଟି ଚାଳନାରେ ବେଶ୍ ମାହିର ସାଇନା ସାଲୋନିକା । 10 ବର୍ଷରୁ କମ୍ ବିଭାଗରେ ୱାଲର୍ଡ ଚାମ୍ପିୟାନ ହୋଇଥିବା ସାଇନା ଏବେ ବି ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଓଡ଼ିଆ ଝିଅ ସାଇନା ସାଲୋନିକା ଜାତୀୟ, ଏସିୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପଦକ ହାସଲ କରିସାରିଛନ୍ତି । ଚଳିତ ବର୍ଷ କେରଳରେ ଆୟୋଜିତ 17 ବର୍ଷରୁ କମ୍ 30ତମ ଜାତୀୟ ଚେସ୍ ଚାମ୍ପିୟନସିପରେ ରୌପ୍ୟ ପଦକ ହାସଲ କରିଛନ୍ତି ସାଇନା। 2018ରେ ଥାଇଲାଣ୍ଡରେ ଆୟୋଜିତ 16 ବର୍ଷରୁ କମ୍ ଏସିଆନ୍ ୟୁଥ୍ ଚେସ୍ ଚାଂପିୟାନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏହି ଚେସ୍ ଆଇକନ୍ । ସେହିପରି ସିଙ୍ଗାପୁରରେ 16ତମ ଏସିଆନ୍ ଚାଂପିୟାନସିପରେ ଦଳଗତ ଭାବେ 2ଟି ଓ ବ୍ୟକ୍ତିଗତ ଭାବେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗର୍ବ ପାଲଟିଥିଲେ ଏହି ଓଡ଼ିଆ ଝିଅ । ଅନେକ ରାଜ୍ୟସ୍ତରୀୟ, ଜାତୀୟ ଓ ଅନ୍ତର୍ଜତୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଛନ୍ତି ଚେସ୍ ତାରକା ସାଇନା ସାଲୋନିକା । 2014ରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ପୁରସ୍କୃତ ମଧ୍ୟ କରିଛନ୍ତି । ମଡେଲିଂ ଓ ଆଙ୍କରିଂରେ ରୁଚି ରଖୁଥିବା ସାଇନା ପିଲାଟି ବେଳୁ ଚେସ ବୋର୍ଡକୁ ହିଁ ନିଜର ସାଥି କରିନେଇଛନ୍ତି । ତାଙ୍କର ଏହି ସଫଳତା ଚେସ୍ ପ୍ରତି ଆଗ୍ରହ ରଖୁଥିବା ନୂଆ ପିଢିକୁ ଉତ୍ସାହିତ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

VOTING CLOSE

Social Service

ବିଂ ହ୍ୟୁମାନ୍ ଫାଉଣ୍ଡେସନ୍ (ସମାଜସେବା ସଂଗଠନ)

ସଫଳତା / ଉପଲବ୍ଧି

ସମାଜସେବାର ଅନ୍ୟ ନାଁ ବିଂ ହ୍ୟୁମାନ୍ ଫାଉଣ୍ଡେସନ୍ । ପ୍ରାୟ 4ବର୍ଷ ଧରି ବଲାଙ୍ଗିର ସହରରେ ଅବିରତ ଭାବେ ଦୁଃଖୀ, ଅସହାୟ ଏବଂ ଗରିବ ଲୋକଙ୍କୁ ସେବା ପ୍ରଦାନ କରିଆସୁଛି ଏହି ସଂଗଠନ । ବଲାଙ୍ଗିର ସହର ଏବଂ ଆଖପାଖ ଅଂଚଳରେ ଅସହାୟ, ପରିତ୍ୟକ୍ତ ଏବଂ ଅଚିହ୍ନା ଲୋକଙ୍କର ଶବକୁ ସାମାଜିକ ରୀତିନୀତିରେ ସତ୍କାର କାର୍ଯ୍ୟ କରିଥାଏ ବିଂ ହ୍ୟୁମାନ୍ ଫାଉଣ୍ଡେସନ୍ । ଗତ 3ବର୍ଷ ମଧ୍ୟରେ ଏହି ସଂଗଠନ 50ରୁ ଅଧିକ ଶବସତ୍କାର କରିଛି । 'ହେଲ୍ପ ଅନ୍ କଲ' ଜରିଆରେ ଦୁର୍ଘଟଣାଗ୍ରସ୍ତ ଅସହାୟ ଲୋକଙ୍କ ପାଖରେ ପହଞ୍ଚିଥାନ୍ତି ବିଂ ହ୍ୟୁମାନ୍ ଫାଉଣ୍ଡେସନର କର୍ମକର୍ତ୍ତା । ଏ ପର୍ଯ୍ୟନ୍ତ ପ୍ରାୟ 5 ହଜାରରୁ ଅଧିକ ଗୁରୁତର ରୋଗୀଙ୍କୁ ଆବଶ୍ୟକୀୟ ରକ୍ତ ଯୋଗାଇଛି ବିଂ ହ୍ୟୁମାନ୍ ଫାଉଣ୍ଡେସନ୍ । 'ଆମେ ବି ମଣିଷ ଯୋଜନା' କାର୍ଯ୍ୟକ୍ରମ ଜରିଆରେ ମାନସିକ ରୋଗଗ୍ରସ୍ତଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ହେଉଛି ଏହି ସଂଗଠନର ଆଉ ଏକ ସଫଳ ପ୍ରୟାସ । ଏହାସହ ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ବିରୁଦ୍ଧରେ ଲୋକଙ୍କୁ ସଚେତନ କରାଇଥାନ୍ତି ସଂଗଠନର କର୍ମକର୍ତ୍ତା । ପେଟପାଟଣା ପାଇଁ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫସି ରହିଥିବା ଶ୍ରମିକମାନଙ୍କୁ ପ୍ରଶାସନିକ ସହାୟତା ଯୋଗାଇଦେବାରେ ବେଶ୍ ଆଗୁଆ ବିଂ ହ୍ୟୁମାନ୍ ଫାଉଣ୍ଡେସନ୍ । ଏଭଳି 25ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଏହି ସଂଗଠନ ଏବେ ଚର୍ଚ୍ଚାରେ ରହିଛି ।
କଂଗ୍ରେସ ନାଏକ (ସମାଜସେବୀ)

ସଫଳତା / ଉପଲବ୍ଧି

ମୟୁରଭଂଜ ଜିଲ୍ଲା ଶିରାକୁଳି ଅଂଚଳର ନାଁ କରା ସମାଜସେବୀ କଂଗ୍ରେସ ନାଏକ । କଂଗ୍ରେସ ଭାଇ ଭାବରେ ସେ ବେଶ୍ ପରିଚିତ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଶିକ୍ଷାର ପ୍ରସାର ପାଇଁ 70 ଦଶକରେ ତିନୋଟି ସ୍କୁଲ ପ୍ରତିଷ୍ଠା କରିଥିଲେ ଏହି ସମାଜସେବୀ । ତା ମଧ୍ୟରେ ଶିରାକୁଳିର ବିନୋବା ଭାବେ ଉଚ୍ଚ ବିଦ୍ୟାଳୟ ଅନ୍ୟତମ । 1980ରେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ପଶ୍ଚିମ ଚଂପାରଣରୁ ଦୁର୍ନୀତି ବିରୋଧୀ ଅଭିଯାନରେ ସାମିଲ ହେବା ସହିତ ଓଡ଼ିଶାର କୋରାପୁଟ, ନବରଙ୍ଗପୁର ଏବଂ କନ୍ଧମାଳ ଆଦି ଜିଲ୍ଲାରେ ପଦଯାତ୍ରା କରିଛନ୍ତି । ଏହାସହ ଗୋରକ୍ଷା ସତ୍ୟାଗ୍ରହ ଏବଂ 1999 ମହାବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ସେବା କରିଛନ୍ତି କଂଗ୍ରେସ ଭାଇ । ଶିଶୁ ରାଇଜ ଚିଲ୍ଡ୍ରେନ୍ କ୍ଲବ୍ ପ୍ରତିଷ୍ଠା କରି ଗରିବ ଆଦିବାସୀ ଶିଶୁଙ୍କର ଶିକ୍ଷା ଏବଂ ନୈତିକ ସମୃଦ୍ଧି ଦିଗରେ ସେ କାର୍ଯ୍ୟ କରିଆସୁଛନ୍ତି । କଂଗ୍ରେସ ନାଏକଙ୍କ ତତ୍ୱାବଧାନରେ ଏକ ଅର୍ଫାନ୍ ସେଣ୍ଟର ଚାଲିଛି, ଯେଉଁଥିରେ ଏବେ ଅର୍ଫାନ୍ ପିଲାମାନେ ଶିକ୍ଷାଲାଭର ସୁଯୋଗ ପାଉଛନ୍ତି । ଛୁଆଁଛୁତି ଭେଦଭାବର ଉଚ୍ଛେଦ, ନିଶା ନିବାରଣ ସହିତ ସମାଜର ସବୁବର୍ଗଙ୍କ ବିକାଶ ଉଦ୍ଦେଶ୍ୟରେ କାର୍ଯ୍ୟ କରିଆସୁଛନ୍ତି ଏହି ସମାଜସେବୀ । ସାମାଜିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ବିଚାରଧାରାକୁ ନେଇ ଏ ପର୍ଯ୍ୟନ୍ତ ତାଙ୍କ ଲିଖିତ 19 ଗୋଟି ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି ।
ନାମ :ମୀରା ପରିଡ଼ା (ସମାଜସେବୀ)

ସଫଳତା / ଉପଲବ୍ଧି

ନିଖିଳ ଓଡ଼ିଶା ତୃତୀୟ ଲିଙ୍ଗ ଉନ୍ନୟନ ପରିଷଦର ଅଧ୍ୟକ୍ଷା ତଥା ପୂର୍ବ ଭାରତର କିନ୍ନର ଆଖଡ଼ା ସଂଘର ମହାମଣ୍ଡଳେଶ୍ୱର ହେଉଛନ୍ତି ମୀରା ପରିଡ଼ା । ସମାଜରେ ନିନ୍ଦିତ, ଅପମାନିତ ଏବଂ ମାନସିକ ଭାବେ ବିଷାଦଗ୍ରସ୍ତ ତୃତୀୟଲିଙ୍ଗୀ ମଣିଷଙ୍କୁ ପରାମର୍ଶ ଦେବାସହ ସେମାନଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରାଇବାରେ ମୀରା ପରିଡ଼ା ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ସ୍ୱର । ସାମାଜିକ ସଂଗଠନ 'ସଖା' ମାଧ୍ୟମରେ ରାଜ୍ୟର ତୃତୀୟଲିଙ୍ଗୀମାନଙ୍କୁ ଆଇନଗତ ଅଧିକାର ସଂପର୍କରେ ସଚେତନ କରାଇବା ଏବଂ ସରକାରୀ ଯୋଜନାରେ ସହଭାଗିତା କରାଇବାରେ ମୀରାଙ୍କ ଉଦ୍ୟମ ବେଶ୍ ପ୍ରସଂଶନୀୟ । ନିଜର ସଂଗଠନ ମାଧ୍ୟମରେ ଅନେକ ତୃତୀୟଲିଙ୍ଗୀ ସଦସ୍ୟ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଅନ୍ୟ ସାମାଜିକ ସଂଗଠନର ସହଯୋଗରେ ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଆୟୋଜିତ ଏସିଆର ପ୍ରଥମ କିନ୍ନର ସମ୍ମିଳନୀ ଆୟୋଜନ କରି 60 ଜଣ କିନ୍ନରଙ୍କୁ ରୋଜଗାରର ବାଟ ଦେଖାଇବାରେ ସଫଳ ହୋଇଛି ମୀରାଙ୍କ ଏହି ସଂଗଠନ । ଭାରତର ପ୍ରଥମ ତୃତୀୟଲିଙ୍ଗୀ ଭାବରେ ଆମେରିକାର ହ୍ୱାଇଟ୍ ହାଉସରେ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସଚିବଙ୍କ ସହିତ ଭେଟିବାର ସୁଯୋଗ ପାଇଥିଲେ ମୀରା। ସ୍ୱଚ୍ଛ ଭାରତ ଅଭିଯାନରେ ସ୍ମାର୍ଟସିଟି ଭୁବନେଶ୍ୱରର ପ୍ରଥମ ଟ୍ରାନ୍ସଜେଣ୍ଡର ଆମ୍ବାସାଡର ହେଉଛନ୍ତି ମୀରା ପରିଡ଼ା। ଏହାସହିତ ବୃକ୍ଷରୋପଣ, ରକ୍ତଦାନ ଶିବିର ଆୟୋଜନ ଏବଂ HIV/AIDS ପୀଡ଼ିତଙ୍କୁ ସଚେତନତାର ବାର୍ତ୍ତା ଦେଇଥାନ୍ତି ସମାଜସେବୀ ମୀରା ପରିଡା ।
ନାମ : ସୁଧୀର ରାଉତ (ସମାଜସେବୀ)

ସଫଳତା / ଉପଲବ୍ଧି

ରେଶମ ସହର ବ୍ରହ୍ମପୁର ସମେତ ଗଂଜାମ ଜିଲ୍ଲାରେ ଜଣେ ଶିକ୍ଷାବିତ୍ ଏବଂ ପ୍ରକୃତିପ୍ରେମୀ ଭାବେ ବେଶ୍ ପରିଚିତ ସୁଧୀର ରାଉତ । ଦୀର୍ଘ 32ବର୍ଷ ଧରି ଶିକ୍ଷାକୁ ଜୀବନର ବ୍ରତଭାବେ ସେ ଗ୍ରହଣ କରି ଆସିଛନ୍ତି । 2006ରେ କୋଚିଂ ସେଣ୍ଟର-ଆର୍ଯ୍ୟଭଟ୍ଟ ଲର୍ଣ୍ଣିଂ ଫୋରମ୍ ଏବଂ 2009ରେ ସ୍ଵେଛାସେବୀ ସଂଗଠନ, ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ଜରିଆରେ ଯୁକ୍ତଦୁଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଆସୁଛନ୍ତି ସୁଧୀର ରାଉତ । ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାପ୍ରଦାନ ସହିତ ସେମାନଙ୍କୁ ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରିଥାଏ ସୁଧୀରଙ୍କ ଏହି ଶିକ୍ଷାନୁଷ୍ଠାନ । ତାଙ୍କରି ସଂସ୍ଥାରୁ ପାଠପଢି ଅନେକ ଛାତ୍ରଛାତ୍ରୀ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ସରଳ ଜୀବନଯାପନ ସହିତ ଜଣେ ସଚ୍ଚା ପରିବେଶବିତ୍ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସୁଧୀର । ସେ ଶ୍ମଶାନ ହେଉ କି ଟାଙ୍ଗରା ଭୂମି, ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରି ସବୁଜ ବଳୟ ସୃଷ୍ଟିକରିବା ଯେମିତି ସୁଧୀରଙ୍କ ପ୍ରଥମ ପସନ୍ଦ । ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଏବଂ ନିଜ ଶିକ୍ଷାନୁଷ୍ଠାନରୁ ସଂଗୃହୀତ କିଛି ଅର୍ଥରାଶିକୁ ସେ ସମାଜସେବା କାର୍ଯ୍ୟରେ ଖର୍ଚ୍ଚ କରିଥାନ୍ତି । ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ ପ୍ରଦାନ ସହିତ ପଲିଥିନ୍ ବର୍ଜନକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରିବା ହେଉଛି ସୁଧୀରଙ୍କ ଆଉ ଏକ ସଫଳତା । ସମାଜସେବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି ।

VOTING CLOSE

Politics

ନାମ : ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ

ସଫଳତା / ଉପଲବ୍ଧି

ଅପରାଜିତା ଷଡଙ୍ଗୀ, ଓଡ଼ିଶାର ଘରେ ଘରେ ଏକ ପରିଚିତ ନାମ । ପ୍ରଥମେ ପ୍ରଶାସିକା ଓ ତା' ପରେ ରାଜନୀତି । ପ୍ରଥମ ପଦାର୍ପଣରେ ସମ୍ମାନଜନକ ଭୁବନେଶ୍ୱର ଲୋକସଭା ଆସନରୁ ବିଜୟ ମୁକୁଟ ପିନ୍ଧିଛନ୍ତି ଅପରାଜିତା । ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ କରି ରାଜଧାନୀବାସୀଙ୍କ ନିକଟତର ହୋଇପାରିଥିଲେ ଅପରାଜିତା । ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଦାୟିତ୍ୱ ନେଇ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଆଣିଥିଲେ ଅନେକଗୁଡ଼ିଏ ସଂସ୍କାର । ସେହିପରି ଓଡ଼ିଶା ସରକାରଙ୍କ ପଂଚାୟତିରାଜ ଓ ବୟନ ଶିଳ୍ପ ବିଭାଗର ସଚିବ ଭାବେ କାର୍ଯ୍ୟକରି ପାଇଛନ୍ତି ଅନେକ ପ୍ରଶଂସା । ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସେ ପ୍ରଶଂସିତ ହୋଇଛନ୍ତି । 2018ରେ ଆଇ.ଏ.ଏସ୍ ଚାକିରି ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଅପରାଜିତା ଷଡ଼ଙ୍ଗୀ । ଏବେ ରାଜନୀତିରେ ତାଙ୍କର ଯାତ୍ରା ଆରମ୍ଭ ହୋଇଛି ।
ମକରନ୍ଦ ମୁଦୁଲି, ରାୟଗଡ଼ା ବିଧାୟକ (ସ୍ଵାଧୀନ)

ସଫଳତା / ଉପଲବ୍ଧି

ମକରନ୍ଦ ମୁଦୁଲି । 2019 ସାଧାରଣ ନିର୍ବାଚନ ପୂର୍ବରୁ ଏହି ନାମଟି ଅନେକଙ୍କ ପାଇଁ ଥିଲା ଅଜଣା । 2019ର ଏହି ନିର୍ବାଚନରେ ରାୟଗଡା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ ମକରନ୍ଦ । ହାତରେ ଥିଲା ମାତ୍ର 15 ହଜାର ଟଙ୍କାର ସମ୍ବଳ । ତେବେ ଏହି ନିର୍ବାଚନରେ ପ୍ରମୁଖ ରାଜନୈତିକ ଦଳର ବିତ୍ତଶାଳୀ ପ୍ରାର୍ଥୀଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇପାରିଛନ୍ତି ମକରନ୍ଦ । ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଆଦିବାସୀମାନଙ୍କର ହକ୍ ପାଇଁ ଲଢେଇ କରୁଥିଲେ ଏହି ଯୁବନେତା । ଝୋଡ଼ିଆ ସଂପ୍ରଦାୟର ଲୋକଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ଠାରୁ ଆରମ୍ଭ କରି ବିସ୍ଥାପିତଙ୍କ ସମସ୍ୟା ଦୂର ପାଇଁ ଆନ୍ଦୋଳନ ପର୍ଯ୍ୟନ୍ତ, ସବୁଠି ଆଗରେ ଥିଲେ ମକରନ୍ଦ । ଏଥିସହ ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ପାଇଁ ଚାଲିଥିବା ଆନ୍ଦୋଳନର ସେ ହେଉଛନ୍ତି ଅନ୍ୟତମ ପୁରୋଧା । ଛାତ୍ର ଜୀବନରୁ ସମାଜ ସେବା କରିବା ସହ ରାୟଗଡ଼ାବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିଛନ୍ତି ଆଦିବାସୀ ନେତା ମକରନ୍ଦ ମୁଦୁଲି ।
ନାମ :ସପ୍ତଗିରି ଉଲାକା-ସାଂସଦ, କୋରାପୁଟ

ସଫଳତା / ଉପଲବ୍ଧି

ସପ୍ତଗିରି ଉଲାକା । 2019 ସାଧାରଣ ନିର୍ବାଚନରେ ସାରା ଦେଶରେ କଂଗ୍ରେସ ଦଳ ଘୋର ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ସେ ଦଳ ପାଇଁ ସମ୍ମାନ ରକ୍ଷା କରିପାରିଛନ୍ତି । ଏହି ନିର୍ବାଚନରେ ସପ୍ତଗିରି କଂଗ୍ରେସର ଏକମାତ୍ର ପ୍ରାର୍ଥୀ ଭାବେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇଛନ୍ତି । ରାଜନୀତିରେ ପାଦ ଥାପିବା ପୂର୍ବରୁ ସଫ୍ଟୱେୟାର୍ ଇଂଜିନିୟର ଭାବେ ଆମେରିକାରେ ସଫଳତାର ସହ କାର୍ଯ୍ୟକରି ବେଶ୍ ଖ୍ୟାତି ଅର୍ଜନ କରିଥିଲେ ସପ୍ତଗିରି । ରାଜନୀତିରେ ପ୍ରଥମ ପ୍ରବେଶରେ ହିଁ ସେ କୋରାପୁଟ ପରି ମର୍ଯାଦାଜନକ ଲୋକସଭା ଆସନରୁ ବିଜୟୀ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ଏକ ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଆସିଥିବା ସପ୍ତଗିରି ନିଜ ବ୍ୟକ୍ତିତ୍ୱର ପରାକାଷ୍ଠା ବଳରେ ଜିଣି ପାରିଛନ୍ତି ଜନସାଧାରଣଙ୍କ ହୃଦୟ ।
ନାମ : ସୁରେଶ କୁମାର ରାଉତରାୟ, ବିଧାୟକ, ଜଟଣୀ

ସଫଳତା / ଉପଲବ୍ଧି

ସୁରେଶ କୁମାର ରାଉତରାୟ । ଓଡ଼ିଶା କଂଗ୍ରେସ ରାଜନୀତିର ଭୀଷ୍ମ ପିତାମହ । ପିଲାଠାରୁ ବୁଢାଯାଏ, ସମସ୍ତଙ୍କ ପାଖରେ ସେ ମାଲ୍ ରେଡ୍ଡି ସୁରଭାଇ ଭାବେ ପରିଚିତ । ପରିଣତ ବୟସରେ ବି ନିଜ ଯୁବ ସୁଲଭ ଆଚରଣ, ଦୃଢ ମନୋବଳ ଓ ଗଭୀର ଇଚ୍ଛାଶକ୍ତି ପାଇଁ ସେ ଓଡ଼ିଶାବାସୀଙ୍କ ନିକଟରେ ବେଶ୍ ପରିଚିତ । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ କଂଗ୍ରେସର ବହୁ ବରିଷ୍ଠ ନେତା ଦଳତ୍ୟାଗ କରିଥିଲେ ମଧ୍ୟ ଶ୍ରୀଯୁକ୍ତ ରାଉତରାୟ ଆଜି ବି ଦଳ ପାଇଁ ସମର୍ପିତ । ଜଟଣୀ ବିଧାନସଭା ଆସନରୁ 6 ଥର ନିର୍ବାଚିତ ଶ୍ରୀ ରାଉତରାୟ, ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଅବକାରୀ ବିଭାଗର ମନ୍ତ୍ରୀ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଅତି ନିର୍ଭିକ ଭାବେ ତଥ୍ୟ ଉପସ୍ଥାପନ କରିବାରେ ସେ ହେଉଛନ୍ତି ଜଣେ ବିଚକ୍ଷଣ ରାଜନେତା । ରାଜନୀତି ବ୍ୟତୀତ ଏକାମ୍ର କ୍ଷେତ୍ରର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର ସେ ହେଉଛନ୍ତି ପ୍ରତିଷ୍ଠାତା ଆଉ ପୃଷ୍ଠପୋଷକ । ଚଳିତ ବର୍ଷ ସାଧାରଣ ନିର୍ବାଚନରେ ଜଟଣୀ ଆସନରୁ ପୁଣିଥରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଶ୍ରୀ ରାଉତରାୟ ।

VOTING CLOSE

Health

ନାମ : ଡାକ୍ତର ଯଦୁନାଥ ପ୍ରସାଦ ଦାସ

ସଫଳତା / ଉପଲବ୍ଧି

ଡାକ୍ତର ଯଦୁନାଥ ପ୍ରସାଦ ଦାସ, ଯିଏକି ଜେ. ପି. ଦାସ ନାମରେ ବେଶ୍ ପରିଚିତ । 1956ରେ ଏସ୍.ସି.ବି ମେଡିକାଲ କଲେଜରୁ ଏମ୍.ବି.ବି.ଏସ୍ ପାସ୍ କରିବା ପରେ 1961ରେ ଲଣ୍ଡନର ଏଡିନବର୍ଗ ଇଉନିଭର୍ସିଟିରୁ ଡିଟିଟିଏମ୍ ପାସ କରନ୍ତି । 1968ରେ ସେ ସି.ଏମ.ସି ଭେଲୋରରୁ ଡିଏମ୍‌ କାର୍ଡିଓଲୋଜି ପାସ୍ ପରେ ଏସ୍.ସି.ବି ମେଡିକାଲ କଲେଜରେ ମେଡିସିନ୍ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି । 1974ରେ ଜେ. ପି. ଦାସଙ୍କ ତତ୍ତ୍ୱାବଧାନରେ ଓଡିଶାରେ ପ୍ରଥମ ପେସ୍ ମେକର ସଫଳହୁଏ । ତାଙ୍କରି ଉଦ୍ୟମରେ 1979ରେ ଏସ୍.ସି.ବି ମେଡିକାଲ କଲେଜରେ ପ୍ରଥମ କରି କାର୍ଡିଓଲୋଜି ବିଭାଗ ପ୍ରତିଷ୍ଠା ହୁଏ । 1987ରେ ଚାକିରିରୁ ସ୍ୱେଛାକୃତ ଅବସର ନେଇ ରାଣୀହାଟ ଠାରେ ନିଜର ହାର୍ଟ କ୍ଲିନିକ୍ ପ୍ରତିଷ୍ଠା କରି ରୋଗୀସେବା କରି ଆସୁଛନ୍ତି ଡାକ୍ତର ଯଦୁନାଥ ପ୍ରସାଦ ଦାସ । 2011ରେ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ ପକ୍ଷରୁ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ୱାର୍ଡରେ ସମ୍ମାନିତ କରାଯାଏ ।
ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା

ସଫଳତା / ଉପଲବ୍ଧି

ପାଠପଢା ପରେ 1970ରେ ସମ୍ବଲପୁର ଜିଲ୍ଲାର ବାମରା ଏବଂ ପରେ ଫୁଲବାଣୀରେ ସରକାରୀ ଚାକିରୀରେ ଯୋଗଦିଅନ୍ତି ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା । 1971ରେ ଏସ୍.ସି.ବି ମେଡିକାଲ କଲେଜରେ ଆନାଟୋମି ବିଭାଗରେ ଶିକ୍ଷକତା ଏବଂ 1976ରେ କ୍ୟାନସର ସର୍ଜରୀ ବିଭାଗରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି ଡାକ୍ତର ପଣ୍ଡା । 1982ରେ ଟାଟା ମେମୋରିଆଲ ହସ୍ପିଟାଲରେ ସ୍ୱତନ୍ତ୍ର ଟ୍ରେନିଂ ନେବା ପରେ 1996ରେ କଟକରେ ପଣ୍ଡା କ୍ୟାନସର ସେଣ୍ଟର ପ୍ରତିଷ୍ଠା କରନ୍ତି ଡାକ୍ତର କୃପାସିନ୍ଧୁ ପଣ୍ଡା । 1998ରେ ସରକାରୀ ଚାକିରିରୁ ସ୍ୱେଛାକୃତ ଅବସର ନେବାପରେ ପଣ୍ଡା କ୍ୟାନସର ସେଣ୍ଟରରେ ସେ ପୂର୍ଣ୍ଣମାତ୍ରାରେ କାମ କରିଆସୁଛନ୍ତି । ଏବେ ଡାକ୍ତର ପଣ୍ଡା ମାସକୁ ପ୍ରାୟ ହଜାରରୁ ଅଧିକ ରୋଗୀଙ୍କୁ ଦେଖିବା ସହିତ ଶହଶହ କ୍ୟାନସର ପେସେଣ୍ଟଙ୍କୁ ଅପରେସନ ମଧ୍ୟ କରୁଛନ୍ତି । 'କ୍ୟାନସର; ଦି ଚିଲ ଆଣ୍ଡ ଚିଅର', 'ହ୍ୟାଣ୍ଡବୁକ ଅଫ କଲାମ', 'ଜୀବନର ଢେଉ', 'କୃପାର ସିନ୍ଧୁ-କୃପାସିନ୍ଧୁ' ଆଦି ଅନେକ ବହି ଲେଖିଛନ୍ତି ଡାକ୍ତର ପଣ୍ଡା । ଚିକିତ୍ସା କ୍ଷେତ୍ରରେ ନିଜର ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ଡାକ୍ତର କୃପାସିନ୍ଧୁ ପଣ୍ଡା ଦେଶ ଓ ବିଦେଶରେ ଅନେକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି ।
ନାମ : ଡାକ୍ତର ସନାତନ ରଥ

ସଫଳତା / ଉପଲବ୍ଧି

ଗାଁ ଲୋକଙ୍କ ଅନୁରୋଧ କ୍ରମେ ଇଞ୍ଜିନିୟରିଂ ପାଠପଢା ଛାଡି 1952ରେ କଟକ ଏସ୍.ସି.ବି ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢନ୍ତି, ଡାକ୍ତର ସନାତନ ରଥ । 1965ରେ ସିଏମସି ଭେଲୋରରୁ ଏମ୍‌ସିଏଚ୍ ପାସ୍ କରନ୍ତି । ସେତେବେଳେ ଦେଶରେ ମାତ୍ର 5 ଜଣ ନ୍ୟୁରୋ ସର୍ଜନଙ୍କ ମଧ୍ୟରେ ନିଜକୁ ସାମିଲ କରନ୍ତି ଡାକ୍ତର ରଥ । 1965ରେ ଡାକ୍ତର ରଥଙ୍କ ଉଦ୍ୟମରେ କଟକରେ ପ୍ରଥମକରି ଆରମ୍ଭ ହୁଏ ନ୍ୟୁରୋ ସର୍ଜରୀ ବିଭାଗ । ରାଜ୍ୟ ସରକାରଙ୍କ ସହାୟତାରେ ଡାକ୍ତର ରଥ, ସିଟିସ୍କାନ ଟ୍ରେନିଂ ପାଇଁ 3 ମାସ ଧରି ଜାପାନ ଗସ୍ତ କରନ୍ତି । ତାଙ୍କରି ଉଦ୍ୟମରେ ଏସ୍.ସି.ବି ମେଡିକାଲ କଲେଜରେ ପ୍ରଥମେ ସିଟିସ୍କାନ ମେସିନ୍ ବ୍ୟବହୃତ ହୋଇଥିଲା । 1992ରେ ଚାକିରିରୁ ଅବସର ନେଲା ପରେ ଡାକ୍ତର ରଥ ଆଜି ପର୍ଯ୍ୟନ୍ତ ରୋଗୀସେବା କରି ଆସୁଛନ୍ତି । ରୋଗୀସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରି ଆସିଛନ୍ତି 84 ବର୍ଷ ବୟସ୍କ ଡାକ୍ତର ସନାତନ ରଥ ।
ନାମ : ପ୍ରଫେସର ଡାକ୍ତର ସପନ କୁମାର ପାଲିତ୍

ସଫଳତା / ଉପଲବ୍ଧି

1979ରେ ପି.ଜି.ଆଇ.ଏମ୍.ଇ.ଆର୍, ଚଣ୍ଡୀଗଡରୁ ନେଫ୍ରୋଲଜିରେ ଡି.ଏମ୍. ପାସ୍ କରନ୍ତି ଡାକ୍ତର ସପନ କୁମାର ପାଲିତ । ମୋଟା ଅଙ୍କର ଚାକିରି ଲୋଭରେ ନପଡ଼ି ଭି.ଏସ୍ଏସ୍ ମେଡିକାଲ କଲେଜ, ବୁର୍ଲାରେ ସେ ଯୋଗ ଦିଅନ୍ତି । ତାଙ୍କରି ପ୍ରଚେଷ୍ଟାରେ ବୁର୍ଲା ମେଡିକାଲ କଲେଜରେ ନେଫ୍ରୋଲଜି ବିଭାଗ ପ୍ରତିଷ୍ଠା ହୁଏ । 1985ରେ ଡାକ୍ତର ଡିଙ୍ଗର ମେହେର ଓ ଡାକ୍ତର ଲକ୍ଷ୍ମୀକାନ୍ତ ସାହୁଙ୍କ ମିଳିତ ସହଯୋଗରେ ବୁର୍ଲା ମେଡିକାଲ କଲେଜରେ ଓଡିଶାର ପ୍ରଥମ Kidney Transplant ହୁଏ। ଡାକ୍ତର ସପନ କୁମାର ପାଲିତଙ୍କ ଉଦ୍ୟମରେ ବୁର୍ଲାରେ ଉନ୍ନତ ଧରଣର ଡାଏଲିସିସ୍ ୟୁନିଟ ସ୍ଥାପିତ ହୋଇଥିଲା । ତାଙ୍କରି କାର୍ଯ୍ୟକାଳରେ ଏମ୍.କେ.ସି.ଜି ମେଡିକାଲ କଲେଜରେ ଡାଏଲିସିସ୍ ୟୁନିଟର ଆଧୁନିକୀକରଣ ମଧ୍ୟ କରାଯାଇଥିଲା । ସ୍ୱେଛାକୃତ ଅବସର ପରେ ଆଜିଯାଏଁ ଡାକ୍ତର ପାଲିତ୍ ବିଭିନ୍ନ ମେଡିକାଲରେ ରୋଗୀସେବା କରି ଆସୁଛନ୍ତି ।

VOTING CLOSE

Entertainment

ନାମ : ବ୍ରଜ ପାଣିଗ୍ରାହୀ (ଯାତ୍ରା ଅଭିନେତା)

ସଫଳତା / ଉପଲବ୍ଧି

ଯାତ୍ରା ଜଗତର ନାଁ'କରା ହାସ୍ୟ ଅଭିନେତା ବ୍ରଜ ପାଣିଗ୍ରାହୀ । ଯାତ୍ରାପ୍ରେମୀଙ୍କ ନିକଟରେ ବ୍ରଜପାଣି ଭାବେ ସେ ପରିଚିତ । ଦୀର୍ଘ 48 ବର୍ଷ ଧରି ରଂଗମଞ୍ଚର ଚିକ୍‌ମିକ୍ ଦୁନିଆରେ ଅଭିନୟର ଯାଦୁ ଦେଖାଇ ଆସିଛନ୍ତି ଏହି ଲୋକପ୍ରିୟ କଳାକାର । ଏବେ 'ସୂର୍ଯ୍ୟ ମନ୍ଦିର' ଯାତ୍ରାପାର୍ଟିର ବରିଷ୍ଠ ଅଭିନେତା ଭାବେ ଅଭିନୟ ଜାରି ରଖିଛନ୍ତି । ନୂଆ ନାଟକ 'ପୁଅ ଯିବ ଶାଶୁଘର', 'ପ୍ରେମିକାର ନାଁ ଚନ୍ଦ୍ରଭାଗା' ଏବଂ 'ମାୟାବିନୀ ମୌସୁମୀ' ଆଦି ନାଟକରେ ଏବେ ଧୁମ୍ ମଚାଉଛନ୍ତି ଏହି ଅଭିନେତା । 'ଜନତା ଗଣନାଟ୍ୟ'ରୁ ଆରମ୍ଭ ହୁଏ ବ୍ରଜ ପାଣିଙ୍କର ଯାତ୍ରା ଜୀବନ । 'ଦିନରେ ତରା ରାତିରେ ଖରା', 'କାନ ମୋଡ଼ିଦେଲେ ସତ କିହିବି', 'ଆଲୋ ହୁଣ୍ଡି ପଇସାରେ ପାନ କେତେ ଖଣ୍ଡି', 'ଅକୁହା କଥା', 'ସବୁ ରାତିର ସକାଳ ନାହିଁ', 'ବଳାତ୍କାର', 'ପତିବ୍ରତା', 'କେମିତି ଏ ବନ୍ଧନ', 'ବଳାତ୍କାରୀକୁ ଫାଶି ଦିଅ','ପାକିସ୍ତାନୀ ଝିଅ ଭାରତ ବୋହୂ' ଆଦି ଦୁଇଶହରୁ ଅଧିକ ନାଟକରେ ବିଭିନ୍ନ ଚରିତ୍ରରେ ଯାତ୍ରାପ୍ରେମୀଙ୍କ ବାହାବାଃ ଜିତିଛନ୍ତି ଅଭିନେତା ବ୍ରଜ ପାଣି ।
ଗୀତା ପଟ୍ଟନାୟକ (କଣ୍ଠଶିଳ୍ପୀ)

ସଫଳତା / ଉପଲବ୍ଧି

ଓଡିଆ ସିନେମାର ସୁନାମଧନ୍ୟା କଣ୍ଠଶିଳ୍ପୀ, ଗୀତା ପଟ୍ଟନାୟକ । ଗୀତ ପାଇଁ ଦେଶ ବିଦେଶରେ ତାଙ୍କର ସ୍ୱତନ୍ତ୍ର ପରିଚିତି ରହିଛି । ଅଲ୍ ଇଣ୍ଡିଆ ରେଡିଓର ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ । ଯାଯାବର, ଅଦିନ ମେଘ, ସଂସାର, ତଅପୋଇ, ନାଗଫାଶ, ଅଶାନ୍ତଗ୍ରହ, ଅକ୍ଷିତୃତୀୟା ଏବଂ ମଥୁରା ବିଜୟ ଭଳି ଅନେକ ସିନେମାରେ କଣ୍ଠଦାନ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଗୀତା । ପ୍ରାୟ 80ରୁ ଅଧିକ କ୍ୟାସେଟ୍ ଏବଂ ଏଚ୍.ଏମ୍.ଭି ରେକର୍ଡସରେ ସେ କଣ୍ଠଦାନ କରିଛନ୍ତି । ଏହାସହ ଅନେକ ଗୀତର ରଚନା ମଧ୍ୟ କରିଛନ୍ତି । ଏସବୁ ଗୀତ ଆକାଶବାଣୀ ଏବଂ ଦୂରଦର୍ଶନ ଚ୍ୟାନେଲରେ ପ୍ରସାରିତ ହୋଇଛି । 'ଅଶାନ୍ତଗ୍ରହ' ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି । ଗୀତ କ୍ଷେତ୍ରରେ ନିଜର ମହତ୍ତ୍ଵପୂର୍ଣ୍ଣ ଅବଦାନ ପାଇଁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଆଓ୍ୱାର୍ଡ, ରାଜୀବ ଗାନ୍ଧୀ ସମ୍ମାନ, ଅକ୍ଷୟ ସ୍ମୃତି ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି ଗୀତା ପଟ୍ଟନାୟକ ।
ନାମ : ଶାନ୍ତିଲତା ବାରିକ ଛୋଟରାୟ (କଣ୍ଠଶିଳ୍ପୀ)

ସଫଳତା / ଉପଲବ୍ଧି

ବିଶିଷ୍ଟ ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ୍ ଛୋଟରାୟ । ପ୍ରାୟ 5 ହଜାରରୁ ଉର୍ଦ୍ଧ୍ୱ ଗୀତରେ କଣ୍ଠଦାନ କରିଛନ୍ତି ଶାନ୍ତିଲତା । 1970ରେ ଭକ୍ତି ଗୀତ, ହେ ଚକାନୟନ... ମାଧ୍ୟମରେ ସେ ଚର୍ଚ୍ଚାକୁ ଆସନ୍ତି । ଶ୍ରୀଜଗନ୍ନାଥଙ୍କ ଜଣାଣ, ଭଜନ ଏବଂ ଭକ୍ତି ସଂଗୀତରେ କଣ୍ଠଦାନ କରି ଘରେ ଘରେ ପରିଚିତି ଲାଭ କରିଛନ୍ତି ଶାନ୍ତିଲତା । ଆକାଶବାଣୀ, ଦୂରଦର୍ଶନ ଏବଂ କ୍ୟାସେଟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତି, ଓଡିଶୀ, ଛାନ୍ଦ, ଚଂପୁ, ଚଉପଦୀ, ଚଉତିଶା ଏବଂ ପଲ୍ଲୀଗୀତ ଗାଇ ନିଜପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଗାଉଣୀ ସମ୍ମାନ, ଗୁରୁ ବାଳକୃଷ୍ଣ ଦାଶ ସ୍ମୁତି ସମ୍ମାନ, ଭଜନ ସମ୍ରାଟ ଭିକାରି ବଳ ସ୍ମୃତି ସମ୍ମାନ, ଚଉଷଠୀ ଯୋଗିନୀ ଜାତୀୟ ସମ୍ମାନ, ଉତ୍କଳ ରତ୍ନ ସମ୍ମାନ, ଅତିବଡି ଜଗନ୍ନାଥ ଦାସ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ । 'ସ୍ୱରତୀର୍ଥ' ନାମକ ନିଜର ଏକ ସଙ୍ଗୀତ ଅନୁଷ୍ଠାନ ମାଧ୍ୟମରେ ଓଡ଼ିଶୀ, କ୍ଲାସିକାଲ, ଭଜନ, ଚଂପୁ, ଚଉତିଶା ଏବଂ ଦେଶାତ୍ମବୋଧ ଗୀତ ଶିକ୍ଷା ଦେଉଛନ୍ତି ଏହି ସୁନାମଧନ୍ୟା କଣ୍ଠଶିଳ୍ପୀ ।
ନାମ : ସ୍ନେହାଶିଷ ଦାସ (ଚଳଚ୍ଚିତ୍ର ନିର୍ଦ୍ଦେଶକ)

ସଫଳତା / ଉପଲବ୍ଧି

ଡକ୍ୟୁମେଣ୍ଟାରି ଫିଲ୍ମମେକର, ସ୍ନେହାଶିଷ ଦାସ । ସେ ପରିବେଶ ପ୍ରଦୂଷଣ ହେଉକି ପ୍ରାକୃତିକ ବିପର୍ଯ୍ୟୟ ଅବା ଜଳ ସମସ୍ୟା । ପୁଣି ଜଳବାୟୁ ପରିବର୍ତ୍ତନ, ଶରଣାର୍ଥୀ ସମସ୍ୟା ଏବଂ ଶିଶୁ ଅପପୁଷ୍ଟି ମାମଲା ଭଳି ସାମାଜିକ ସମ୍ବେଦନଶୀଳ ଘଟଣାକୁ ବେଶ୍ ଶାଣିତ ଢଙ୍ଗରେ ଚଳଚ୍ଚିତ୍ରରେ ରୂପଦେଇଥାନ୍ତି ସ୍ନେହାଶିଷ । ଦୀର୍ଘ 15 ବର୍ଷରୁ ଅଧିକ ସମୟ ଧରି ସର୍ଟ ଫିଲ୍ମ ଏବଂ ବୃତ୍ତଚିତ୍ର ନିର୍ମାଣ କରିଆସିଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ନେହାଶିଷ ଦାସ । 2019ରେ ସ୍ନେହାଶିଷଙ୍କ ନିର୍ଦ୍ଦେଶିତ ଫିଲ୍ମ, 'କୋକଲି-ଫିସ୍ ଆଉଟ୍ ଅଫ୍ ଓ୍ୱାଟର', ବାକାଲର୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି । ସ୍ନେହାଶିଷଙ୍କ ନିର୍ଦ୍ଦେଶିତ ଡକ୍ୟୁମେଣ୍ଟାରୀ ଫିଲ୍ମ, 'ସ୍ପନ୍ଦନ୍'କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । 1999 ମହାବାତ୍ୟା ଉପରେ ଆଧାରିତ ଫିଲ୍ମ, 'ହୋସଲା ନା ରୁଠେ'କୁ ହଲିଉଡ୍ ଇଣ୍ଟରନ୍ୟାସନାଲ୍ ମୁଭିଙ୍ଗ୍ ପିକ୍ଚର୍ସ ଫିଲ୍ମ ଫେଷ୍ଟିଭାଲ ପକ୍ଷରୁ ବେଷ୍ଟ୍ ମ୍ୟୁଜିକ୍ ଭିଡିଓର ମାନ୍ୟତା ମିଳିଛି । ସ୍ନେହାଶିଷଙ୍କର The Naked Eye Films ବ୍ୟାନରରେ ନିର୍ମିତ ଘର ଜାନା ହୈ, ଦ ଥାର୍ଷ୍ଟି କ୍ରୋ, ଏ ରୋଡ୍ ବ୍ୟାକ୍ ହୋମ୍, ସ୍ୟାଡୋ ଅଫ୍ ତାଜ୍, ଏ ଫର୍ ଆପଲ୍ ଏବଂ ଦ ଏଣ୍ଡ୍ ଗେମ୍ ଭଳି ଅନେକ ସାମାଜିକ ସଚେତନମୂଳକ ଡକ୍ୟୁମେଣ୍ଟାରି ଫିଲ୍ମ, ଜାତୀୟ ଏବଂ ଅନ୍ତର୍ଜାତୀୟ ଫୋରମରେ ଉଚ୍ଚ ପ୍ରଶଂସିତ ହୋଇଛି । ସର୍ଟ ଫିଲ୍ମ, ଇଫ୍ ୟୁ କ୍ୟାନ୍ ଓ୍ୱାକ୍ ଟୁଗେଦର୍ ଏବଂ ଆଇ ଆମ୍ ସରି ପାଇଁ ନିର୍ଦ୍ଦେଶକ ସ୍ନେହାଶିଷ ଦାସ ଜାତୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

VOTING CLOSE

Education

ନାମ : ଅଭିମନ୍ୟୁ ବେହେରା (ଶିକ୍ଷାବିତ୍)

ସଫଳତା / ଉପଲବ୍ଧି

ଅତି ସରଳ ଭାବରେ ଶିକ୍ଷାଦାନ କରିବାର କଳା ଓ କୌଶଳ ଜଣା ଅବସରପ୍ରାପ୍ତ ଶିକ୍ଷାବିତ୍ ଅଭିମନ୍ୟୁ ବେହେରାଙ୍କୁ । ଜଣେ ସଫଳ ଅନୁବାଦକ ଭାବେ ମଧ୍ୟ ତାଙ୍କର ଅଜସ୍ର ଖ୍ୟାତି ରହିଛି । ମାଲାୟଲମ୍ ଭାଷାରୁ ଓଡିଆ ଭାଷାକୁ ଅନୁବାଦ କରିଥିବା ଗଳ୍ପ ବହି 'ଭାତ ଚୋର'କୁ ନେଇ ଦିନେ ଚର୍ଚ୍ଚାରେ ଥିଲେ ଶିକ୍ଷାବିତ୍ ଅଭିମନ୍ୟୁ ବେହେରା । ମାଲାୟଲମ୍ ପୁସ୍ତକ 'ଅଭନ୍'ର ଓଡ଼ିଆ ଅନୁବାଦ କରିଛନ୍ତି ସେ । 'କୋଠଗଡ଼' ସର୍ଟ ଷ୍ଟୋରିଜକୁ ବଙ୍ଗଳାରୁ ଓଡ଼ିଆ ଭାଷାକୁ ମଧ୍ୟ ଅନୁବାଦ କରିଛନ୍ତି ଅଭିମନ୍ୟୁ ବେହେରା । ତାଙ୍କର କାର୍ଯ୍ୟକାଳରେ ପିଲାଙ୍କ ପଢିବା ପାଇଁ ସ୍କୁଲ ଘର ଓ ପ୍ରାଚୀର ନିର୍ମାଣ, ବିଦ୍ୟୁତୀକରଣ, ଏବଂ ପିଇବାପାଣିର ସୁବନ୍ଦୋବସ୍ତ ବି କରିଛନ୍ତି । 2005 ରେ ରାଜ୍ୟସ୍ତରୀୟ ସମ୍ମାନ ସହିତ 2006 ରେ ଜାତୀୟସ୍ତରରେ ଏସ୍.ସି.ଇ.ଆର୍.ଟି ପକ୍ଷରୁ ଆଦର୍ଶ ଶିକ୍ଷକ ସମ୍ମାନ, ଡକ୍ଟର ଆମ୍ବେଦକର ଫେଲୋସିପ୍ ଆଓ୍ୱାର୍ଡ ଭଳି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଶିକ୍ଷାବିତ୍ ଅଭିମନ୍ୟୁ ବେହେରା ।
ନାମ : ପ୍ରଫେସର ହୃଷିକେଶ ସେନାପତି

ସଫଳତା / ଉପଲବ୍ଧି

ଶିକ୍ଷକତା, ଟ୍ରେନିଂ ଏବଂ ଗବେଷଣା କ୍ଷେତ୍ରରେ ଦୀର୍ଘ 25 ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଛନ୍ତି ଶିକ୍ଷାବିତ୍ ପ୍ରଫେସର ହୃଷିକେଶ ସେନାପତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ଦ ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ ବା NCERTର ନିର୍ଦ୍ଦେଶକ ଭାବେ 2015ରୁ କାର୍ଯ୍ୟ କରିଆସୁଛନ୍ତି ପ୍ରଫେସର ସେନାପତି । ବଡ଼କଥା ହେଉଛି NCERTର ସେ ହେଉଛନ୍ତି ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ । ନରେଓ୍ୱ, ବ୍ୟାଙ୍କକ୍, ଚୀନ୍ ଏବଂ ମାଲେସିଆ ଭଳି ଦେଶରେ ଆୟୋଜିତ ଶିକ୍ଷା ସଂପର୍କୀତ କାର୍ଯ୍ୟକ୍ରମରେ ସେ ଭାଗ ନେଇଛନ୍ତି । ଦେଶର ନୂଆ ଏଜୁକେସନ୍ ପଲିସି ଉପରେ କାର୍ଯ୍ୟ କରୁଛନ୍ତି ପ୍ରଫେସର ହୃଷିକେଶ ସେନାପତି । ବିଜେବି କଲେଜରୁ ଗ୍ରାଜୁଏସନ୍ ଏବଂ ଦେବୀ ଅହଲ୍ୟାବାଇ ୟୁନିଭରସିଟିରୁ ଡିଗ୍ରୀ ହାସଲ ପରେ 1997 ରେ ଆସୋସିଏଟ୍ ପ୍ରଫେସର ଏବଂ 2012 ରେ ପ୍ରଫେସର ହୃଷିକେଶ ସେନାପତି ଭୋପାଳ ସ୍ଥିତ ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନର ପ୍ରିନ୍ସିପାଲ ଭାବରେ ଯୋଗଦିଅନ୍ତି । ଭୁବନେଶ୍ୱର ସ୍ଥିତ ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନରେ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ଶିକ୍ଷାବିତ୍ ପ୍ରଫେସର ହୃଷିକେଶ ସେନାପତି । ଶିକ୍ଷକଙ୍କୁ ତାଲିମ୍ ପ୍ରଦାନ କ୍ଷେତ୍ରରେ ସୂଚନା ଓ ବୈଷୟିକ ଜ୍ଞାନ କୌଶଳର ବ୍ୟବହାରକୁ ନେଇ ତାଙ୍କର ବିଶେଷ ଅବଦାନ ରହିଛି ।
ନାମ : ପ୍ରଫେସର ମାଧବ ଚନ୍ଦ୍ର ଦାଶ

ସଫଳତା / ଉପଲବ୍ଧି

ଇକୋଲୋଜି ଏବଂ ପରିବେଶ ବିଜ୍ଞାନରେ ପିଏଚ୍‌ଡି ଲାଭ ପରେ ଓଡିଶା ଏଜୁକେସନ୍ ସର୍ଭିସରେ ଯୋଗଦିଅନ୍ତି ପ୍ରଫେସର ମାଧବ ଚନ୍ଦ୍ର ଦାଶ । ପରେ ଉଭୟ ବ୍ରହ୍ମପୁର ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦୀର୍ଘ 28ବର୍ଷ ଧରି ଶିକ୍ଷକତା କରନ୍ତି ଶ୍ରୀଯୁକ୍ତ ଦାଶ । ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଏବଂ ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି । ଭୁବନେଶ୍ୱର ସ୍ଥିତ ନାଇଜର ଶିକ୍ଷାନୁଷ୍ଠାନରେ 2012ରୁ 2017 ପର୍ଯ୍ୟନ୍ତ ଭିଜିଟିଙ୍ଗ୍ ପ୍ରଫେସର ଭାବେ କାର୍ଯ୍ୟକରିଛନ୍ତି ପ୍ରଫେସର ଦାଶ । Quantitative Ecology, Soil Ecology , Vermitechnology, Bio-diversity ଏବଂ Ecosystem Analysis ଆଦି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ପ୍ରଫେସର ଦାଶଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଛି । ଭାରତ ସରକାରଙ୍କ ପକ୍ଷରୁ ଦାସିଏଲା ଜିଆର ଗୋଟିଏ ଜିନସ୍ ଏବଂ ଅନ୍ୟ ଦୁଇଟି ସ୍ପେସିସ୍ ର ନାମକରଣ ପ୍ରଫେସର ଦାଶଙ୍କ ନାଁରେ କରାଯାଇଛି । ଯାହାକି ଏକ ବିରଳ କୃତିତ୍ୱ । ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସରୁ ଫେଲୋସିଫ୍ ହାସଲ କରିବା ସହିତ ଦେଶର ବିଭିନ୍ନ ନାଁକରା ଶିକ୍ଷାନୁଷ୍ଠାନରୁ ମଧ୍ୟ ଫେଲୋସିପ୍ ହାସଲ କରିଛନ୍ତି ପ୍ରଫେସର ମାଧବ ଚନ୍ଦ୍ର ଦାଶ । ସେ ଭାରତୀୟ ବିଜ୍ଞାନ କଂଗ୍ରେସର ଆଜୀବନ ସଦସ୍ୟ ମଧ୍ୟ ରହିଛନ୍ତି । ପରିବେଶ ବିଜ୍ଞାନ ଏବଂ ପ୍ରକୃତି ସଂରକ୍ଷଣ ପାଇଁ 2018ରେ ଡକ୍ଟର ଅବଦୁଲ କଲାମ ଆଓ୍ୱାର୍ଡରେ ସେ ସମ୍ମାନିତ ହୋଇଛନ୍ତି । ଏହାବ୍ୟତୀତ ସାମନ୍ତ ଚନ୍ଦ୍ରଶେଖର ଆଓ୍ୱାର୍ଡ ଏବଂ ଓଡ଼ିଶା ସରକାରଙ୍କ ଠାରୁ ସିନିୟର୍ ସାଇଣ୍ଟିଷ୍ଟ୍ ଆଓ୍ୱାର୍ଡ ସହିତ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି ପ୍ରଫେସର ଦାଶ । ପ୍ରଫେସର ଦାଶଙ୍କ ତତ୍ତ୍ୱାବଧାନରେ 34 ଜଣ ଛାତ୍ରଛାତ୍ରୀ ପିଏଚଡି ଲାଭକରିଛନ୍ତି । ଏ ପର୍ଯ୍ୟନ୍ତ 78 ଟି ପାଠ୍ୟକ୍ରମ ଏବଂ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି ପ୍ରଫେସର ମାଧବ ଚନ୍ଦ୍ର ଦାଶ ।
ନାମ : ପ୍ରଫେସର ସଂଘମିତ୍ରା ମହାନ୍ତି

ସଫଳତା / ଉପଲବ୍ଧି

ଓଡ଼ିଶା ବିଜ୍ଞାନ ଏକାଡ଼େମୀର ଅଧ୍ୟକ୍ଷ ପ୍ରଫେସର ସଂଘମିତ୍ରା ମହାନ୍ତି । ଇଣ୍ଡିଆନ ଲାଙ୍ଗୁଏଜ୍‌ ଟେକେ୍ନାଲୋଜି ସଲ୍ୟୁସନ୍‌ସ ର ୧୩ ଟି ବିଭାଗରେ ପ୍ରଫେସର ମହାନ୍ତିଙ୍କର Intellectual property Rights ରହିଛି। ଆନ୍ତର୍ଜାତିକ ମାଗାଜିନ୍‌ରେ ତାଙ୍କର ୧୬୦ରୁ ଊର୍ଦ୍ଧ ଗବେଷଣାତ୍ମକ ଆର୍ଟିକିଲ ପ୍ରକାଶ ପାଇଛି। ୨୦୧୨ରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କୁ ସାମନ୍ତ ଚନ୍ଦ୍ରଶେଖର ଆୱାର୍ଡରେ ସମ୍ନାନୀତ କରାଯାଏ ।

VOTING CLOSE

Business

ନାମ : ବାବୁରାମ ସ୍ବାଇଁ (ଜୟଦୁର୍ଗା କେମିକାଲ୍ସ)

ସଫଳତା / ଉପଲବ୍ଧି

କେମିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ପରେ ଜୟଦୁର୍ଗା ହୋମ୍ କେୟାର ପ୍ରଡକଟ୍ ନାମରେ ଏକ ବ୍ୟବସାୟିକ କଂପାନୀ ଆରମ୍ଭ କରନ୍ତି ବାବୁରାମ ସ୍ୱାଇଁ । 1999 ରେ ମାତ୍ର 50 ହଜାର ଟଙ୍କା ବିନିଯୋଗରେ ଏସବୁ ସାମଗ୍ରୀ ସେ ପ୍ରସ୍ତୁତ କରନ୍ତି । ପ୍ରାୟ 12 ହଜାର ଲୋକଙ୍କୁ ଫିନାଇଲ, ଧୂପକାଠି ଓ ଡିଟରଜେଣ୍ଟ୍ ପ୍ରସ୍ତୁତି ସଂପର୍କରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ଏହି ବ୍ୟବସାୟୀ। ପରେ ଜୟଦୁର୍ଗା ପେଟ୍ ଇଣ୍ଡଷ୍ଟ୍ରିଜ୍ ନାମରେ ଆଉ ଏକ ଉଦ୍ୟୋଗ ପ୍ରତିଷ୍ଠା କରନ୍ତି ବାବୁରାମ । ଏଥିରେ ସେ ପ୍ଲାଷ୍ଟିକ ବୋତଲ ଏବଂ ଠିପି ତିଆରି କରୁଛନ୍ତି । ବାବୁରାମଙ୍କ ଏହି 3ଟି ଉଦ୍ୟୋଗରେ ପ୍ରତ୍ୟକ୍ଷ ଭାବରେ 50ଜଣ ନିଯୁକ୍ତି ପାଇଥିବା ବେଳେ ପରୋକ୍ଷ ଭାବେ 12 ହଜାର ଲୋକେ ଉପକୃତ ହେଉଛନ୍ତି । 2018-19 ଆର୍ଥିକ ବର୍ଷରେ ବାବୁରାମଙ୍କ କଂପାନୀ 5 କୋଟି ଟଙ୍କାର କାରବାର କରିବାରେ ସଫଳ ହୋଇଛି । ଏବେ ତାଙ୍କ କାରଖାନାର ପ୍ରାୟ 70 ରୁ 80 ପ୍ରକାରର ଉତ୍ପାଦ ବଜାରରେ ଉପଲବ୍ଧ । ପ୍ରାୟ 1 ହଜାର ଡିଲରଙ୍କ ଦ୍ୱାରା ଝାଡଖଣ୍ଡ ଓ କଲିକତାରେ ମଧ୍ୟ ତାଙ୍କ କଂପାନୀର ଉତ୍ପାଦ ବିକ୍ରୀ ହେଉଛି । 2017-18 ରେ ବାବୁରାମଙ୍କ ପ୍ରଡକସନ୍ କଂପାନୀକୁ ବେଷ୍ଟ SME ଆଓ୍ୱାର୍ଡ ଏବଂ 2018-19 ରେ ବେଷ୍ଟ୍ ମ୍ୟାନୁଫ୍ୟାକ୍ଚର ଆଓ୍ୱାର୍ଡ ମିଳିଛି ।
ନାମ : ବିଚିତ୍ରାନନ୍ଦ ସେନାପତି (ହୋମଫିଲ୍ସ)

ସଫଳତା / ଉପଲବ୍ଧି

ଗ୍ରାହକଙ୍କୁ ଘରୋଇ ମସଲାର ସ୍ୱାଦ ଚଖାଇବା ଉଦ୍ଦେଶ୍ୟରେ 2012ରେ ଆରମ୍ଭ ହୁଏ ହୋମଫିଲ୍ସ ମସଲା କଂପାନୀ । ଯାହାର ମ୍ୟାନେଜିଂ ଡିରେକ୍ଟର ହେଉଛନ୍ତି ବିଚିତ୍ରାନନ୍ଦ ସେନାପତି । ମାତ୍ର 40 ରୁ 50 ହଜାର ଟଙ୍କା ବିନିଯୋଗରେ କେବଳ 5ଟି ଦ୍ରବ୍ୟରୁ ଆରମ୍ଭ ହୋଇ ହୋମଫିଲ୍ସ ବ୍ରାଣ୍ଡରେ ଆଜି 300 ପ୍ରକାରର ଦ୍ରବ୍ୟ ଉତ୍ପାଦନ ହୋଇପାରୁଛି । ଏହି କଂପାନୀ ପ୍ରତ୍ୟକ୍ଷ ଭାବେ 40 ଜଣ ଓ ପରୋକ୍ଷ ଭାବେ 50 ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛି । 2015 ରେ Young Entrepreneur Award, 2016 ରେ MSME ଆଓ୍ୱାର୍ଡ, 2017 ରେ ଓଡିଶା Business ଆଓ୍ୱାର୍ଡ, 2018 ରେ ଓଡିଶା ଷ୍ଟେଟ୍ ଏକ୍ସପୋର୍ଟ ଆଓ୍ୱାର୍ଡ ଏବଂ 2019 ରେ ରାଜ୍ୟପାଳଙ୍କ ଠାରୁ ବେଷ୍ଟ୍ ସ୍ମଲ୍ ସ୍କେଲ୍ Entrepreneur of Odisha Award ପାଇବାରେ ସଫଳ ହୋଇଛି ବିଚିତ୍ରାନନ୍ଦ ସେନାପତିଙ୍କ ହୋମଫିଲ୍ସ ମସଲା କଂପାନୀ ।
ନାମ : ସବ୍ୟସାଚୀ ପଟ୍ଟନାୟକ

ସଫଳତା / ଉପଲବ୍ଧି

TCube Solutuions Pvt Ltd ର ନିର୍ଦେଶକ ଏବଂ Capgemini Technology Services India Ltd ର ଅନ୍ୟତମ ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ପଟ୍ଟନାୟକ । CET ରୁ ଡିଗ୍ରୀ ହାସଲ ପରେ HCL ଏବଂ Infosys ଭଳି IT କଂପାନିରେ ସେ ଚାକିରି କରନ୍ତି । 'ଯଦି ବଡ଼ କଂପାନୀ ପାଇଁ ଏତେ ଭଲ କାମ କରିପାରୁ, ତେବେ ନିଜେ କାହିଁକି ନିଜ ରାଜ୍ୟରେ କଂପାନୀ ନଗଢିବୁ', ଏମିତି କିଛି ପ୍ରତିବଦ୍ଧତା ସହିତ ଆଗକୁ ବଢନ୍ତି ସବ୍ୟସାଚୀ । Infosys ,ଆମେରିକାରେ ଚାକିରି କରୁଥିବା ବେଳେ 2007ରେ 4ଜଣ ବିଜନେସ୍ ପାର୍ଟନରଙ୍କ ସହଯୋଗରେ ରୂପନିଏ TCube Solutuions Pvt Ltd । ସର୍ବମୋଟ୍ 16 ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୁଏ TCube କଂପାନୀ ତା'ପରେ ଆମେରିକାରେ TCubeର ଏକ ୟୁନିଟ୍ ମଧ୍ୟ କାର୍ଯକ୍ଷମ ହୁଏ । Non – Life insurance ବା General Insurance Domain ହେଉଛି ଏହି କଂପାନୀର ମୁଖ୍ୟ ବ୍ୟବସାୟ । କ୍ଲାଏଣ୍ଟସ୍ ଙ୍କୁ software ର ପ୍ୟାକେଜ୍ ସେବା ଯୋଗାଇଦେବା ହେଉଛି TCube କଂପାନୀର କାମ । ସବ୍ୟସାଚୀଙ୍କ ଏହି ପ୍ରଡକ୍ଟ ମାର୍କେଟରେ ଅତି ସହଜରେ ପ୍ରବେଶ କରିବା ସହ ବେଶ୍ ଭଲ ଚାଲେ । ଏବେ ଭୁବନେଶ୍ୱରରେ ପାଖାପାଖି 200 ପେଶାଦାର୍ କର୍ମଚାରୀ ସବ୍ୟସାଚୀଙ୍କ ଏହି କଂପାନୀରେ କାମ କରୁଛନ୍ତି । 2017ରେ Capgemini ଅଧୀନକୁ ଚାଲିଯାଏ TCube କଂପାନୀ । ଆଉ ସବ୍ୟସାଚୀ ଏହି କଂପାନୀର ବରିଷ୍ଠ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣକରନ୍ତି । ଆଗକୁ ଏହି କଂପାନୀ ଅଧିକରୁ ଅଧିକ ଚାକିରି ସୃଷ୍ଟିକରିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ସବ୍ୟସାଚୀ ପଟ୍ଟନାୟକ ।
ନାମ :ସଂଗ୍ରାମ କୁମାର ଦାଶ (ହରି ଉଦ୍ୟୋଗ)

ସଫଳତା / ଉପଲବ୍ଧି

ଦୀର୍ଘ 26 ବର୍ଷରୁ ଅଧିକ ସମୟ ଧରି ବ୍ୟବସାୟ ସହିତ ଜଡିତ ଅଛନ୍ତି ହରି ଡିଷ୍ଟ୍ରିବ୍ୟୁଟର୍ସ ପ୍ରାଇଭେଟ୍ ଲିମିଟେଡ୍ ର ମ୍ୟାନେଜିଙ୍ଗ୍ ଡିରେକଟର୍, ସଂଗ୍ରାମ କୁମାର ଦାଶ । 1992 ରେ ଓଡିଶା ରବର୍ ପ୍ରଡକଟସ୍ ପାର୍ଟନର୍ଶିପରୁ ଆରମ୍ଭ ହୁଏ ତାଙ୍କର ବିଜନେସ୍ କ୍ୟାରିୟର । 1994ରେ ଏସ୍.ଆର୍. ଆକ୍ୱା ପ୍ରଡକଟସ୍ ର ମ୍ୟାନେଜିଙ୍ଗ୍ ପାର୍ଟନର ହୁଅନ୍ତି ଏବଂ 1999 ରେ ହରି ଡିଷ୍ଟ୍ରିବ୍ୟୁଟର୍ସ ପ୍ରାଇଭେଟ୍ ଲିମିଟେଡର ମ୍ୟାନେଜିଙ୍ଗ୍ ଡିରେକଟର୍ ହୋଇଯାନ୍ତି ସଂଗ୍ରାମ । 2004 ରେ ହରି ମୋଟର୍ସ ପ୍ରାଇଭେଟ୍ ଲିମିଟେଡର ଡିରେକଟର ଏବଂ 2006ରେ ହରି ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦ୍ଦେଶକ ପଦ ସମ୍ଭାଳନ୍ତି ସେ । 2008 ରେ ହୋଟେଲ୍ ନାଗେଶ୍ୱରର ମ୍ୟାନେଜିଙ୍ଗ୍ ପାର୍ଟନର ଭାବେ ଦାୟିତ୍ୱ ନିଅନ୍ତି ସଂଗ୍ରାମ । 2016 ରେ ହରି ମାରାଇନ୍ ପ୍ରାଇଭେଟ୍ ଲିମିଟେଡ୍ ର ଡିରେକଟର ଦାୟିତ୍ୱ ନିଅନ୍ତି ସଫଳ ଉଦ୍ୟୋଗୀ ସଂଗ୍ରାମ କୁମାର ଦାଶ । ଏବେ ସଂଗ୍ରାମଙ୍କର କଂପାନୀରେ ପ୍ରତ୍ୟକ୍ଷ ଭାବେ 311 କର୍ମଚାରୀ ଏବଂ ପରୋକ୍ଷ ଭାବରେ 700 କର୍ମଚାରୀ ନିଯୁକ୍ତି ପାଇଛନ୍ତି ।

VOTING CLOSE

Art & Culture

ନାମ : ବାଦଲ ଶିକଦାର (ମୋଗଲ ତାମ୍ ନାଟ୍ୟ ନିର୍ଦ୍ଦେଶକ)

ସଫଳତା / ଉପଲବ୍ଧି

ଗୁରୁ ବାଦଲ ଶିକଦାର । ଜଣେ ଉତ୍ସର୍ଗୀକୃତ ଅଭିନେତା ଏବଂ ମୋଗଲ ତାମସା ଲୋକନଟକର ନିର୍ଦ୍ଦେଶକ ଭାବେ ସେ ବେଶ୍ ପରିଚିତ । ଥିଏଟର ଏବଂ ଅପେରା ଯେମିତି ତାଙ୍କର ଜୀବନ । 150ରୁ ଅଧିକ ନାଟକରେ ଅଭିନୟ କରିବା ସହ ଅନେକ ନାଟକର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଭଦ୍ରକ ସ୍ଥିତ ସଂକେତ ନାଟ୍ୟସଂସ୍ଥାର ଅଭିନେତା ଓ ଅଭିନେତ୍ରୀଙ୍କୁ ମୋଗଲ ତାମସାର ନାଟ୍ୟ ନିର୍ଦ୍ଦେଶନା ଦେଇଥାନ୍ତି ଗୁରୁ ବାଦଲ ଶିକଦାର । ମୋଗଲ ତାମସା ଭଳି ଏକ ଲୋକ ନାଟକକୁ ବଂଚାଇ ରଖିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଲୋକନୃତ୍ୟ ମୋଗଲ ତାମସାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରେ ଉଦ୍ୟମ କରିଆସିଛନ୍ତି ଏହି ନାଟ୍ୟ ନିର୍ଦ୍ଦେଶକ । ଓଡ଼ିଆ ଚଳଚ୍ଚିତ୍ର 'ଇସ୍କ ତୁ ହି ତୁ'ରେ ମୋଗଲ ତାମସାର କଳକାରଙ୍କ ସହିତ ସେ ନିଜେ ଗୁରୁ ଭାବେ ଅଭିନୟ କରିଛନ୍ତି । ନାଟ୍ୟ ଜଗତକୁ ମହତ୍ତ୍ଵପୂର୍ଣ୍ଣ ଅବଦାନ ପାଇଁ 2008ରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ରାଜୀବ ଗାନ୍ଧୀ କଳା ସମ୍ମାନ ସହିତ ବହୁ ସମ୍ମାନ ଓ ସ୍ଵୀକୃତି ପାଇଛନ୍ତି ଗୁରୁ ବାଦଲ ଶିକଦାର ।
ନାମ : ଟସର୍ ଶିଳ୍ପଗୁରୁ କ୍ଷେତ୍ରମୋହନ ମେହେର

ସଫଳତା / ଉପଲବ୍ଧି

ବାନ୍ଧକଳା, ବୁଟା ଏବଂ କୁମ୍ଭ କାମରେ ସେ ବେଶ୍ ନିପୁଣ । ବିଶେଷ କରି ଉଚ୍ଚକୋଟୀର ଏବଂ ଆକର୍ଷଣୀୟ ଟସର ଶାଢ଼ୀ ତିଆରି ପାଇଁ ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରିଛନ୍ତି ବରଗଡ଼ ଜିଲ୍ଲା ବରପାଲିର ବିଶିଷ୍ଠ ଟସର୍ ଶିଳ୍ପଗୁରୁ କ୍ଷେତ୍ରମୋହନ ମେହେର । କ୍ଷେତ୍ରମୋହନଙ୍କ ଦ୍ଵାରା ପ୍ରସ୍ତୁତ ‘ବ୍ରଜସୁନ୍ଦରୀ’ ଶାଢ଼ୀର ବିଶେଷତ୍ୱ ହେଉଛି ଶାଢ଼ୀରେ ବୁଣା ହୋଇଥିବା କବି ଜୟଦେବଙ୍କ ‘ଗୀତଗୋବିନ୍ଦ’ ପଦପଂକ୍ତି । ବ୍ରଜସୁନ୍ଦରୀ ଶାଢ଼ୀ ପାଇଁ ସେ ସନ୍ଥ କବୀର ଓ ଜାତୀୟ ପୁରସ୍କାର ପାଇଛନ୍ତି । ବସ୍ତ୍ର ବୟନ ପ୍ରତି ଯୁବ ପିଢ଼ୀଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ପାଇଁ ବ୍ୟକ୍ତିଗତ ଉଦ୍ୟମରେ ସେ ଗଢ଼ିଛନ୍ତି ସନ୍ତୋଷିନୀ ହ୍ୟାଣ୍ଡଲୁମ୍। 73 ବର୍ଷ ବୟସରେ ବି ସେ ପ୍ରତିଦିନ ବୁଣାକାରମାନଙ୍କୁ ଶାଢ଼ୀ ବୁଣିବା ସଂପର୍କରେ ତାଲିମ ଦେଇଥାନ୍ତି । ଏବେ ପ୍ରାୟ 60 ଜଣ ଯୁବକଯୁବତୀ ଶିଳ୍ପଗୁରୁ କ୍ଷେତ୍ରମୋହନଙ୍କ ଠାରୁ ଶାଢୀବୁଣାର କଳା ଓ କୌଶଳ ଶିଖିବା ସହ ଅନେକ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । କ୍ଷେତ୍ରମୋହନଙ୍କ ଦ୍ୱାରା ତିଆରି ଶାଢ଼ୀର ମୂଲ୍ୟ 25ଶହ ଟଙ୍କାରୁ ଆରମ୍ଭ କରି 7ଲକ୍ଷ 50ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।
ନାମ : କିଶୋର ଚନ୍ଦ୍ର ରଥ (’ଢୁଂପା ସଙ୍ଗୀତର ପୃଷ୍ଠପୋଷକ ଏବଂ ବ୍ୟଙ୍ଗ ଚିତ୍ରଶିଳ୍ପୀ)

ସଫଳତା / ଉପଲବ୍ଧି

କିଶୋରଙ୍କର ନିଶା ଏବଂ ପେଶା ହେଉଛି ସାଂପ୍ରତିକ ଘଟଣାବଳୀର ବ୍ୟଙ୍ଗଚିତ୍ର ପରିବେଷଣ । ଜଣେ ବ୍ୟଙ୍ଗ ଚିତ୍ରଶିଳ୍ପୀ ଭାବେ ସାରା ଓଡ଼ିଶାରେ ବେଶ୍ ପରିଚିତ କିଶୋର ଚନ୍ଦ୍ର ରଥ । ଏହା ସହିତ ପାରଂପରିକ ଲୋକବାଦ୍ୟ 'ଢୁଂପା ସଙ୍ଗୀତ'କୁ ବଞ୍ଚାଇ ରଖିବାରେ କିଶୋରଙ୍କ ଅବଦାନ ଅବିସ୍ମରଣୀୟ । 'ଢୁଂପା ବାଦ୍ୟ ସଂଗୀତ' ଉପରେ ଗବେଷଣା କରିବା ସହ ନୟାଗଡ ଖଣ୍ଡପଡ଼ାର ’ଗଦାଧର ଢୁଂପା ସଂଗୀତ ପରିଷଦ'ର ସଂପାଦକ ଭାବେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ଏହି ବିରଳ ଲୋକକଳାକୁ ରାଜ୍ୟ ତଥା ରାଜ୍ୟ ବାହାରେ ଅଧିକ ଲୋକପ୍ରିୟ କରିବାରେ କିଶୋରଙ୍କର ବଡ଼ ଅବଦାନ ରହିଛି । 'ଢୁଂପା ସଙ୍ଗୀତ' କୁ ବଂଚାଇ ରଖିବାକୁ ନିଜ ପୁଅଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି କିଶୋର । ଦୈନିକ ଓଡ଼ିଆ ଖବରକାଗଜ 'ସମ୍ବାଦ' ସହିତ ଓଡ଼ିଶାର ବହୁ ପତ୍ର ପତ୍ରିକାରେ କିଶୋରଙ୍କର ବ୍ୟଙ୍ଗଚିତ୍ର ପ୍ରକାଶିତ ହୋଇ ବେଶ୍ ଆଦୃତ ହୋଇପାରିଛି ।
ନାମ : ସଦାଶିବ ପ୍ରଧାନ(ଛଉ ନୃତ୍ୟ ଗୁରୁ)

ସଫଳତା / ଉପଲବ୍ଧି

ଦୀର୍ଘ 39 ବର୍ଷ ଧରି ଛଉ ନୃତ୍ୟର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରିଆସୁଛନ୍ତି ପ୍ରସିଦ୍ଧ ଛଉନୃତ୍ୟ ଶିଳ୍ପୀ, ଗୁରୁ ଏବଂ ଗବେଷକ ସଦାଶିବ ପ୍ରଧାନ । ରାଜ୍ୟ ତଥା ରାଜ୍ୟ ବାହାରେ ଏପରିକି ବିଦେଶରେ ମଧ୍ୟ ଛଉ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି । ଚକ୍ରବ୍ୟୁହ, ଦାଣ୍ଡି ମହାଭାରତ, କୁମୁଦ ବନ୍ଧୁ, ଆରଣ୍ୟକ ଏବଂ କୋ ଅହଂ ଆଦି କଥାବସ୍ତୁକୁ ଛଉନୃତ୍ୟରେ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଛଉନୃତ୍ୟକୁ ଏକ ନୂଆ ଦିଗ ଦେବା ସହିତ ମୟୂରଭଞ୍ଜର ପ୍ରସିଦ୍ଧ ଛଉନୃତ୍ୟର ପରଂପରା ଓ ମୌଳିକତାକୁ ଅକ୍ଷୁର୍ଣ୍ଣ ରଖି ନୃତ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି ଗୁରୁ ସଦାଶିବ ପ୍ରଧାନ । ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଭିଜିଟିଂ ଫ୍ୟାକଲ୍ଟି ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ସେ ଛଉନୃତ୍ୟ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି । ଜଣେ ନାଟ୍ୟକାର ଓ ଗୀତିକାର ଭାବେ ମଧ୍ୟ ତାଙ୍କର ପରିଚିତି ରହିଛି । ’ରକ୍ଷକ ହେଲେ ଭକ୍ଷକ', 'ପ୍ରକୃତି ହିଁ ଜୀବନ','ଆହୁତି' ଆଦି ଅନେକ ପଥପ୍ରାନ୍ତ ନାଟକର ରଚୟିତା । ଛଉନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଛଉନୃତ୍ୟ ଗୁରୁ ସଦାଶିବ ପ୍ରଧାନ ।

VOTING CLOSE

Agriculture

BIJAY
ନାମ : ବିଜୟ କୁମାର ପାଠକ

ସଫଳତା / ଉପଲବ୍ଧି

ଅବସରପ୍ରାପ୍ତ ଯବାନ ଏବେ ଚାଷୀ ଏବଂ ଗୋପାଳକ । ଜୟ ଯବାନ ଜୟ କିଷାନ ଉକ୍ତିକୁ ସାକାର କରି ଦେଖାଇଛନ୍ତି ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସୁରୁଗୁଡ଼ାର ବିଜୟ କୁମାର ପାଠକ । 2015ରେ ମାଡ୍ରାସ୍ ଇଞ୍ଜିନିୟର ଗ୍ରୁପର ସୁବେଦାର ମେଜର ପଦରୁ ଅବସର ପରେ ଏବେ ପୁରା ସମୟ ଗୋ-ପାଳନ ଏବଂ ଦୁଗ୍ଦ ଉତ୍ପାଦନରେ ନିୟୋଜିତ କରିଛନ୍ତି । 10ଟି ଗାଈରୁ ଆରମ୍ଭ କରି ଏବେ 100ରୁ ଅଧିକ ଗାଈ ପାଳନ କରୁଛନ୍ତି ବିଜୟ । ଏହାସହ ଦିନକୁ 200 ଲିଟର କ୍ଷୀର ଉତ୍ପାଦନ କରନ୍ତି । ଏଥିରୁ ସେ ନିଜ ପରିବାରର ପାଞ୍ଚ ପ୍ରାଣୀଙ୍କୁ ପ୍ରତିପୋଷଣ କରିବା ସହ ପ୍ରାୟ 20ଟି ପରିବାରକୁ ରୋଜଗାର ଯୋଗାଇବାରେ ସଫଳ ହୋଇଛନ୍ତି । କେବଳ ଗୋପାଳନ କାହିଁକି ନିଜ ଖର୍ଚ୍ଚରେ 2ଟି ପୋଖରୀ ଖୋଳି ମାଛଚାଷ ବି କରୁଛନ୍ତି । ଢିପ ଜମିରେ ପରିବେଶ ସନ୍ତୁଳନ କରିବା ସହ ପ୍ରାୟ 40 ଏକର ଜମିରେ ଆମ୍ବ, କଦଳୀ, ମକା,ଧାନ, ଘାସଚାଷ କରି ସ୍ଥାନୀୟ ଲୋକଙ୍କୁ ବର୍ଷ ତମାମ କାମ ଯୋଗାଉଛନ୍ତି ବିଜୟ । ଗୋପାଳନ କରି କିଭଳି ଆତ୍ମନିଯୁକ୍ତି ପାଇପାରିବେ ତାକୁ ନେଇ ଗଁ।ର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି ବିଜୟ କୁମାର ପାଠକ ।
mancham
ନାମ : ମଂଚମ୍ କଣ୍ଡଲ ରାଓ (ସଫଳ ଚାଷୀ)

ସଫଳତା / ଉପଲବ୍ଧି

ମଂଚମ୍ କଣ୍ଡଲ ରାଓ । ପ୍ରଥମେ ଦେଢ଼ ଏକର ଅନାବାଦୀ ଜମିକୁ ଚାଷ ଉପଯୋଗୀ କରି ଧାନଚାଷ ଆରମ୍ଭ କରନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ ପ୍ରଧାନପାଲି ଗଁ।ର ମଂଚମ୍ କଣ୍ଡଲ ରାଓ । ଏବେ ସେ ପ୍ରାୟ 50 ଏକର ଜମିରେ ଫଳାଉଛନ୍ତି ସୁନାର ଫସଲ । ନୂଆ ନୂଆ କିସମର ଧାନ ବିହନ ଉତ୍ପାଦନ କରି ବିକ୍ରି କରୁଛନ୍ତି ମଂଚମ୍ । ନିଜର ଚାଷ ଜମିରୁ ପ୍ରାୟ 30 କିସମର ଧାନ ବିହନ ଉତ୍ପାଦନ କରି ବଜାରକୁ ବିକ୍ରି ପାଇଁ ପଠାଉଛନ୍ତି ଏହି ଚାଷୀ । ପ୍ରଥମେ ଓଡ଼ିଶା ଷ୍ଟେଟ୍ ସିଡସ୍ କର୍ପୋରେସନ ବିହନ ଦେଉଥିଲେ । ଏବେ ସେ ନିଜ ଦ୍ବାରା ପ୍ରତିଷ୍ଠିତ ’ଭୂ-ଲକ୍ଷ୍ମୀ ସିଡ୍ସ କଂପାନୀ ଜରିଆରେ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାରଖଣ୍ଡ, ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟକୁ ମଧ୍ୟ ଧାନ ବିହନ ବିକ୍ରୟ ପାଇଁ ପଠାଉଛନ୍ତି । ନିଜର ତିନି ପୁଅଙ୍କ ସହିତ ଦୈନିକ ପ୍ରାୟ 30 ଜଣ ଶ୍ରମିକ ଚାଷ କାର୍ଯ୍ୟ। ଓ ତାଙ୍କ ବିହନ କାରବାରରେ ସହଯୋଗ କରନ୍ତି । ଆଉ ଚାଷ କାର୍ଯ୍ୟ ସମୟରେ ପ୍ରାୟ 200 ଜଣ କାର୍ଯ୍ୟ କରିଥାନ୍ତି । ଏ ସବୁଥିରୁ ବାର୍ଷିକ ପ୍ରାୟ 15କୋଟି ଟଙ୍କାର କାରବାର କରିଥାନ୍ତି ଏବଂ ପ୍ରାୟ 10ଲକ୍ଷ ଟଙ୍କା ଲାଭ ମଧ୍ୟ କରିଥାନ୍ତି ସଫଳ ଚାଷୀ, ମଂଚମ୍ କଣ୍ଡଲ ରାଓ ।
ନାମ : ନେତ୍ରାନନ୍ଦ ଲେଙ୍କା (ସଫଳ ଚାଷୀ)

ସଫଳତା / ଉପଲବ୍ଧି

ରେଞ୍ଜ୍ ଅଫିସର ଭାବେ ଚାକିରିରୁ ଅବସର ନେବା ପରେ କୋରାପୁଟ୍ ଜିଲ୍ଲା ଜୟପୁର ସ୍ଥିତ ପାତ୍ରପୁଟ୍ ଅଂଚଳରେ 5 ଏକର ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରନ୍ତି ନେତ୍ରାନନ୍ଦ ଲେଙ୍କା । ପ୍ରଥମେ 3 ଏକର ଜମିରେ ବାଉଁଶ ଚାଷ ଏବଂ 2 ଏକର ଜମିରେ ସେ 13 କିସମର ଆମ୍ବଚାଷ କରନ୍ତି । ନେତ୍ରାନନ୍ଦଙ୍କ ଚାଷର ବିଶେଷତ୍ବ ହେଉଛି ଶହେ ପ୍ରତିଶତ ଅର୍ଗାନିକ୍ ଫାର୍ମିଂ । ଜୈବସାର ବ୍ୟବହାର କରି ଅନ୍ୟ 4 ଏକର ଜମିରେ ଧାନଚାଷ କରୁଛନ୍ତି ନେତ୍ରାନନ୍ଦ । ଏହାସହ ବିଭିନ୍ନ କିସମର ଧାନବିହନ ସଂରକ୍ଷିତ କରିବାରେ ସଫଳ ମଧ୍ୟ ହୋଇଛନ୍ତି । ରୋଗପୋକ ନିରାକରଣ ପାଇଁ ଲିମ୍ବ କରଞ୍ଜ ଏବଂ ଧୂଆଁପତ୍ର, ଶୁଖିଲା ଲଙ୍କା ଏବଂ ରସୁଣ ସହିତ ହଳଦୀକୁ ସିଝାଇ ସେଥିରୁ ବାହାରୁଥିବା ରସକୁ ଜମିରେ ସ୍ପ୍ରେ କରିଥାନ୍ତି । ଭର୍ମି କଂପୋଷ୍ଟରୁ ବର୍ଷକୁ ପ୍ରାୟ 2ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ନେତ୍ରାନନ୍ଦ । 2010ରେ ’ମା ଲକ୍ଷ୍ମୀ’ ନାମକ ଇଣ୍ଟିଗ୍ରେଟେଡ୍ ଫାର୍ମ ହାଉସ ଏବଂ 2017ରେ ଡାଏରୀ ଫାର୍ମିଂ ଆରମ୍ଭ କରନ୍ତି ନେତ୍ରାନନ୍ଦ । ନେତ୍ରାନନ୍ଦଙ୍କ ଡାଏରୀ ଫାର୍ମରେ ଏବେ 35ଟି ଗାଈ ଓ ବାଛୁରୀ ରହିଛନ୍ତି । ଦୈନିକ ପ୍ରାୟ 70ରୁ 80 ଲିଟର ଦୁଗ୍ଧ ଉତ୍ପାଦନ କରୁଛନ୍ତି ଏହି ଚାଷୀ । ଏହା ସହିତ ସୋରିଷ ଚାଷକରି ଏକର ପିଛା 7 କ୍ବିଣ୍ଟାଲ୍ ବିହନ ଉତ୍ପାଦନ କରିପାରୁଛନ୍ତି । ଏବେ ତାଙ୍କ ଫାର୍ମରେ 15ଜଣ ଶ୍ରମିକ ଜୀବନଜୀବିକା ପାଇପାରୁଛନ୍ତି । ଏ ସବୁରୁ ବାର୍ଷିକ ପ୍ରାୟ 7ଲକ୍ଷ ଟଙ୍କା ରୋଜଗାର କରିବାରେ ସଫଳ ହୋଇପାରିଛନ୍ତି ନେତ୍ରାନନ୍ଦ ଲେଙ୍କା ।
ନାମ : ଶରତ ସାହୁ ଓ ଗୋବିନ୍ଦ ସାହୁ (ସଫଳ ଚାଷୀ)

ସଫଳତା / ଉପଲବ୍ଧି

ନିଜ ବଗିଚାରେ ତିନିକେଜି ଓଜନର ଆମ୍ବ ଫଳାଇବାକୁ ନେଇ ଚର୍ଚ୍ଚାରେ ଅଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ମାରବାଇଗୁଡ଼ା ଗାଁ ର ଦୁଇ ଚାଷୀଭାଇ, ଶରତ ସାହୁ ଓ ଗୋବିନ୍ଦ ସାହୁା ଆଧୁନିକ ଜ୍ଞାନ କୌଶଳ ଏବଂ ପାରଂପରିକ କୃଷି ପଦ୍ଧତିର ଉପଯୋଗ କରି ନିଜ ଜମିରେ ଧାନ, ମାଣ୍ଡିଆ, ଆଖୁ, ମକା, କାନ୍ଦୁଲ ଭଳି ଲାଭଜନକ ଫସଲ ସହ ବିଭିନ୍ନ ପ୍ରକାର ଫଳଚାଷ କରିଛନ୍ତି ଏହି ଦୁଇ ଚାଷୀ ଶରତ ଏବଂ ଗୋବିନ୍ଦଙ୍କ ବଗିଚାରେ ଫଳିଥିବା ଏହି ମିଠାଲେମ୍ବୁର ଚାହିଦା ବି କିଛି କମ୍ ନାହିଁ। ଘର ଓ ବାଡ଼ିରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ଜୈବିକ ସାର ପ୍ରସ୍ତୁତକରି ନିଜ ଜମିରେ ପ୍ରୟୋଗ କରୁଛନ୍ତି ଶରତ ଏବଂ ଗୋବିନ୍ଦ। () ଆମ୍ବଚାରା ପ୍ରସ୍ତୁତ ସହିତ ସ୍ଥାନୀୟ ଆଦିବାସୀ ଯୁବକଙ୍କୁ ଆମ୍ବ ଏବଂ ଅନ୍ୟ ଫଳଗଛର କଲମୀକରଣ ସଂପର୍କରେ ଶିକ୍ଷା ଦେଇଥାନ୍ତି ଶରତ ଏବଂ ଗୋବିନ୍ଦ । ଉଦ୍ଦେଶ୍ୟ, ଯୁବଚାଷୀଙ୍କୁ ସ୍ବାବଲମ୍ବୀ କରାଇବା ନିଜ ଚାଷଜମିରେ ସେଓଚାଷ କରି କୋରାପୁଟ ଭଳି ସ୍ଥାନ ସେଓ ପାଇଁ ଉପଯୋଗୀ ବୋଲି ପ୍ରମାଣିତ କରିଛନ୍ତି ଏହି ଦୁଇ ଭାଇ । ଏହାସହ ବିଭିନ୍ନ କିସମର ଆମ୍ବ, ପିଜୁଳି, ଲେମ୍ବୁ ଆଦି ଚାରା ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଜଙ୍ଗଲ ଜମିରେ ଚାରାରୋପଣ ପରେ ଏହାର ରକ୍ଷଣାବେକ୍ଷଣ ଉପରେ ମଧ୍ୟ ପ୍ରଶିକ୍ଷଣ ଦେଇଥାନ୍ତି ଏହି ସଫଳ ଚାଷୀ ଏବେ ଆଖପାଖର ପ୍ରାୟ 20ଟି ଗ୍ରାମର ଆଦିବାସୀମାନଙ୍କୁ ଚାଷଭିତ୍ତିକ ଶିକ୍ଷା ପ୍ରଦାନ କରି ଉଦାହରଣ ସାଜିଛନ୍ତି ଶରତ ଏବଂ ଗୋବିନ୍ଦ ।

VOTING CLOSE