• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: (ରିପୋର୍ଟ- ମନୋଜ ସ୍ୱାଇଁ, ମନୋଜ ମୁନି, ଶିବାନନ୍ଦ ରାଉତ): ଦିନକ ପରେ ଆଣ୍ଡାମାନ ସାଗରରେ ଲଘୁଚାପ । ଡିସେମ୍ବର ୨ରେ ଅବପାତ ସମ୍ଭାବନା । ପରେ ନେଇପାରେ ବାତ୍ୟାର ରୂପ । ପବନ ସହ ୩ରୁ ୫ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷାଓଡ଼ିଶାକୁ ପୁଣି ବାତ୍ୟା ଆଶଙ୍କା । ଡିସେମ୍ବର ୨ରୁ ୫ ଯାଏଁ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷିପାରେ । ପାଣିପାଗ ବିଭାଗର ଏଭଳି ଆକଳନ ପରେ ବଢ଼ିଛି ଚିନ୍ତା । ୩୦ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସଂପର୍କରେ ଚିତ୍ର ଅଧିକ ସ୍ପଷ୍ଟ ହେବ । ତେବେ ଏହାର ପ୍ରଭାବ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପରେ ପଡ଼ିବ ବୋଲି ପୂର୍ବାନୁମାନ କରାଯାଇଛି ।  

ଖୋଦ ଆଇଏମ୍‌ଡି ଡିଜିଙ୍କ ଏଭଳି ଆକଳନ ପରେ ସାରା ରାଜ୍ୟରେ ଛନକା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧୀରେ ଧୀରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଡିସେମ୍ବର ୨ ତାରିଖ ବେଳକୁ ଘନୀଭୂତ ହୋଇ ଅବପାତର ରୂପ ନେବାପରେ ବାତ୍ୟାର ସ୍ଥିତି ସ୍ପଷ୍ଟ ହେବ । ଏହାର ପ୍ରଭାବରେ ୩ ତାରିଖରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇପାରେ ।

ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ଏହା ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲା ଏବଂ ପରେ ଉତ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ତେବେ କେଉଁ ଜିଲ୍ଲାରେ କେତେ ବର୍ଷା ହେବ, ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାପରେ ସ୍ପଷ୍ଟ ହେବ । ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ଡିସେମ୍ବର ୨ରୁ ୫ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଏପଟେ ସମ୍ଭାବ୍ୟ ଲଘୁଚାପ ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି SRC । ଦକ୍ଷିଣ ଉପକୂଳ ସହ ୬ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ,ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ବର୍ଷା ସମ୍ଭାବନା ଥିବା ଏସ୍ଆରସି ଜଣାଇଛନ୍ତି ।

ଏବେ ଧାନ ଅମଳ ସମୟ । କେଉଁଠି କଟା ଧାନ ବିଲରେ ପଡିଛି ତ ଆଉ କେଉଁଠି ଧାନ କାଟି ଖଳାକୁ ନେଉଛି ଚାଷୀ । ଏତିକି ବେଳେ ଯଦି ବର୍ଷା ହୁଏ ତେବେ ଚାଷୀଙ୍କ ଅବସ୍ଥା ସାଂଘାତିକ ହେବ । କାରଣ ୧୫ ଦିନ ତଳେ ହୋଇଥିବା ବର୍ଷାରେ ରାଜ୍ୟର ଅନେକ ସ୍ଥାନରେ ପାଚିଲା ଧାନକୁ ବ୍ୟାପକ କ୍ଷତି ହୋଇଥିଲା । ଏବେ ପୁଣି ବର୍ଷା ଡରକୁ ଦେଖି ଚାଷୀକୁଳ ହତାଶ ହୋଇପଡିଛନ୍ତି ।

ଚଳିତ ବର୍ଷ ଆରମ୍ଭରୁ ପାଗ ଭଲ ଥିବାରୁ ଭଳ ଫସଲ ହୋଇଛି । ତେବେ ନଭେମ୍ବର ମାସ ସାରା ବର୍ଷା ଓ ଡିସେମ୍ବର ଆରମ୍ଭରୁ ବର୍ଷା ସମ୍ଭାବନା ଧାନ ଅମଳ ପାଇଁ କାଳ ହୋଇପାରେ ।