• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ବାତ୍ୟା ଭୟ। ସମୁଦ୍ରରୁ ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ବାତ୍ୟା ଗୁଲାବ। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଆନ୍ଧ୍ରର କଳିଙ୍ଗପଟନମ୍ ଓ ଗୋପାଳପୁର ମଝିରେ ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ୍ ଅର୍ଥାତ୍ ସ୍ଥଳଭାଗ ଅତିକ୍ରମ କରିପାରେ। ଏହି ସମୟରେ ପବନର ବେଗ ଘଣ୍ଟାକୁ ୭୫ରୁ ୮୫ ଏବଂ ଝଟକା ପବନ ୯୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ପ୍ରଭାବରେ ଆସନ୍ତାକାଲି ଓ ୨୭ ତାରିଖରେ ଉପକୂଳ ଓଡିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ବିଶେଷ କରି ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅତ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା ରହିଛି। ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଗଞ୍ଜାମ, ଶ୍ରୀକାକୁଲମ୍ ଓ ବିଜୟନଗରମ୍ ଜିଲ୍ଲାର ଉପକୂଳରେ ଅଧମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ। ତେଣୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ବାତ୍ୟା ଗୁଲାବ ଯୋଗୁଁ ରାଜ୍ୟର ୭ଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆକଳନ ଅନୁସାରେ ଏହିସବୁ ଜିଲ୍ଲାରେ ପବନର ତୀବ୍ରତା ସେତେ ଅଧିକ ନହେଲେ ବି ଆସନ୍ତାକାଲିଠୁ ଦୁଇ ଦିନ ଯାଏ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେଣୁ ଆସନ୍ତାକାଲି ପାଇଁ ଏଇ ସାତଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୭ତାରିଖ ପାଇଁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

ପ୍ରବଳ ବର୍ଷାରୁ କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ୍ ବା ଅଚାନକ ବନ୍ୟା ସହ, ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ମଧ୍ୟ ବନ୍ୟା ଆସିପାରେ। ଏପରିକି ଗଜପତି ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ବି ରହିଛି। ତେଣୁ ଏଥିପାଇଁ ସରକାର ସବୁ ପ୍ରକାର ପ୍ରସ୍ତୁତ ଥିବା ଏବଂ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଓଡ୍ରାଫରେ ୪୨, ଏନ୍‌ଡିଆରଏଫ୍‌ରେ ୨୪ ଓ  ଅଗ୍ନିଶମ ବାହିନୀର ୧୦୨ଟି ଟିମ୍ ମୁତୟନ କରାଯିବା ନେଇ ସୂଚନା ଦେଇଛନ୍ତି ଏସଆରସି। ଏନଡିଆରଏଫ ଡିଜି ମଧ୍ୟ ଉଭୟ ଓଡ଼ିଶା ଆନ୍ଧ୍ରପ୍ରଦେଶରେ NDRF ଟିମ୍ ଆଲର୍ଟ ଥିବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଏପଟେ ସମ୍ଭାବ୍ୟ ବାତ୍ୟା ବିପତ୍ତିକୁ ଦେଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ବି ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ତହସିଲଦାର ଓ ବିଡିଓଙ୍କୁ ସଜାଗ କରାଯିବା ସହ ପାହାଡ଼ିଆ ଓ ତଳିଆ ଅଞ୍ଚଳ ଲୋକଙ୍କୁ ନିରାପଦ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଫ୍ଲାସ୍ ଫ୍ଲଡ୍ ଯୋଗୁଁ କ୍ଷୟକ୍ଷତିର ସମ୍ଭାବନାକୁ ଦୃଷ୍ଟିରେ ରଖି ମାଲକାନାଗିରି ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ମଧ୍ୟ ବ୍ୟାପକ ପ୍ରସ୍ତୁତି ସହ ସତର୍କତା ମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ବାତ୍ୟା ଗୁଲାବ ପ୍ରଭାବରେ ଆସନ୍ତାକାଲିଠୁ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡିଠୁ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।