• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କନ୍ଧମାଳ(ତ୍ରିନାଥ ସାହୁ) : ରାଜ୍ୟରୁ ସମ୍ପୂର୍ଣ ଭାବେ ମୌସୁମୀ ଚାଲିଯିବା ପରେ ବର୍ତ୍ତମାନ କନ୍ଧମାଳ ଜିଲ୍ଲାକୁ ଶୀତ ଛୁଇଁଛି । ତାପମାତ୍ରା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଶୀତ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିଅସ ତଳେ ଥିବାବେଳେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଆଉ ପହିଲି ଶୀତକୁ ସ୍ୱାଗତ କରିବା ସହ ସକାଳର ଘନ କୁହୁଡିଆ ପାଗ କୋହଲା ଶୀତ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ଲୋକ ମାନେ ।

କନ୍ଧମାଳ ଜିଲ୍ଲାକୁ ଘେରି ରହିଛି ଘଞ୍ଚ ବନାନୀ ଓ ପାହାଡ ପର୍ବତ । ଏହି ଜିଲ୍ଲାରେ ଶୀତ ପ୍ରାୟତଃ ଅକ୍ଟୋବର ମାସରୁ ଆରମ୍ଭ ହୋଇ ଫେବୃୟାରୀ ମାସ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ । ତେଣୁ ଚଳିତ ବର୍ଷ ମଧ୍ୟ ଜିଲ୍ଲାକୁ ପ୍ରାୟତଃ ସଠିକ ସମୟରେ ଶୀତ ଛୁଇଁଥିବା ଅନୁମାନ କରାଯାଉଛି । ସକାଳୁ ସକାଳୁ କୋହଲା ଶୀତ ସାଙ୍ଗକୁ ଘନ କୁହୁଡି ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଉଛି ।

ସକାଳୁଆ କୁହୁଡି ଧଳା ଚାଦର ପରି କନ୍ଧମାଳକୁ ଘୋଡାଇ ରଖିଛି । ପ୍ରକୃତିର ଦୃଶ୍ୟକୁ ଯିଏ ନିଜ ଆଖିରେ ଥରେ ନ ଦେଖିଛି ସିଏ କେବେ ମଧ୍ୟ ଅନୁଭବ କରିପାରିବ ନାହିଁ । ତେବେ ଜିଲ୍ଲାବାସୀ ଏହି ପାଗର ମନଭରି ଉପଭୋଗ କରୁଥିବା ବେଳେ ସକାଳୁ ସକାଳୁ ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକଯୁବତୀ ତଥା ଆବାଳ ବୃଦ୍ଧବନିତା ସମସ୍ତେ ଏହି ପହିଲି ଶୀତର ମଜା ନେବା ପାଇଁ ରାଜ ରାସ୍ତାକୁ ଚାଲି ଆସୁଛନ୍ତି । ଏଠିକାର ଅଧିବାସୀ ପ୍ରାତଃ ଭ୍ରମଣ ଠାରୁ ଆରମ୍ଭ କରି ଖେଳ କୁଦରେ ମାତିଯାଉଛନ୍ତି । ପହିଲି ଶୀତ ଦେହ ପାଇଁ ହିତକର ବୋଲି କୁହାଯାଉଥିବା ବେଳେ ଲୋକେ ଏହି ପାଗକୁ ମନଭରି ଉପଭୋଗ କରୁଥିବା ଦେଖାଯାଉଛି ।

କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ଧୀରେ ଧୀରେ ତାପମାତ୍ରା ହ୍ରାସ ପାଉଛି ଏବଂ ଶୀତର ପ୍ରକୋପ ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । କିଛି ଦିନ ହେଲାଣି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିଅସ ତଳେ ରହୁଥିବା ବେଳେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରୀ ରହୁଛି । ତେଣୁ ପୂରା ଜିଲ୍ଲା ସକାଳୁ ସକାଳୁ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛି । ଆଗକୁ ଜିଲ୍ଲାରେ ଶୀତ ଆହୁରି ବଢିବାର ସମ୍ଭାବନା ଥିବା ଅନୁମାନ କରାଯାଉଛି ବୋଲି ଫୁଲବାଣୀ ଭାରପ୍ରାପ୍ତ ପାଣିପାଗ ନିରୀକ୍ଷକ କହିଛନ୍ତି ।