• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଶେଷ କରି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସଂଭାବନା ରହିଛି । ଏବେ ଲଘୁଚାପ ଆନ୍ଧ୍ରର ଉତ୍ତର ଉପକୂଳ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ତେବେ ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ତେବେ ଆସନ୍ତା ୨୦ ତାରିଖ ପରେ ବର୍ଷାର ପରିମାଣ କମିବ ।

ସେପଟେ କେରଳରେ ପ୍ରବଳ ବର୍ଷା ଲାଗି ରହିଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛି । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ସହ କୋଟ୍ଟାୟମ ଏବଂ ଇଡୁକି ଜିଲ୍ଲାର ୪ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଭୂସ୍ଖଳନ ଯୋଗୁଁ କୋଟ୍ଟାୟମର କୁଟିକଲରେ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯାଇଥିବା ସୂଚନା ମିଳିଛି । ଘରେ ଥିବାବେଳେ ପାହାଡ଼ରୁ ବର୍ଷା ପାଣି ଓ ଆବର୍ଜନା ମାଡ଼ି ଆସିବାରୁ ଘର ପୋତି ହୋଇଯାଇଥିଲା । ଏଥିରେ ଥିବା ମାଆ, ସ୍ୱାମୀ, ସ୍ତ୍ରୀ ଓ ୪ ଛୁଆ ପ୍ରାଣ ହରାଇଛନ୍ତି । ଆଉ ୩ଟି ଘର ଭାସିଯାଇଛି । ତେବେ ଉଦ୍ଧାର କାର୍ଯ୍ୟ ଲାଗି ରାଜ୍ୟ ସରକାର ଏନ୍‌ଡିଆର୍‌ଏଫ୍, ସ୍ଥଳସେନା ଓ ବାୟୁସେନାର ସାହାଯ୍ୟ ଲୋଡ଼ିଛନ୍ତି । ଏମ୍-୧୭ ଏବଂ ସାରଙ୍ଗ ହେଲିକପ୍ଟରକୁ ପ୍ରସ୍ତୁତ କରି ରଖାଯାଇଛି ।

ସେହିପରି ସୁଲୁରରେ ବାୟୁସେନା ମଧ୍ୟ ଉଦ୍ଧାର କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇରହିଛି । ସ୍ଥଳସେନାର ଗୋଟିଏ ପ୍ଲାଟୁନ୍‌ ଯବାନ କୋଟ୍ଟାୟମରେ ମଧ୍ୟ ଉଦ୍ଧାର କାର୍ଯ୍ୟ କରିବାକୁ ତୟାର ହୋଇଛନ୍ତି । ସେପଟେ କୋଚି ନାଭାଲ୍ ବେସ୍‌ରେ ନୌସେନା ଯବାନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ଲାଗି ମହଜୁଦ ଅଛନ୍ତି । ବର୍ଷା ବିତ୍ପାତରେ ଅନେକ ଲୋକ ଆହତ ହୋଇଛନ୍ତି । ଦୁଇ ଦିନ ଧରି ବର୍ଷା ଯୋଗୁଁ କେରଳର ପ୍ରାୟ ସମସ୍ତ ଡ୍ୟାମ ପୁରିବା ସ୍ଥିତିରେ ରହିଛି । ଡ୍ୟାମ୍‌ରେ ଜଳ ପତ୍ତନ ନିୟନ୍ତ୍ରଣରେ ରଖିବା ପାଇଁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ତଳିଆ ଅଞ୍ଚଳରେ ସ୍ଥିତି ଆହୁରି ସଂଗୀନ ହେବ ବୋଲି ଅନୁମାନ କରାଯାଉଛି ।