• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସେପଟେ ସୁବର୍ଣ୍ଣରେଖାର କୋପରେ ଦହଗଞ୍ଜ ବାଲେଶ୍ୱରର ୩ ବ୍ଲକ

  • ୩ରୁ ୪ ଦିନ ହେଲାଣି ଭୋକ ଉପାସରେ ଲୋକେ

  • ପ୍ରଶାସନ ପକ୍ଷରୁ ସହାୟତା ପହଞ୍ଚି ନଥିବା ଅଭିଯୋଗ

ଭୁବନେଶ୍ୱର : ନିର୍ଦ୍ଦୟ ଦୟା, ରାଜୁଆର ରାଗ, ମହାନଦୀର କୋପ ଆଉ ସୁବର୍ଣ୍ଣରେଖାର ଦାଉରେ ଛଟପଟ ଉପକୂଳିଆ । ବର୍ଷା ସିନା ଛାଡ଼ିଗଲା, ହେଲେ ଏହି ପ୍ରମୁଖ ନଦୀର ବଢ଼ିପାଣି ଗାଁ ଗଣ୍ଡାରେ ପଶି ଜନଜୀବନ ଦୁର୍ବିସହ କରିପକାଇଛି । ପୁରୀ ଜିଲ୍ଲା କଣାସଠୁ ଆରମ୍ଭ କରି ଖୋର୍ଦ୍ଧାର ନରଣଗଡ଼ ବାଲେଶ୍ୱରର ବାଲିଆପାଳଠୁ ବସ୍ତା, ସବୁଠି ପାଣି ଆଉ ପାଣି । ଘର ଦ୍ୱାରଠାରୁ ଗାଁ ଦାଣ୍ଡ ସୁବୁଠି ଲହଡ଼ି ଭାଙ୍ଗୁଛି । ବନ୍ୟାପାଣି ବର୍ଷା ଛାଡ଼ିବା ପରେ ନଈବଢ଼ି ଯୋଗୁ ଉପକୂଳ ବାସିନ୍ଦାଙ୍କ ଦୁର୍ଦ୍ଦଶା ବଳେଇ ପଡ଼ୁଛି ।

ପୁରୀ ଜିଲ୍ଲା କଣାସ ବ୍ଲକ ଦୋକନ୍ଦା ଗାଁରେ ନଈ କୂଳିଆ ବାସିନ୍ଦାଙ୍କ ପ୍ରତି ନିର୍ଦ୍ଦୟ ହୋଇଛି ଦୟା ନଦୀ । ଗାଁର ଯୁଆଡ଼େ ଆଖି ବୁଲାଇ ଆଣିବେ ଖାଲି ପାଣି ଆଉ ପାଣି । ବର୍ଷା ଛାଡ଼ିବାର ୩ ଦିନ ହେଲା ଗାଁରେ ଲହଡ଼ି ମାରୁଛି ନଈ ପାଣି । ବତୁରି ଗଲାଣି ଝାଟି ମାଟି ଘର । କେଉଁ ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବ କିଏ କହିବ । ଗାଁରେ ଯାହାର ଉଚ୍ଚ ପିଣ୍ଡା ଅଛି ସେଠାରେ ଏବେ ମୁଣ୍ଡ ଗୁଂଜିଛନ୍ତି ଲୋକେ । ବଡ଼ାସ ଓ ତରପଡ଼ା ଗାଁରେ ବି ସମାନ ଅବସ୍ଥା । ସ୍କୁଲ, ଅଙ୍ଗନଓ୍ୱାଡ଼ି କେନ୍ଦ୍ର ସବୁଠି ପାଣି ଆଉ ପାଣି । ୩ ଦିନ ଧରି ପାଣି ଘେରରେ ଥିଲେ ବି କେହି ସହାୟତା ପାଇଁ ଆସିନଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମୂର୍ଣ୍ଣ ପ୍ରସ୍ତୁତ ରହିଛି ।

ଦୟା ଓ ରାଜୁଆ ନଈର ରାଗରେ ଉବୁଟୁବୁ ଖୋର୍ଦ୍ଧା ଜିଲ୍ଲାର ୩ଟି ପଞ୍ଚାୟତର ପ୍ରାୟ ୧୦ଟି ଗାଁ ଗାଁ ଦାଣ୍ଡଠୁ ଦେଉଳ ସବୁ କିଛି ବନ୍ୟା ପାଣିରେ ବୁଡ଼ି ଯାଇଛି । ଅଣ୍ଟେ ପାଣିରେ ଦୁର୍ବିସହ ଅବସ୍ଥାରେ ଅଛନ୍ତି ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତ ବାସିନ୍ଦା । ପ୍ରାୟ ୨୫ ପରିବାରକୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ସେମାନଙ୍କ ଦୁର୍ଦ୍ଦଶା ବେଳେ କେହି ଅଧିକାରୀ କି ନେତାଙ୍କ ଦେଖା ମିଳୁନି । ଏପଟେ ମୁଣ୍ଡଳିରେ ହୀରାକୁଦ ଛାଡ଼ି ଥିବା ବନ୍ୟାଜଳ ପହଞ୍ଚିବା ପରେ ବାଙ୍କୀର ଅନେକ ଅଞ୍ଚଳରେ ସ୍ଥିତି ସଂଗୀନ । ଡମପଡ଼ା ବ୍ଲକ ବିଲିପଡ଼ା ପଞ୍ଚାୟତର ଅଧିକାଂଶ ଗାଁ ଏବେ ଜଳବନ୍ଦୀ । ବୁଡ଼ି ଯାଇଛି କୋଠାଠୁ ଆରମ୍ଭ କରି ଚାଳିଆ, ଚୂଲିରେ ପଶିଯାଇଛି ପାଣି । ରୋଷେଇ ଘରେ ପାଣି ପଶିଯିବାରୁ ଉପାସରେ ଲୋକେ ।

ସେହିପରି ସୁବର୍ଣ୍ଣରେଖା କୋପରେ ଏବେ ହନ୍ତସନ୍ତ ହେଉଛନ୍ତି ବାଲିଆପାଳ, ଭୋଗରାଇ ଓ ବସ୍ତା ବ୍ଲକର ଶହେରୁ ଅଧିକ ଗାଁର ଲୋକେ । ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ କିଛି ସ୍ଥାନରେ ବୋଟ୍ ବ୍ୟବସ୍ଥା କରାଯାଇଛି, ହେଲେ ଏବେ ଅନେକ ଗାଁରେ ଶୁଖିଲା ଖାଦ୍ୟ ପହଞ୍ଚିନଥିବାରୁ ଭୋକ ଉପାସରେ ଥିବା ଲୋକେ ଅଭିଯୋଗ କରିଛନ୍ତି ।