• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ

  • ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କିମି ରହିବ

  • ମତ୍ସ୍ୟଜୀବୀଙ୍କୁ ଆଜିଠାରୁ ସମୁଦ୍ର ଭିତରକୁ ଯିବା ମନା

ଭୁବନେଶ୍ୱର : ମାଡ଼ି ଆସୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇସାରିଛି । ଗୋପାଳପୁରରୁ ପୂର୍ବ ଓ ଦକ୍ଷିଣ ପୂର୍ବର ୫୧୦ କିମି ଦୂରରେ ଏହା ଅବସ୍ଥିତ ରହିଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ । ଶେଷ ୬ ଘଣ୍ଟାରେ ୧୨ କିମି ବେଗରେ ଉପକୂଳକୁ ମୁହାଁଉଛି ବାତ୍ୟା । ୧୨ ଘଣ୍ଟାରେ ଘନୀଭୂତ ହୋଇ ଏହା ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି ।

ଗୋପାଳପୁର- ବିଶାଖାପାଟଣା ମଝି କଳିଙ୍ଗପଟ୍ଟନମରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କିମି ରହିବ ବୋଲି କୁହାଯାଉଛି । ଆଉ ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଆଜିଠାରୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, କୋରାପୁଟ,ମାଲକାନଗିରି ବେଶୀ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ସେହପରି ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ଅକସ୍ମାତ ବନ୍ୟା ଓ ଭୂସ୍ଖଳନ ପରି ପରି ପରିସ୍ଥିତି ଉପୁଜିପାରେ ବୋଲି ଚେତାବନୀ ଦିଆଯାଇଛି ।

ସେପଟେ ବାତ୍ୟା ଆଶଙ୍କା ଯୋଗୁଁ ଗଜପତି ଜିଲ୍ଲାରେ ଛୁଟି ବାତିଲ କରାଯାଇଛି । ଗଜପତି ଜିଲ୍ଲାରେ ୨୫ ଓ ୨୬ରେ ଅଫିସରଙ୍କ ଛୁଟି ବାତିଲ ହୋଇଛି । ଜରୁରୀ ପରିସ୍ଥିତିର ସାମ୍ନା ପାଇଁ ଅଫିସରଙ୍କୁ ହେଡକ୍ୱାଟର୍ସରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିନା ଅନୁମତିରେ କେହି ହେଡକ୍ୱାଟର୍ସ ନ ଛାଡ଼ିବାକୁ କୁହାଯାଇଛି । ୨୫ରୁ ୨୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଥିବାରୁ ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ନେଇଛି ।