• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମାଲକାନଗିରିରେ ଏବେ ବି ପ୍ରବଳ ବର୍ଷା ଜାରି ରହିଛି ।

  • ବ୍ରିଜ୍ ଉପରେ ୨ ଫୁଟର ପାଣି ଚାଲୁଛି ।

  • ମାଲକାନଗିରି-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ।

ଭୁବନେଶ୍ୱର/ମାଲକାନଗିରି: ରାଜ୍ୟରେ ସେଭଳି ପ୍ରଭାବ ପକାଇନି ବାତ୍ୟା ଗୁଲାବ୍ । ମୋଟାମୋଟି ଭାବେ ଗୁଲାବ ପ୍ରଭାବରେ ନା ବେଶୀ ବର୍ଷା ହୋଇଛି ନା ବେଶୀ ପବନ । ପାଣିପାଗ ବିଭାଗର ଆକଳନ ଅନୁସାରେ ଓଡ଼ିଶାରେ ସେତେ କ୍ଷୟକ୍ଷତିର ସୂଚନା ନାହିଁ । ପ୍ରେସମିଟ୍‌ରେ ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି, ଯାହା ବି କ୍ଷୟକ୍ଷତି ହୋଇଛି, ୫ ଦିନ ଭିତରେ ଆକଳନ କରି ଜିଲ୍ଲାପାଳମାନେ ରିପୋର୍ଟ ଦେବେ ।

ତେବେ ସବୁଠୁ ଅଧିକ ବର୍ଷା ମାଲକାନଗିରି ଜିଲ୍ଲାରେ ହୋଇଛି । ବାତ୍ୟା ଗୁଲାବ ଏବେ ଜଗଦଲପୁରଠାରୁ ୯୦ କିଲୋମିଟର ଦକ୍ଷିଣ ପୂର୍ବ ଅଞ୍ଚଳର ଦକ୍ଷିଣ ଓଡ଼ିଶା ଓ ଛତିଶଗଡ଼ ମଝିରେ କେନ୍ଦ୍ରୀଭୂତ ହୋଇ ରହିଛି । ଆଉ କିଛି ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମାଲକାନଗିରିରେ ଏବେ ବି ପ୍ରବଳ ବର୍ଷା ଜାରି ରହିଛି । ଏମ୍‌ଭି ୯୬ ବ୍ରିଜ୍ ଉପରେ ୨ ଫୁଟର ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାରେ ପାଣି ଚାଲୁଥିିବାକୁ ଉଭୟ ପାର୍ଶ୍ୱରେ ଗାଡ଼ିଗୁଡିକ ଅଟକି ରହିଛି । ପୋଲିସ କର୍ମଚାରୀ ଉଭୟ ପାର୍ଶ୍ୱରେ ଜଗିରହିଛନ୍ତି ।  କେହି ଯେପରି ବିପଦପୂର୍ଣ୍ଣ ଭାବେ ପୋଲ ପାର୍‌ କରିବେ ନାହିଁ, ସେଥିପ୍ରତି ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ଅନ୍ୟପଟେ ମାଲକାନଗିରି ସହରର ଟେକବାଡ଼ି ସାହିରେ ଘର ଉପରେ ଗଛ ପଡ଼ିଯିବାରୁ ଘରଟି ସଂପୂର୍ଣ୍ଣ ଭାଙ୍ଗିଯାଇଛି । ତେବେ ଏଥିରେ କେହି ମୃୃତାହତ ହୋଇନଥିବା ସୂଚନା ମିଳିଛି । 

ବାତ୍ୟାର ପ୍ରଭାବରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ବ୍ଲକରେ ଅଧିକ ବର୍ଷା ହୋଇଛି । ନାଳର ପାଣି ଆସି ଅଳ୍ପ କେତେ ଜାଗାରେ ରାସ୍ତାରେ ଜମି ଥିଲା, ଯାହା ଏବେ ସଫା ହୋଇଯାଇଛି । ଗୋଟିଏ ଦୁଇଟି ସ୍ଥାନରେ ମାଟି ଅତଡ଼ା ଖସିଥିଲା । କୋରାପୁଟ ଜିଲ୍ଲା ସୁଙ୍କି ଘାଟିରେ ଭୁସ୍କଳନ ହୋଇଥିଲେ ବି ବିଶେଷ କିଛି ଅସୁବିଧା ହୋଇନାହିଁ ବୋଲି କହିଛନ୍ତି SRC । ବାତ୍ୟାକୁ ଦୃଷ୍ଟିରେ ରଖି ୪୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରଯାଇଥିବା ବେଳେ ୧୫ ଶହ ୩୩ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମାଲକାନଗିରି ଜିଲାରେ ୫୦-୬୦ଟି ଗଛ ଭାଙ୍ଗିଥିବା ଜଣାପଡ଼ିଛି । କୌଣସି ସ୍ଥାନରେ ବିଦ୍ୟୁତ ସେବାରେ ବ୍ୟାଘାତ ହୋଇନଥିବା SRC ପ୍ରେସମିଟ୍‌ରେ ସ୍ପଷ୍ଟ କରିଛନ୍ତି ।

ବାତ୍ୟା ଗୁଲାବ ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଶ୍ରୀକାକୁଲମ, ବିଜୟନଗରମ ଜିଲ୍ଲା ପ୍ରଭାବିତ ହୋଇଛି । ଗତକାଲି ଠାରୁ ବର୍ତ୍ତମାନ ସୁଦ୍ଧା ଅନବରତ ବର୍ଷା ଲାଗି ରହିଥିବାରୁ ୩ ଜିଲ୍ଲାର ତଳିଆ ଅଞ୍ଚଳ ପାଣିଘେରରେ ରହିଛି । ବିଶାଖାପାଟନମ ସହରର ଅଧିକାଂଶ ଅଞ୍ଚଳ ପାଣି ଘେରରେ ଥିବା ବେଳେ ବହୁ ଘରେ ପାଣି ପଶିଯାଇଛି । ବିଶାଖାପାଟଣା ସହରର ଚାରି ଆଡ଼େ ଖାଲି ପାଣି ଆଉ ପାଣି । ଅନ୍ୟପଟେ ବିଶାଖାପାଟଣା ଜିଲ୍ଲାର ପାହାଡିଆ ଅଞ୍ଚଳରେ ବର୍ଷା ଯୋଗୁଁ ବହୁ ନଦୀରେ ପାଣି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ରାସ୍ତା ଧୋଇଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଶ୍ରୀକାକୁଲମ୍ ଜିଲ୍ଲାର ଅନେକ ସ୍ଥାନରେ କଚ୍ଚା ଘର ଭାଙ୍ଗି ଯାଇଥିବା ବେଳେ ବହୁ ଲୋକଙ୍କ ଘର ଉପରେ ଗଛ ପଡ଼ି ଯାଇଛି । ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏବେ ବି ବହୁ ରାସ୍ତାରେ ଗଛ ପଡ଼ି ରହିଥିବାରୁ ଯାତାୟତାରେ ବି ବାଧା ସୃଷ୍ଟି ହୋଇଛି । ସେହିଭଳି ଗତକାଲିଠୁ ବର୍ଷା ଲାଗି ରହିଥିବାରୁ ବଂଶଧାରା ନଦୀରେ ଜଳସ୍ତର ବଢ଼ିଛି । କଳିଙ୍ଗପଟନମ୍‌ରେ ସବୁଠୁ ଅଧିକ ୧୧୧ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମିଛି ।