• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା । ସୋମବାର ଭୋରରୁ ଅଚାନକ ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଲାର ଜୁମ୍ମା ଗାଁରେ ବାଦଲଫଟା ବର୍ଷା ତାଣ୍ଡବ କରିଥିଲା । ପ୍ରବଳ ବର୍ଷା କାରଣରୁ ୭ ଜଣ ନିଖୋଜ ଥିବାର ସୂଚନା ମିଳିଥିଲା । ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜିଲ୍ଲାପାଳ ଆଶିଷ ଚୌହାନ ସୂଚନା ଦେଇଛନ୍ତି ।

ମୃତକଙ୍କର ବୟସ ୯ରୁ ୧୫ ମଧ୍ୟରେ ବୋଲି ଜଣାପଡ଼ିଛି । ସେହିପରି ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ ଆଉ ଦୁଇ ଜଣ ଏବେ ବି ନିଖୋଜ ଥିବା କୁହାଯାଉଛି । ଅନ୍ୟପକ୍ଷରେ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁମ୍ମା ଗାଁକୁ SDRF ଏବଂ SSBର ଟିମ୍ ପଠାଯାଇଛି । ରାଜାଧାନୀ ଡେରାଡୁନ୍‌ରୁ ୬୦୦ କିଲୋମିଟର ଦୂରରେ ରହିଛି ପିଥୋରାଗଡ଼ ଜିଲ୍ଲା ।

ପିଥୋରାଗଡ଼ ଜିଲ୍ଲାରେ ଥିବା କାଲି ନଦୀ କୂଳରେ ଜୁମ୍ମା ଗାଁ ରହିଛି । ଆଜି ସକାଳୁ ଜୁମ୍ମା ଗାଁରେ ହିଁ ବାଦଲଫଟା ବର୍ଷା ତାଣ୍ଡବ କରିଥିଲା । ବାଦଲଫଟା ବର୍ଷା ଆରମ୍ଭ ହୋଇ ଅନେକ ସମୟ ପର୍ଯ୍ୟନ୍ତ ଚାଲିଥିଲା । ଫଳରେ ଉଦ୍ଧାରକାରୀ ଟିମ୍‌କୁ ଗାଁରେ ପହଞ୍ଚିବା ଏତେ ସହଜ ନଥିଲା । ସେପଟେ ପାଗରେ ପରିବର୍ତ୍ତନ ଆସିବା ପରେ ଯଥାଶୀଘ୍ର ଯାଇ ସ୍ଥିତିର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।

ସେହିଭଳି ଆସାମରେ ବନ୍ୟାସ୍ଥିତି ବେଳକୁ ବେଳ ଦୁର୍ବିସହ ହେବାକୁ ଲାଗିଲାଣି । ରବିବାର ସୁଦ୍ଧା ରାଜ୍ୟର ୧୬ ଜିଲ୍ଲାର ପ୍ରାୟ ୨ ଲକ୍ଷ ୫୮ ହଜାର ଲୋକ ପ୍ରଭାବିତ ହୋଇଥିବାର ଖବର ଆସିଛି । ପ୍ରାୟ ୬ ହଜାର ୨୦୦ ପ୍ରଭାବିତଙ୍କୁ ବିଭିନ୍ନ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ଦିଆଯାଇଛି । ଆସାମର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସମିତି ଅନୁଯାୟୀ ରାଜ୍ୟର ଲକ୍ଷ୍ମୀପୁର ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ପ୍ରାୟ ୧ ଲକ୍ଷ ୫ ହଜାର ୨୫୭ ଜଣ ପ୍ରଭାବିତ ହୋଇଛନ୍ତି । ସେହିପରି ମାଜୁଲିରେ ପ୍ରାୟ ୫୭ ହଜାର ୨୫୬ ଜଣ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ସେପଟେ ଜାତୀୟ ଜଳ ଆୟୋଗ ଅନୁଯାୟୀ, ରାଜ୍ୟରେ ପ୍ରବାହିତ ହେଉଥିବା ବ୍ରହ୍ମପୁତ୍ର ନଦୀ ଏବେ ଦିବ୍‌ରୁଗଡ଼, ଜୋରହାଟ୍, ସୋନିପୁର, କାମରୂପ ଏବଂ ଧୁବ୍ରି ଆଦି ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କିଛି ସ୍ଥାନରେ ବର୍ଷା ମଧ୍ୟ ଜାରି ରହିଛି । ଫଳରେ ଏବେ ବି ବିପଦ ବଢ଼ୁଛି ।

ଯଦିଓ ଆସାମ ବନ୍ୟାରେ ପ୍ରଭାବିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ସେପଟେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବନ୍ୟାରେ କାହାର ଜୀବନହାନୀ ହୋଇନାହିଁ ।ପ୍ରଭାବିତମାନେ ନିଜ ନିଜର କରୁଣ କାହାଣୀ ବଖାଣିଛନ୍ତି । ଅଚାନକ ବନ୍ୟାଜଳ ମାଡ଼ିଆସିବାରୁ ସେମାନଙ୍କ ଘରଦ୍ୱାରା ଭାଙ୍ଗିଯିବା ସହ ଜୀବନ ବିକଳରେ ଘର ଛାଡ଼ିଥିବା କହିଛନ୍ତି ବନ୍ୟା ପୀଡ଼ିତ ।