• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଔରଙ୍ଗାବାଦ/ମୁମ୍ବାଇ/ଲାତୁର : ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ମରାଠୱାଡା ଅଞ୍ଚଳରେ ପ୍ରବଳ ବର୍ଷା, ବନ୍ୟା ଏବଂ ବଜ୍ରପାତ ଯୋଗୁଁ ଅତି କମରେ ୧୩ ଜଣଙ୍କର ଜୀବନ ଯାଇଛି । ତେବେ ୫୬୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) । ରବିବାର ଏବଂ ସୋମବାର ବର୍ଷା ହେତୁ ଦୁଇ ଶହରୁ ଅଧିକ ପଶୁ ଭାସି ଯାଇଥିବା ବେଳେ ଏବଂ ଅନେକ ଘର ନଷ୍ଟ ହୋଇଯାଇଥିବା କହିଛନ୍ତି NDRF ଅଧିକାରୀ ।

ମଙ୍ଗଳବାର ଦିନ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ମରାଠୱାଡା, ମୁମ୍ବାଇ ଏବଂ ରାଜ୍ୟର ଉପକୂଳବର୍ତ୍ତୀ କୋଙ୍କଣ ଅଞ୍ଚଳରେ 'ଆହୁରି ଅଧିକ ବର୍ଷା' ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରବଳ ବର୍ଷାରେ ମରାଠୱାଡା ସ୍ଥିତି ବେହାଲ ହୋଇଯାଇଛି । ଔରଙ୍ଗାବାଦ, ଲାତୁର, ଓସମାନାବାଦ, ପରଭଣି, ବିଡ୍, ଜଲନା ଏବଂ ହିଙ୍ଗୋଲି ପରି ଆଠଟି ଜିଲ୍ଲାରେ ଲହଡି ଭାଙ୍ଗୁଛି ପାଣି । ପ୍ରବଳ ବର୍ଷା ଯୋଗୁଁ ସହରର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ପାଣି ଘେରରେ ରହିଛନ୍ତି।

ୟବତମାଲ ଜିଲ୍ଲାରେ ବ୍ରିଜ୍ ପାର ହେଉଥିବା ବେଳେ ଏକ ବସ୍ ପାଣିରେ ଫସିଯାଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ନିଖୋଜ ହୋଇଯାଇଛନ୍ତି ବୋଲି ସୂଚନା ମିଳିଛି । ଉମରକେଡ ତହସିଲର ଦାହାଗାଓଁ ବ୍ରିଜରେ ଏହି ଘଟଣା ଘଟିଛି । ସେହିପରି ମଙ୍ଗଳବାର ଦିନ ମଞ୍ଜାରା ବନ୍ଧ ନିକଟସ୍ଥ ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ଡ୍ୟାମର ସମସ୍ତ ୧୮ଟି ଫାଟକ ଖୋଲି ଦେଇଥିଲେ କର୍ତ୍ତୃପକ୍ଷ । ଫଳରେ ବିଡ ଜିଲ୍ଲାର କେତେକ ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ବନ୍ୟା ଆଶଙ୍କା ଯୋଗୁଁ ପଡୋଶୀ ଜିଲ୍ଲାରେ ଚେତାବନୀ ଜାରି କରାଯାଇଛି ।

ବର୍ଷା ଯୋଗୁଁ ୨୦୦ରୁ ଅଧିକ ପଶୁଙ୍କର ମୃତ୍ୟୁ ହୋଇଛି

ଗତ ଦୁଇ ଦିନ ଧରି ବର୍ଷା ହେତୁ ଦୁଇ ଶହରୁ ଅଧିକ ପ୍ରାଣୀଙ୍କର ମୃତ୍ୟୁ ଘଟିଛି ଏବଂ ୨୮ ଟି ଘର ନଷ୍ଟ ହୋଇଯାଇଛି । ବର୍ଷା ଓ ବନ୍ୟା ଯୋଗୁଁ ଆଠଟି ଜିଲ୍ଲାର ଏକର ଏକର ଫସଲ ନଷ୍ଟ ହୋଇଯାଇଛି । ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ଜଳ ସମ୍ପଦ ବିଭାଗ ଗତକାଲି ଠାରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ କ୍ଷୟକ୍ଷତି ଆକଳନ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଜୟନ୍ତ ପାଟିଲ । ମହାରାଷ୍ଟ୍ରର ଲାତୁରରେ ପ୍ରବଳ ବର୍ଷା ହେତୁ ଏକ ବ୍ୟାରେଜ, ଗାଁ ଏବଂ ନଦୀ କୂଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ୍ , ହେଲିକପ୍ଟର ଏବଂ ଡଙ୍ଗା ନିୟୋଜିତ କରାଯାଇଛି।