• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୁବାଇ: ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ ବିରାଟ କୋହଲିଙ୍କ ଟିମ୍ ପାଇଁ ଆତ୍ମସମ୍ମାନର ମ୍ୟାଚ୍, କାରଣ ଟିମ୍ ଇଣ୍ତିଆ ପ୍ରଥମରୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଏକ ପ୍ରକାର ସେମିଫାଇନାଲ ରେସ୍‌ରୁ ବାଦ୍ ପଡ଼ିଛି । କ୍ରିକେଟର ୩ଟି ଯାକ ଡିପାର୍ଟମେଣ୍ଟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭାରତ ଦଳର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି । ତେବେ ଆଜିର ମ୍ୟାଚକୁ ମିଶାଇ ଆଉ ୩ଟି ମ୍ୟାଚ ଖେଳିବ ଭାରତ ଦଳ । ଟିମ୍ ଇଣ୍ତିଆ ତାର ଆଗାମୀ ମ୍ୟାଚ ଗୁଡିକ ଆଫଗାନିସ୍ତାନ, ସ୍କଟଲାଣ୍ଡ ଓ ନାମିବିଆ ସହ ଖେଳିବ ।

ଏବେ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି ଭାରତ । ସେମି ଫାଇନାଲ ଆଶା ତ ପୁରା କ୍ଷୀଣ, ତଥାପି ଏହି ଦୁର୍ବଳ ଟିମ୍ ବିରୋଧରେ ଜିତି ଅତି କମ୍‌ରେ ଆତ୍ମସମ୍ମାନ ରକ୍ଷା କରିବାକୁ ଖେଳିବ ବିରାଟ ବାହିନୀ । ଆଜି ସଂଧ୍ୟା ସାଢ଼େ ୭ଟାରେ ଟିମ୍ ଇଣ୍ଡିଆ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ତେବେ ସେମିଫାଇନାଲ୍ ଦୌଡ ପାଇଁ ଆଫଗାନିସ୍ତାନ ତାର ଜୋର ଲଗାଇବ । ତେବେ ଏପଟେ ଟିମ୍ ଇଣ୍ଡିଆ ନିଜର ଆତ୍ମସମ୍ମାନ ବଞ୍ଚାଇବା ନେଇ ମ୍ୟାଚଟି ଜିତିବାକୁ ଚେଷ୍ଟା କରିବ ।

ତେବେ ଏହାରି ଭିତରେ ଯେଉଁ କ୍ରିକେଟ୍‌ ଗଣିତ ସାମ୍ନାକୁ ଆସିଛି, ତାହା ହେଲା ଭାରତ ଯେତେ ଚେଷ୍ଟା କଲେ ବି ଆଉ ଆଗକୁ ଯାଇପାରିବ ନାହିଁ । ଏମିତିକି ଏହା ପରେ ପ୍ରତ୍ୟେକ ଲିଗ୍‌ ମ୍ୟାଚ୍‌ରେ ଦଳ ବିଜୟ ହେଲେ ମଧ୍ୟ ସେମିଫାଇନାଲ ଆଶା ଛାଡ଼ିଦେବା ଭଲ । ତେଣୁ ଏବେ କ୍ରିକେଟ୍‌ ବିଶେଷଜ୍ଞ କହିଛନ୍ତି ଭାରତର ବିଶ୍ୱକପ୍‌ ଭାଗ୍ୟ ଏବେ ଅନ୍ୟ ଦେଶ ହାତରେ ।

ତେବେ ଭାରତକୁ ସେମିଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ଶେଷ ତିନୋଟି ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ପଡ଼ିବ । କାରଣ ଦୁଇଟି ମ୍ୟାଚ୍ ହାରିବା ପରେ ଭାରତର ରନରେଟ୍ -୧.୬୦୯ ରହିଛି । ଖାଲି ସେତିକି ନୁହେଁ, ଭାରତର ସେମିଫାଇନାଲ ସ୍ୱପ୍ନ ଏବେ ସମ୍ପୂର୍ଣ୍ଣରୂପେ ଅନ୍ୟ ମ୍ୟାଚ୍ ଗୁଡ଼ିକ ଉପରେ ନିର୍ଭର କରୁଛି । ବିଶେଷକରି ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଯଦି ଏହି ମ୍ୟାଚରେ ଆଫଗାନିସ୍ତାନ ହାରିଯାଏ, ତାହେଲେ ଭାରତ ପାଇଁ ସୁଯୋଗ ରହିବ । ଯଦି ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍ ହାରିଯିବ ଏବଂ ଆଫଗାନିସ୍ତାନ ସହ ଭାରତର ପଏଣ୍ଟ ସମାନ ହେବ । ତାହେଲେ ଏଭଳି ସ୍ଥିତିରେ ଉଭୟ ଭାରତ ଓ ଆଫଗାନିସ୍ତାନର ନେଟ୍ ରନରେଟ୍ ଫୈସଲା କରିବ । ଅନ୍ୟପକ୍ଷରେ ଆଫଗାନିସ୍ତାନର ନେଟ୍ ରନରେଟ୍ ବହୁ ଊର୍ଦ୍ଧ୍ୱରେ ରହିଛି । ତେଣୁ ଭାରତ ପକ୍ଷେ ଆଫଗାନିସ୍ତାନ ନେଟ୍ ରନରେଟକୁ ଅତିକ୍ରମ କରିବା କାଠିକର ପାଠ ହେବ ।