• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରା ବିଶ୍ୱ ଏବେ ଟି-୨୦ ବିଶ୍ୱକପ୍‌ର ମଜା ନେଉଛି । ପ୍ରତ୍ୟେକ ଦେଶ ନିଜ ଦଳକୁ ସମର୍ଥନ କରୁଛନ୍ତି ଏବଂ ଦଳର ବିଜୟ ହେଉ ସେନେଇ ପ୍ରାର୍ଥନା କରୁଛନ୍ତି । ହେଲେ ଭାରତ ପାଇଁ କେବଳ ଭାରତବାସୀ ନୁହନ୍ତି ସାରା ବିଶ୍ୱ ଚିନ୍ତାରେ ପଡ଼ିଛି । କାରଣ ଭାରତ ଭଳି ଦମ୍‌ଦାର ଟାଇଟଲ ୱିନର ଟିମ୍‌ ବିଶ୍ୱକପ୍‌ରେ ସମ୍ପୂର୍ଣ୍ଣ ଫ୍ୟୁଜ୍‌ ହୋଇଯାଇଛି । ଦଳର ଲଗାତର ଦୁଇଟି ମ୍ୟାଚ୍‌ରେ ପରାଜୟ ସମସ୍ତଙ୍କୁ ସ୍ତବ୍ଧ କରିଛି । ଏବେ ଭାରତକୁ କିଏ ସମବେଦନା ଜଣାଉଛି ତ କିଏ କହୁଛି ଭଗବାନ ହିଁ ଏବେ ସାହାଭରସା । କାରଣ ପୂର୍ବରୁ ଭାରତକୁ ହିଁ ବିଶ୍ୱକପ୍‌ର ଏକମାତ୍ର ଦାବିଦାର ବୋଲି କୁହାଯାଉଥିଲା । ହେଲେ ଭାରତ ବିଶ୍ୱକପ୍‌ ଆରମ୍ଭରୁ ପରାଜୟର ସାମ୍ନା କରି ଚାଲିଛି । ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠାରୁ ୧୦ ୱିକେଟ୍‌ରେ ପରାସ୍ତ ହେବା ପରେ ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶୋଚନୀୟ ପ୍ରଦର୍ଶନ କରି ପରାସ୍ତ ହୋଇଛି ।

ତେବେ ଏହାରି ଭିତରେ ଯେଉଁ କ୍ରିକେଟ୍‌ ଗଣିତ ସାମ୍ନାକୁ ଆସିଛି, ତାହା ହେଲା ଭାରତ ଯେତେ ଚେଷ୍ଟା କଲେ ବି ଆଉ ଆଗକୁ ଯାଇପାରିବ ନାହିଁ । ଏମିତିକି ଏହା ପରେ ପ୍ରତ୍ୟେକ ଲିଗ୍‌ ମ୍ୟାଚ୍‌ରେ ଦଳ ବିଜୟ ହେଲେ ମଧ୍ୟ ସେମିଫାଇନାଲ ଆଶା ଛାଡ଼ିଦେବା ଭଲ । ତେଣୁ ଏବେ କ୍ରିକେଟ୍‌ ବିଶେଷଜ୍ଞ କହିଛନ୍ତି ଭାରତର ବିଶ୍ୱକପ୍‌ ଭାଗ୍ୟ ଏବେ ଅନ୍ୟ ଦେଶ ହାତରେ ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ପରେ ଭାରତ ଏବେ ଗ୍ରୁପ୍-B ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଗ୍ରୁପରୁ ଦୁଇ ଟପ୍ ଟିମ୍ ସେମିଫାଇନାଲକୁ ଯିବେ । ବର୍ତ୍ତମାନ ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ସ୍ଥାନରେ ଅଛନ୍ତି ପାକିସ୍ତାନ ଓ ଆଫଗାନିସ୍ତାନ । ପାକିସ୍ତାନ ୩ ମ୍ୟାଚରୁ ୬ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ଆଫଗାନିସ୍ତାନ ୪ ପଏଣ୍ଟ ସହ ଦ୍ୱିତୀୟ ଓ ନ୍ୟୁଜିଲ୍ୟାଣ୍ଡ୍ ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ପାକିସ୍ତାନ ତା’ର ପ୍ରଥମ ତିନୋଟି ମ୍ୟାଚରେ ଯଥାକ୍ରମେ ଭାରତ, ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନକୁ ହରାଇଛି । ତେଣୁ ପାକିସ୍ତାନର ସେମିଫାଇନାଲ୍ ରାସ୍ତା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ତେବେ ବାକି ଗୋଟିଏ ସ୍ଥାନ ପାଇଁ ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ଭାରତ ଦୌଡ଼ରେ ରହିଛନ୍ତି ।

ତେବେ ଭାରତକୁ ସେମିଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ଶେଷ ତିନୋଟି ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ପଡ଼ିବ । କାରଣ ଦୁଇଟି ମ୍ୟାଚ୍ ହାରିବା ପରେ ଭାରତର ରନରେଟ୍ -୧.୬୦୯ ରହିଛି ।

India Vs NewzelandIndia Vs Newzeland

ଖାଲି ସେତିକି ନୁହେଁ, ଭାରତର ସେମିଫାଇନାଲ ସ୍ୱପ୍ନ ଏବେ ସମ୍ପୂର୍ଣ୍ଣରୂପେ ଅନ୍ୟ ମ୍ୟାଚ୍ ଗୁଡ଼ିକ ଉପରେ ନିର୍ଭର କରୁଛି । ବିଶେଷକରି ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଯଦି ଏହି ମ୍ୟାଚରେ ଆଫଗାନିସ୍ତାନ ହାରିଯାଏ, ତାହେଲେ ଭାରତ ପାଇଁ ସୁଯୋଗ ରହିବ । ଯଦି ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍ ହାରିଯିବ ଏବଂ ଆଫଗାନିସ୍ତାନ ସହ ଭାରତର ପଏଣ୍ଟ ସମାନ ହେବ । ତାହେଲେ ଏଭଳି ସ୍ଥିତିରେ ଉଭୟ ଭାରତ ଓ ଆଫଗାନିସ୍ତାନର ନେଟ୍ ରନରେଟ୍ ଫୈସଲା କରିବ । ଅନ୍ୟପକ୍ଷରେ ଆଫଗାନିସ୍ତାନର ନେଟ୍ ରନରେଟ୍ ବହୁ ଊର୍ଦ୍ଧ୍ୱରେ ରହିଛି । ତେଣୁ ଭାରତ ପକ୍ଷେ ଆଫଗାନିସ୍ତାନ ନେଟ୍ ରନରେଟକୁ ଅତିକ୍ରମ କରିବା କାଠିକର ପାଠ ହେବ ।

ଅନ୍ୟପଟେ ଭାରତକୁ ପରବର୍ତ୍ତୀ ମ୍ୟାଚ ଗୁଡ଼ିକରେ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ହେବ । ଆଉ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ତା’ର ଶେଷ ମ୍ୟାଚରେ ପରାଜିତ ହେବା ଭାରତ ପାଇଁ ଜରୁରୀ । ଏହା ହେଲେ ଆଫଗାନିସ୍ତାନର ୬ ପଏଣ୍ଟ ହୋଇପାରିବ ନାହିଁ । ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ନାମିବିଆ କିମ୍ବା ସ୍କଟଲ୍ୟାଣ୍ଡ ଠାରୁ ମଧ୍ୟ ହାରିବା ଭାରତ ପାଇଁ ଜରୁରୀ । ଯାହାଦ୍ୱାରା ଭାରତ ନ୍ୟୁଜିଲ୍ୟାଣ୍ଡ ଟିମକୁ ପଛରେ ପକାଇ ସେମିଫାଇନାଲ ଆଶା ଉଜ୍ଜୀବିତ କରିପାରିବ ।

India Vs NewzelandIndia Vs Newzeland

ଭାରତ ଅନ୍ୟ ଉପାୟ ଜରିଆରେ ମଧ୍ୟ ସେମିଫାଇନାଲକୁ କ୍ୱାଲିଫାଏ କରିପାରିବ । ତାହା ହେଲା ଯଦି ପାକିସ୍ତାନ ସ୍କଟଲ୍ୟାଣ୍ଡ ଓ ନାମିବ୍ୟା ନିକଟରୁ ହାରିଯାଏ ଏବଂ ଭାରତ ତା’ର ଶେଷ ତିନୋଟି ମ୍ୟାଚରେ ବଡ଼ ବ୍ୟବଧାନରେ ଜିତିବ । ତେବେ ଭାରତର ସେମିଫାଇନାଲ୍ ଆଶା ଅଧିକ ବଢ଼ିବ । କିନ୍ତୁ ଏହାର ସମ୍ଭାବନା ଖୁବ୍‌ କମ୍ । ସେହିପରି ସ୍କଟଲ୍ୟାଣ୍ଡ ଓ ନାମିବିଆ ଟିମ୍ ଯଦି ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦିଅନ୍ତି, ତାହେଲେ ଭାରତ ତା’ର ବାକି ମ୍ୟାଚ୍ ଗୁଡ଼ିକ ବଡ଼ ବ୍ୟବଧାନରେ ଜିତି ସେମିଫାଇନାଲ୍ ଯାଇପାରିବ ।