• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟି-ଟ୍ୱେଣ୍ଟି ବିଶ୍ୱକପରେ ଶେଷ ହେଲା ଭାରତର ଅଭିଯାନ । ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ପରେ ସିରିଜରୁ ବାଦ୍ ପଡ଼ିଛି ଟିମ୍ ଇଣ୍ଡିଆ । ଆଫଗାନିସ୍ତାନ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ କରିଥିଲା ୧୨୪ ରନ୍ । ଏହାର ଜବାବରେ କିଓ୍ୱି ଦଳ ମାତ୍ର ୨ ଓ୍ୱିକେଟ୍ ହରାଇ ୧୨୫ ରନ୍‌ର ସହଜ ଟାର୍ଗେଟକୁ ହାସ କରିନେଇଥିଲା ।

ଏବେ ଆଫଗାନିସ୍ତାନଠାରୁ ୮ ଓ୍ୱିକେଟରେ ବିଜୟ ହୋଇଛି କିୱି ଦଳ । ଏହି ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ଏପଟେ ନ୍ୟୁଜିଲାଣ୍ଡର ବିଜୟ ପରେ ଶେଷ ହୋଇଛି ଭାରତର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆଶା । କାରଣ ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ବିଜୟୀ ହୋଇଥିଲେ ଗ୍ରୁପ୍ ବି’ରେ ଥିବା ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରବେଶ କରିବାର ସୁଯୋଗ ଥିଲା । ଭାରତ ଆସନ୍ତକାଲି ଗ୍ରୁପ୍ ଲିଗ୍‌ର ଶେଷ ମ୍ୟାଚ୍‌ରେ ନାମିବ୍ୟାକୁ ଭେଟିବ । ବିଶ୍ୱକପ୍ ଅଭିଯାନ ଶେଷ ହୋଇଥିଲେ ବି କାଲି କେବଳ ସମ୍ମାନ ରକ୍ଷା ଲାଗି ମ୍ୟାଚ୍ ଖେଳିବ ବିରାଟ ବାହିନୀ ।

ତେବେ ୧୨୫ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ଓପ୍‌ନର ମାର୍ଟିନ ଗପ୍ଟିଲ୍ ଓ ଡାରିଏଲ୍ ମିଚେଲ୍ ପ୍ରଥମ ୱିକେଟ୍ ପାଇଁ ୨୬ ରନ୍ ଯୋଡ଼ିଥିଲେ । ମିଚେଲ୍ ୧୭ ରନ୍ କରି ମୁଜୀବ-ଉର୍-ରେହମାନଙ୍କ ଶିକାର ହୋଇଥିଲେ । ଗପ୍ଟିଲ (୨୮) ଦ୍ରୁତ ରନ୍ କରିଥିଲେ ହେଁ ତାଙ୍କୁ ପ୍ୟାଭିଲିୟନ୍ ପଠାଇ ରାଶିଦ୍ ଖାନ୍ ଆଫଗାନିସ୍ତାନ ପାଇଁ ଆଶା ସଞ୍ଚାର କରିଥିଲେ । ତେବେ କ୍ୟାପଟେନ୍ ୱିଲିୟମସନ୍ ଓ କନୱେ ତୃତୀୟ ୱିକେଟ୍ ପାଇଁ ୬୮ ରନର ଭାଗିଦାରୀ କରି ନିଜ ଦଳକୁ ଜିତାଇଥିଲେ। ଆଫଗାନିସ୍ତାନ ପକ୍ଷରୁ ରାଶିଦ୍ ଖାନ୍ ଓ ମୁଜୀବ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନର ନାଜିବୁଲ୍ଲା ଜାଦରାନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦମ୍ ଦେଖାଇ ପାରିନଥିଲେ। ଜାଦରାନ୍ ସର୍ବାଧିକ ୭୩ (୪୮ ବଲ୍, ୬ ଚୌକା, ୩ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁଲବଦିନ ନଇବ ୧୫, କ୍ୟାପଟେନ୍ ମହମ୍ମଦ ନବି ୧୪, ରେହମାନୁଲ୍ଲା ଗୁରବାଜ ୬, ମହମ୍ମଦ ଶେହଜାଦ୍ ୪ ଓ ହଜରତୁଲ୍ଲା ଜଜଇ ୨ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରେଣ୍ଟ ବୋଲ୍ଟ ୩ଟି ଓ ଟିମ୍ ସାଉଦୀ ୨ଟି ୱିକେଟ୍ ନେଇଥିଲେ। ସେହିପରି ଆଡାମ ମିଲନେ, ଜେମ୍ସ ନିଶାମ ଓ ଈଶ ସୋଢୀ ଗୋଟିଏ ଲେଖାଏ ସଫଳତା ପାଇଥିଲେ ।