• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ସେ ଟି-୨୦ ବିଶ୍ୱକପରେ ଓପନିଂ କରିପାରନ୍ତି । ଅକ୍ଟୋବର ୧୭ରୁ ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ, ୟୁଏଇରେ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚ୍ ଖେଳାଯାଉଛି । ଏହାକୁ ବିଶ୍ୱକପ ପାଇଁ ଏକ ପ୍ରକାର ପ୍ରସ୍ତୁତି ବୋଲି କୁହାଯାଇପାରେ । ଟୁର୍ଣ୍ଣାମେଣ୍ଟରେ ଓପନର୍ ଭାବେ ବିରାଟ କୋହଲି, ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ପ୍ରଦର୍ଶନକୁ ଦେଖିଲେ ରୋହିତ ଏପର୍ଯ୍ୟନ୍ତ ସବୁଠାରୁ ଦୁର୍ବଳ ପ୍ରଦର୍ଶନ କରିଛନ୍ତି । ଯାହାଦ୍ୱାରା ଟିମ୍ ଇଣ୍ଡିଆ ଏବଂ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ିଥିବା କୁହାଯାଉଛି ।

ଏବେ ୟୁଏଇରେ ଖେଳାଯାଉଥିବା ଆଇପିଏଲରେ ରୋହିତଙ୍କ ପ୍ରଦର୍ଶନ ଉପରେ ଯଦି ନଜର ପକାଇବା, ତେବେ ୪ଟି ଇନିଂସରେ ଯଥାକ୍ରମେ ୩୩, ୪୩, ୮ ଏବଂ ୭ ରନ୍ ସ୍କୋର କରିଛନ୍ତି । ଅର୍ଥାତ୍ ସେ ଏପର୍ଯ୍ୟନ୍ତ ଅର୍ଦ୍ଧଶତକ ମଧ୍ୟ ହାସଲ କରିବାରେ ସକ୍ଷମ ହୋଇନାହାଁନ୍ତି । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍‌ ମଧ୍ୟ ଭଲ ନାହିଁ । ରୋହିତ ଭଲ ପ୍ରଦର୍ଶନ କରିନାହାନ୍ତି ଯାହାର ପ୍ରଭାବ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ପଡ଼ିଛି । ଦଳର ପ୍ରଦର୍ଶନରୁ ତାହା ସ୍ପଷ୍ଟ ଜଣାପଡ଼ୁଛି । ୧୨ଟି ମ୍ୟାଚ୍ ଖେଳିବା ପରେ ମଧ୍ୟ ଦଳ ପ୍ଲେ ଅଫ୍‌ରେ ନିଜକୁ ସାମିଲ କରିପାରି ନାହିଁ । ଅନ୍ୟପଟେ ଏହି ଦଳ ସର୍ବାଧିକ ୫ ଥର ଆଇପିଏଲ୍ ଟାଇଟଲ୍ ଜିତିଛି ।

ବିରାଟ କୋହଲି ଆରସିବି ପାଇଁ ଓପନିଂ କରୁଛନ୍ତି । ବର୍ତ୍ତମାନ ସୁଦ୍ଧାରେ ୫ଟି ଇନିଂସ ଖେଳିଛନ୍ତି । ସେଥିରେ ତାଙ୍କୁର ଦୁଇଟି ଅର୍ଦ୍ଧଶତକ ରହିଛି । ୫ଟି ଇନିଂସରେ ସେ ଯଥାକ୍ରମେ ୫, ୫୩, ୫୧, ୨୫ ଏବଂ ୨୫ ରନ୍ କରିଛନ୍ତି । ତେବେ ପାୱାରପ୍ଲେ ପରେ ତାଙ୍କ ଷ୍ଟ୍ରାଇକ୍ ହାର ହ୍ରାସ ଯୋଗୁଁ ତାଙ୍କୁ ସମାଲୋଚନା କରାଯାଇଛି । କିନ୍ତୁ ବିଶ୍ୱକପ ସମୟରେ ୟୁଏଇର ପିଚ୍ ଆହୁରି ମନ୍ଥର ହୋଇପାରେ ବୋଲି କୁହାଯାଉଛି । ଏଭଳି ପରିସ୍ଥିତିରେ କୋହଲିଙ୍କ ଓପନିଂ ପ୍ରଦର୍ଶନକୁ ଅଣଦେଖା କରାଯାଇପାରିବ ନାହିଁ ।

ୟୁଏଇରେ ପଞ୍ଜାବ କିଙ୍ଗସ୍ ପଞ୍ଚମ ମ୍ୟାଚ୍ ଖେଳୁଛି । କେଏଲ ରାହୁଲ ଏପର୍ଯ୍ୟନ୍ତ ୪ଟି ମ୍ୟାଚରେ ୪୯, ୨୧, ୬୭ ଏବଂ ୨୧ ରନ କରିଛନ୍ତି । ଅର୍ଥାତ୍ ସେ ପ୍ରତ୍ୟେକ ମ୍ୟାଚ୍‌ରେ ଭଲ ଷ୍ଟାର୍ଟ ଦେଇଛନ୍ତି । ସେ ୪ଟି ଇନିଂସରେ ୧୫୮ ରନ୍ କରିଛନ୍ତି । ରାହୁଲ ପଞ୍ଜାବ ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ଏଭଳି ପରିସ୍ଥିତିରେ ଯଦି ଆମେ ତିନିଜଣ ଖେଳାଳିଙ୍କ ପ୍ରଦର୍ଶନକୁ ଦେଖିବା, ତେବେ ରାହୁଲ ଏକ ନମ୍ବରରେ, କୋହଲି ଦ୍ୱିତୀୟ ଏବଂ ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିବେ । ତେଣୁ ଟି-୨୦ ବିଶ୍ୱକପରେ ଓପନର୍ ଭାବେ ଦଳ କାହାକୁ ସୁଯୋଗ ଦେଉଛି ତାହା ଦେଖିବାକୁ ବାକି ରହିଲା ।