ବିଜୟ ଉତ୍ସବ ପାଳିବା ପରେ ପରାଜିତ ହେଲା ଭାରତୀୟ କ୍ରିକେଟ୍‌ ଦଳ

ଏକ ରୋମାଞ୍ଚକ ମ୍ୟାଚରେ ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍‌ ଟିମ୍‌ ଭାରତକୁ ୫ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ଆଷ୍ଟ୍ରେଲିଆକୁ ଶେଷ ଓଭରରେ ୧୩ ରନ୍‌ ଆବଶ୍ୟକ ଥିଲା ।

Australia

ମେଲବର୍ଣ୍ଣ: ଏକ ରୋମାଞ୍ଚକ ମ୍ୟାଚରେ ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍‌ ଟିମ୍‌ ଭାରତକୁ ୫ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ଆଷ୍ଟ୍ରେଲିଆକୁ ଶେଷ ଓଭରରେ ୧୩ ରନ୍‌ ଆବଶ୍ୟକ ଥିଲା । ଯାହା ଦଳ ପାଇଁ ଏକ ପ୍ରକାର ଅସମ୍ଭବ କୁହାଯାଉଥିଲା । ହେଲେ ଖେଳାଳିମାନେ ଯଥା ସମ୍ଭବ ଚେଷ୍ଟା କରିଥିଲେ । ଆଉ ଶେଷ ବଲ୍‌ ପର୍ଯ୍ୟନ୍ତ ବିଜୟ ଆଶା ରଖିଥିଲେ । କିନ୍ତୁ ଅଷ୍ଟ୍ରେଲିଆ ପରାଜିତ ହେବ ବୋଲି ପ୍ରାୟ ସମସ୍ତେ ଭାବି ସାରିଥିଲେ । ଶେଷ ବଲ୍‌ରେ କେରି କ୍ୟାଚ୍‌ ଆଉଟ୍‌ ହୋଇଗଲେ । ଏହାପରେ ଭାରତୀୟ ଖେଳାଳିମାନେ ବିଜୟ ଉତ୍ସବ ଆରମ୍ଭ କରିଦେଲେ । କିନ୍ତୁ ଠିକ୍‌ ଏତିକିବେଳେ ଖେଳରେ ଆସିଥିଲା ଏକ ବଡ଼ ଟ୍ୱିଷ୍ଟ ।

ଥାର୍ଡ ଅମ୍ପାୟାର ସେହି ବଲକୁ ନୋ-ବଲ କହିଥିଲେ । ଆଉ ତାପରେ ପୁଣି ଲାଷ୍ଟ ବଲ୍‌ ପକାଯାଇଥିଲା । ସେହି ବଲ୍‌ରେ ଅଷ୍ଟ୍ରେଲିଆ ୨ ରନ୍ ସଂଗ୍ରହ କରି ମ୍ୟାଚ୍ ଜିତି ନେଇଥିଲା । ତେବେ ନୋ-ବଲକୁ ନେଇ ଏକ ବିବାଦ ମଧ୍ୟ ରହିଥିଲା । ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି । ବେଥ୍ ମୁନି ଏହି ମ୍ୟାଚ୍‌ରେ ଅପରାଜିତ ୧୨୫ ରନ୍ କରିଥିଲେ । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୨୭୪ ରନ୍ ସଂଗ୍ରହ କରିଥିଲା । ଦିନିକିଆରେ ଅଷ୍ଟ୍ରେଲିଆର ଏହା କ୍ରମାଗତ ୨୬ ତମ ବିଜୟ । ଦଳ ଗତ ୪ ବର୍ଷ ଧରି ମ୍ୟାଚ୍ ହାରିନାହିଁ ।

୨୭୫ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳ ଆରମ୍ଭ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୫୨ ରନ୍‌ରେ ୪ ୱିକେଟ୍ ହରାଇ ସାରିଥିଲା । ଏହା ପରେ ବେଥ୍ ମୁନି (୧୨୫*) ଏବଂ ତାହଲିଆ ମ୍ୟାକଗ୍ରେ (୭୪) ପଞ୍ଚମ ୱିକେଟ୍ ପାଇଁ ୧୨୬ ରନ୍ ଯୋଡି ଦଳକୁ ସମ୍ଭାଳି ନେଇଥିଲେ । ଅଫ୍ ସ୍ପିନର ଦୀପ୍ତି ଶର୍ମା ମ୍ୟାକ୍‌ଗ୍ରେଙ୍କୁ ଆଉଟ୍‌ କରିଥିଲେ । ଏହା ପରେ ମୁନି ଏବଂ ନିକୋଲା କେରି (୩୯*) ୯୭ ରନ୍‌ର ଭାଗିଦାରୀ କରି ଦଳକୁ ବିଜୟ କରାଇଥିଲେ । ଶେଷ ୫ ଓଭରରେ ଅଷ୍ଟ୍ରେଲିଆକୁ ୪୬ ରନ୍ ଆବଶ୍ୟକ ଥିଲା ।

ଶେଷ ଓଭରର ପ୍ରଥମ ବଲରେ ମୁନି ତିନି ରନ୍ ନେଇଥିଲେ । କେରି ଦ୍ୱିତୀୟ ବଲରେ ଦୁଇ ରନ୍ ନେଇଥିଲେ । ଏବେ ୪ ବଲରେ ୮ ରନ୍ ଦରକାର ଥିଲା । ତୃତୀୟ ବଲ୍‌ ନୋବଲ୍ । ଫୁଲ୍‌ଟସ୍ ବଲ୍ କେରିଙ୍କ ହେଲମେଟରେ ବାଜି ଥିଲା । ଏବେ ଅଷ୍ଟ୍ରେଲିଆକୁ ଶେଷ ୪ ବଲରେ ୭ ରନ୍ କରିବାକୁ ଥିଲା । ତୃତୀୟ ବଲରେ ଏକ ଲେଗ୍ ବାଇ ରନ୍ ମିଳିଥିଲା । ଚତୁର୍ଥ ବଲରେ ମୁନି ଏକ ରନ୍ ନେଇଥିଲେ । ଏହା ମଧ୍ୟ ଲେଗ୍‌ବାଇ ଥିଲା । କେରି ପଞ୍ଚମ ବଲରେ ଦୁଇ ରନ୍‌ ନେଇଥିଲେ । ଷଷ୍ଠ ବଲ୍ ପୁଣି ନୋ-ବଲ୍ । ଶେଷରେ ଗୋଟିଏ ବଲରେ ୨ ରନ୍ ବାକି ଥିଲା । ଏହି ଶେଷ ବଲ୍‌ରେ ମୁନି ଦୁଇ ରନ୍‌ କରି ଅଷ୍ଟ୍ରେଲିଆକୁ ସିରିଜ ବିଜୟ କରାଇଥିଲେ ।