• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭାରତକୁ ସ୍ୱର୍ଣ୍ଣ ଆଶା ଦେଲେ ରବି କୁମାର ।

  • ମହିଳା ହକିରୁ ସ୍ୱର୍ଣ୍ଣ ଆଶା ମଉଳିଲା ।

  • ନୀରଜ ଚୋପ୍ରାଙ୍କ ଜବରଦସ୍ତ ପ୍ରଦର୍ଶନ ।

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଶା । ଫ୍ରି-ଷ୍ଟାଇଲ୍ କୁସ୍ତି ଫାଇନାଲରେ ରବି ଦହିୟା ଫାଇନାଲରେ ପହଂଚି ରୌପ୍ୟ ପଦକ ପକ୍କା କରିବା ସହ ଏହି ଆଶା ଦେଖାଇଛନ୍ତି । ମହିଳା ବକ୍ସିଂରେ ଲଭଲିନା ଆଜି ବ୍ରୋଞ୍ଜ ପଦକ ପାଇଛନ୍ତି ।

ଅନ୍ତ ହେବ ୧୩ ବର୍ଷର ପ୍ରତୀକ୍ଷା ! ୨୦୦୮ରେ ଅଲିମ୍ପିକ୍ସ ସୁଟିଂରେ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ଅଭିନବ ବିନ୍ଦ୍ରା । ତା ପରଠାରୁ ଆଉ ଗୋଲ୍ଡ ଦେଖିନାହିଁ ଭାରତ । ଏବେ ସାରା ଦେଶକୁ ପୁଣି ସ୍ୱର୍ଣ୍ଣ ପଦକ ଆଶା ଦେଖାଇଛନ୍ତି ରେସଲର ରବି ଦାହିୟା । ରେସଲିଂର ୫୭ କେଜି ଫ୍ରି ଷ୍ଟାଇଲ୍ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ରବି । ସେମି ଫାଇନାଲରେ କାଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କୁ ହରାଇ ଦେଶ ପାଇଁ ଚତୁର୍ଥ ମେଡାଲ୍ ପକ୍କା କରିଛନ୍ତି ରବି । ଏକଦା ୨-୯ରେ ପଛରେ ଥିବା ରବି ଦମଦାର କମବ୍ୟାକ୍ କରି ସ୍କୋର  ୭-୯କୁ ପହଂଚାଇଥିଲେ । ଶେଷ ମିନିଟରେ ଶକ୍ତିଶାଳୀ ଟ୍ୟାକେଲ ସହ ରବି କୁମାର ନୁରିସ୍ଲାମଙ୍କୁ ତଳେ ପକାଇ ଦେଇଥିଲେ । ଏହା ପରେ ନୁରିସ୍ଲାମଙ୍କୁ ଅମ୍ପାୟାର ଅନଫିଟ୍ ଘୋଷଣା କରି ରବି କୁମାରଙ୍କୁ ବିଜୟୀ ଘୋଷିତ କରିଥିଲେ ।

ଏହି ମୂହୁର୍ତ୍ତକୁ ଅପେକ୍ଷା କରିଥିଲା ସାରା ଦେଶ । ଆଉ କୁସ୍ତିର ଏନ୍ତୁଡିଶାଳ କୁହାଯାଉଥିବା ହରିୟାଣା ସୋନିପତ ଜିଲ୍ଲାର ରବିଙ୍କ ଗାଁ ନହରିରେ ତ ଆନନ୍ଦର ଲହରୀ ଖେଳିଯାଇଥିଲା । ଖୁସିରେ ଝୁମି ଉଠିଥିଲେ ପରିବାର ଓ ସାହି ପଡିଶା ।

ସେପଟେ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସଫଳତା ଦେଇଛନ୍ତି ବକ୍ସର ଲଭଲିନା ବୋର୍ଗେନ୍ । ମହିଳା ୬୯ କେଜି ବର୍ଗରେ ଲଭଲିନା ବ୍ରୋଞ୍ଜ ପଦକ ଜିତି ଭାରତର ପଦକ ସଂଖ୍ୟାକୁ ୩ରେ ପହଞ୍ଚାଇଛନ୍ତି । ସେମିଫାଇନାଲରେ ଲଭଲିନା, ବିଶ୍ୱ ଚାମ୍ପିଅନ ବୁସାନେଜ ସୁରମେନିଲ୍‌ଙ୍କ ଠାରୁ ହାରିଯାଇଥିଲେ । ତେବେ ଅଲିମ୍ପିକ୍ସ ବକ୍ସିଂ ନିୟମ ଅନୁଯାୟୀ ମ୍ୟାଚରେ ହାରିଥିଲେ ମଧ୍ୟ ସେମିଫାଇନାଲିଷ୍ଟ ଭାବେ ଲଭଲିନାକୁ ବ୍ରୋଞ୍ଜ ପଦକ ମିଳିଛି ।

ଆଥଲେଟ୍ ନୀରଜ ଚୋପ୍ରା ନିଜର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଦେଖାଇଛନ୍ତି ପଦକ ଆଶା । ଜାଭେଲିନ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟର ଉଭୟ ଗ୍ରୁପରେ ଶୀର୍ଷରେ ରହି ଫାଇନାଲରେ ପହଞ୍ଚିଛନ୍ତି ନୀରଜ । ୮୬.୬୫ ମିଟର ଦୂରକୁ ଜାଭଲିନ୍ ଫିଙ୍ଗି ଏହି ସଫଳତା ପାଇଥିବା ନୀରଜ ଆସନ୍ତା ୭ ତାରିଖରେ ଫାଇନାଲ ଇଭେଣ୍ଟରେ ମୈଦାନକୁ ଓହ୍ଲାଇବେ ।

ଏସବୁ ଭିତରେ ମହିଳା ହକିର ଏକ ହାଇଭୋଲଟେଜ୍ ସେମିଫାଇନାଲ୍‌ରେ ଆଜି ଆର୍ଜେଣ୍ଟିନା ସହ ଲଢେଇ କରି ହାରିଛି ରାଣୀ ରାମପାଲଙ୍କ ଟିମ୍ । ତେବେ ସମସ୍ତଙ୍କୁ ଚମକ୍ତୃତ କରି ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଥିବା ଭାରତୀୟ ମହିଳା ହକି ଟିମ୍ ଠାରୁ ଏବେବି ବ୍ରୋଞ୍ଜ ପଦକ ଆଶା ଉଜ୍ଜୀବୀତ ଅଛି । ସେପଟେ ସେମିଫାଇନାଲ୍‌ରେ ପରାସ୍ତ ହୋଇଥିବା ପୁରୁଷ ହକି ଟିମ ଆସନ୍ତାକାଲି ପୋଡିୟମ୍ ଫିନିସ୍ କରିବା ଲକ୍ଷ୍ୟରେ ଜର୍ମାନୀ ସହ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିବ ।