• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ୩-୦ରେ କ୍ଲିନ୍‌ ସୁଇପ୍ କରିଛି । ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆଗାମୀ ୨୫ ନଭେମ୍ବରରୁ ଆରମ୍ଭ ହେଉଛି । ଘରୋଇ ମାଟିରେ ଭାରତୀୟ ଦଳର ରେକର୍ଡ ଭଲ ରହିଛି । କିନ୍ତୁ ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ରୋହିତ ଶର୍ମାଙ୍କ ପର୍ଯ୍ୟନ୍ତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଖେଳିବେ ନାହିଁ । ତେବେ ଏହା ଭିତରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ସେ ପ୍ରଥମେ ଦଳରେ ସ୍ଥାନ ପାଇନଥିଲେ । ପ୍ରଥମ ଟେଷ୍ଟରେ ଅଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱ ତୁଲାଇବେ । ଏହି ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଏକ ଅଂଶ ।

ତେବେ ସୂର୍ଯ୍ୟକୁମାର ଯାଦବ ଗତ ଦୁଇଟି ଟି -୨୦ ମ୍ୟାଚରେ ନିରାଶା ଜନକ ପ୍ରଦର୍ଶନ କରିଥିଲେ ବି ତାଙ୍କୁ ଦଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୂର୍ଯ୍ୟକୁମାର ଟିମ୍‌ରେ ସାମିଲ ହେବା ପାଇଁ କୋଲକାତାରୁ କାନପୁର ଅଭିମୁଖେ ବାହାରିଛନ୍ତି । କାରଣ ପ୍ରଥମ ଟେଷ୍ଟ ମ୍ୟାଚ୍‌ କାନପୁରରେ ଖେଳାଯିବ । ୩୧ ବର୍ଷୀୟ ସୂର୍ଯ୍ୟକୁମାର ପ୍ରଥମ ଟି -୨୦ରେ ଚମତ୍କାର ଇନିଂସ ଖେଳି ଦମ୍‌ଦାର ୬୨ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ପରବର୍ତ୍ତୀ ୨ଟି ମ୍ୟାଚ୍‌ରେ ସେ ଏକ ରନ୍‌ ଏବଂ ଶୂନ୍ୟରେ ଆଉଟ୍‌ ହୋଇଥିଲେ । କିନ୍ତୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ଟି-୨୦ରେ ତାଙ୍କ ପ୍ରଦର୍ଶନ ଭଲ ରହିଛି ।

୪୦ରୁ ଅଧିକ ଥର ୫୦ ରନ୍‌ କରିଛନ୍ତି

ମୁମ୍ବାଇର ଏହି ସୂର୍ଯ୍ୟକୁମାର ଯାଦବ ଫାଷ୍ଟ କ୍ଲାସ୍‌ରେ ଭଲ ରେକର୍ଡ ରହିଛି । ସେ ୧୨୯ଟି ଇନିଂସ ଖେଳିଥିବା ବେଳେ ୩୮ ହାରରେ ମୋଟ୍‌ ୫୩୨୬ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୧୪ଟି ଶତକ ରହିଥିବା ବେଳେ ୨୬ଟି ଅର୍ଦ୍ଧଶତକ ରହିଛି । ଅର୍ଥାତ୍ ସେ ୪୦ ଥର ୫୦ରୁ ଅଧିକ ରନର ଇନିଂସ ଖେଳିଛନ୍ତି । ସେ ୨୦୦ ରନର ସର୍ବୋଚ୍ଚ ଇନିଂସ ମଧ୍ୟ ଖେଳିଛନ୍ତି । ସେ ଭାରତ ପାଇଁ ୩ଟି ଦିନିକିଆ ଏବଂ ୧୧ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହି କ୍ରମରେ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ସୁଯୋଗ ଦିଆଯାଇପାରେ ।

ଚତୁର୍ଥ ସ୍ଥାନରେ ଆସିପାରନ୍ତି ଶ୍ରେୟସ ଆୟର୍‌

ଟେଷ୍ଟ ଦଳରେ ଶ୍ରେୟସ୍ ଆୟର ସ୍ଥାନ ପାଇଛନ୍ତି । ବିରାଟ କୋହଲି ପ୍ରଥମ ଟେଷ୍ଟରେ ଖେଳୁ ନାହାନ୍ତି । ତେଣୁ ଆୟରଙ୍କୁ ୪ ନମ୍ବରରେ ଦଳ ମଇଦାନକୁ ଛାଡ଼ିପାରେ ବୋଲି ଅନୁମାନ କରାଯାଉଛି । ୨୬ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍ ଫାଷ୍ଟ କ୍ଲାସ୍‌ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି । ସେ ୯୨ଟି ଇନିଂସ ଖେଳିଥିବା ବେଳେ ୫୨ ହାରରେ ୪୫୯୨ ରନ୍‌ କରିଛନ୍ତି । ସେଥିରେ ୧୨ ଶତକ ଏବଂ ୨୩ ଅର୍ଦ୍ଧଶତକ ସାମିଲ ଅଛି । ତାଙ୍କ ନାଁରେ ମଧ୍ୟ ୨୦୨ ରନ୍‌ର ଲମ୍ବ ଇନିଂସ ଖେଳିବାର ରେକର୍ଡ ରହିଛି ।

ପ୍ରଥମ ଟେଷ୍ଟରେ କେ.ଏଲ୍ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଓପନିଂ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଚେତେଶ୍ୱର ପୂଜାରା ୩ ନମ୍ବରରେ ଖେଳିବା ନିଶ୍ଚିତ । ଏହି କ୍ରମରେ ନମ୍ବର ୪ରେ ଶ୍ରେୟସ୍ ଆୟର ମଇଦାନକୁ ଓହ୍ଲାଇବେ ନଚେତ୍‌ ଶୁଭମାନ ତାଙ୍କ ବିକଳ୍ପ ରହିଛନ୍ତି ।