• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁମ୍ବାଇ: ନ୍ୟୁଜିଲାଣ୍ତ ବିପକ୍ଷ ୱାଙ୍ଖଡେ ଟେଷ୍ଟରେ ଡ୍ରାଇଭର ସିଟରେ ବସିଛି ଟିମ ଇଣ୍ଡିଆ । ଆଜି ଦ୍ୱିତୀୟ ଇନିଂସରେ ସ୍କୋର ୬୯ ରନରୁ ଖେଳ ଆରମ୍ଭ କରିବ ଭାରତ । ଭାରତ ତାର ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନହରାଇ ୬୯ ରନ କରିଛି । ଏହା ପୂର୍ବରୁ ଭାରତ ଗତକାଲି ୩୨୫ ରନରେ ଅଲ ଆଉଟ ହୋଇଥିଲା । ଫଳରେ ୧୦ ୱିକେଟ୍ ସୁରକ୍ଷିତ ରଖି ଭାରତ ୩୩୨ ରନ୍‌ରେ ଆଗୁଆ ରହିଛି । ଦ୍ୱିତୀୟ ଦିନରେ ଭରତୀୟ ସ୍ପିନରଙ୍କ କମାଲ ବଳରେ କିୱି ଦଳକୁ ପ୍ରଥମ ଇନିଂସରେ ମାତ୍ର ୬୨ ରନରେ ପାଭିଲିୟନ ରାସ୍ତା ଦେଖାଇ ଜବରଦସ୍ତ ଝଟକା ଦେଇଛି ଭାରତ । ଆର୍. ଅଶ୍ୱୀନ ୪ଟି, ମହମ୍ମଦ ସିରାଜ ୩ଟି ଏବଂ ଅକ୍ଷର ପଟେଲ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ଗତକାଲି ମୁମ୍ବାଇ ଟେଷ୍ଟ ମ୍ୟାଚରେ ଇତିହାସ ସୃଷ୍ଟି ହୋଇଛି । ନ୍ୟୁଜିଲ୍ୟାଣ୍ଡର ଏଜାଜ୍ ପଟେଲ ଭାରତର ୧୦ ୱିକେଟ୍ ନେଇଥିଲେ । ସେ ବିଶ୍ୱର ତୃତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ପରଫେକ୍ଟ ଟେନ୍‌ ଅର୍ଥାତ ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଛନ୍ତି । ଏହା ସହିତ ସେ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ ରେକର୍ଡ ସହ ସମାନ ହୋଇ ପାରିଛନ୍ତି । ମୁମ୍ବାଇ ଟେଷ୍ଟର ପ୍ରଥମ ଇନିଂସରେ ଏଜାଜ ପଟେଲ ଟିମ୍ ଇଣ୍ଡିଆର ସମସ୍ତ ଦଶ ଜଣ ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ନେଇଛନ୍ତି ।

ଭାରତୀୟ ବଂଶୋଦ୍ଭବ ବୋଲର ଏଜାଜ୍ ପଟେଲ ଆଠବର୍ଷ ବୟସରୁ ନ୍ୟୁଜିଲାଣ୍ଡରେ ରହୁଛନ୍ତି । ୧୯୯୬ରୁ ତାଙ୍କ ବାପା ମା’ ଭାରତ ଛାଡ଼ି ନ୍ୟୁଜିଲ୍ୟାଣ୍ଡ ଚାଲି ଯାଇଥିଲେ। ସେବେଠାରୁ ଏଜାଜ ସେହିଠାରେ ହିଁ କ୍ରିକେଟ ଖେଳୁଛନ୍ତି । ଏଜାଜ୍ ଏକାକୀ ଭାରତର ସମସ୍ତ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଇଥିଲେ । ଏଜାଜ୍ ୧୧୯ରନ ଦେଇ ୧୦ଟି ଉଇକେଟ ଅକ୍ତିଆର କରିଛନ୍ତି ।