• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ଆଉ ୨୪ ଅକ୍ଟୋବରରେ ପାକିସ୍ତାନ ବିରୋଧରେ ମଇଦାନକୁ ଓହ୍ଲାଇ ଭାରତ ଆରମ୍ଭ କରି ବିଶ୍ୱକପ୍‌ ଅଭିଯାନ । ତେବେ ଏହା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୱିକେଟ୍‌ କିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ଥଙ୍କୁ ଦେଇଛନ୍ତି ଏକ ବଡ଼ ଚ୍ୟାଲେଞ୍ଜ । ଯଦି ପନ୍ଥ ସେହି ଚ୍ୟାଲେଞ୍ଜ ପୁରା କରିବାରେ ସଫଳ ହେଉନାହାନ୍ତି ତେବେ ତାଙ୍କୁ ବିଶ୍ୱକପ୍‌ରେ ବିଶ୍ରମ ଦିଆଯିବାର ସମ୍ଭାବନା ରହିଛି । ଏକଥା ଆମେ କହୁନାହୁଁ ବରଂ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ବ୍ରଡ୍‌କାଷ୍ଟର ଷ୍ଟାରସ୍ପୋର୍ଟ୍ସର ନୂଆ ପ୍ରମୋସନାଲ ଭିଡିଓରେ କୋହଲି ଦେଇଛନ୍ତି ଋଷଭଙ୍କୁ ଚେତାବନୀ । ଏହି ଭିଡିଓରେ କୋହଲି ପ୍ରବଳ ମାତ୍ରାରେ ଋଷଭଙ୍କର ମଜାକ୍‌ ଉଡ଼ାଇଥିବା ଦେଖାଯାଇଛି ।

ଷ୍ଟାର ସ୍ପୋର୍ଟ୍ସ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଯେଉଁ ଭିଡିଓ ସେୟାର କରିଛନ୍ତି । ସେଥିରେ ପନ୍ଥ ଏବଂ କୋହଲି ଉଭୟ ଉଭୟଙ୍କର ମଜାକ୍‌ ଉଡ଼ାଉଛନ୍ତି । ଫ୍ୟାନ୍ସମାନେ ମଧ୍ୟ ଏହି ଭିଡିଓକୁ କାଫି ପସନ୍ଦ କରିଛନ୍ତି । ଏହି ଭିଡିଓର ଆରମ୍ଭରେ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ଥଙ୍କୁ ଅଧିନାୟକ ବିରାଟ କୋହଲି କହୁଛନ୍ତି, ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ଛକା ହିଁ ମ୍ୟାଚ୍‌ ଜିତାଇଥାଏ । ଏହାର ଉତ୍ତରରେ ପନ୍ଥ କହୁଛନ୍ତି, ଚିନ୍ତା କର ନାହିଁ ଭାଇ, ମୁଁ ପ୍ରତ୍ୟେକ ଦିନ ଅଭ୍ୟାସ ଜାରି ରଖିଛି । ଆପଣଙ୍କୁ ତ ନିଶ୍ଚିତ ମନେ ଥିବ ଯେ, ଭାରତକୁ ଜଣେ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ହିଁ ଛକା ମାରି ବିୱକପ୍‌ ବିଜେତା କରିଥିଲା ।

ଏହାର ଜବାବରେ ବିରାଟ କୋହଲି କହୁଛନ୍ତି, ହଁ.. କିନ୍ତୁ ଭାରତ ପାଖରେ ଏବେ ସୁଦ୍ଧା ମାହି ଭାଇଙ୍କ ଭଳି କେହି ୱିକେଟ୍‌ କିପର ନାହାନ୍ତି । ଏହାପରେ ପନ୍ଥ କହୁଛନ୍ତି ‘ଭାଇ ମୁଁ ଅଛି ନା ଆପଣଙ୍କର ୱିକେଟ୍ କିପର’ । ପନ୍ଥଙ୍କ ଏହି କଥା ଶୁଣିବା ପରେ କୋହଲି କହିଲେ, ମୋ ପାଖରେ ଅନେକ ୱିକେଟ୍‌ କିପର ରହିଛନ୍ତି, ୱାର୍ମଅପ୍‌ ମ୍ୟାଚ୍‌ରେ କାହାକୁ ମଇଦାନକୁ ଓହ୍ଲାଇବା ତାହା ଚିନ୍ତା କରିବାକୁ ପଡ଼ିବ । ଏହାପରେ ପନ୍ଥ ପୁରା ଶାନ୍ତ ପଡ଼ିଗଲେ ।

 

ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟ୍ ଦଳ ୧୮ ଓ ୨୦ ଅକ୍ଟୋବରରେ ୱାର୍ମଅପ୍‌ ମ୍ୟାଚ୍ ଖେଳିବ । ଏହାପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନ ବିରୋଧରେ ୨୪ ଅକ୍ଟୋବରରେ ଭାରତ ମଇଦାନକୁ ଓହ୍ଲାଇବ । ଏହାପରେ ୩୧ ଅକ୍ଟୋବରରେ ନ୍ୟୁଜଲ୍ୟାଣ୍ଡ ଓ ୩ ନଭେମ୍ବରରେ ଆଫ୍‌ଗାନିସ୍ତାନ ସହ ଖେଳିବ ଭାରତ ।