• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦୈନିକ ୨ ହଜାର ପର୍ଯ୍ୟଟକ କରିପାରିବେ ସୂର୍ଯ୍ୟ ମନ୍ଦିର ଦର୍ଶନ

  • ପର୍ଯ୍ୟଟକଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନଲାଇନରେ ଟିକେଟ ବ୍ୟବସ୍ଥା

କୋଣାର୍କ : ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । କରୋନା ମହାମାରୀ ପାଇଁ ଲକଡାଉନ ଯୋଗୁଁ ବନ୍ଦ ରହିଥିବା ବିଶ୍ୱ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଖୋଲିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘଦିନ ପରେ ଚଳଚଞ୍ଚଳ ହୋଇ ଉଠିଛି କୋଣାର୍କ ଓ ଚନ୍ଦ୍ରଭାଗା । ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ଚନ୍ଦ୍ରଭାଗା ବେଳାଭୂମିରେ ବୁଲିବା ସହ ସମୁଦ୍ରରେ ଗାଧୋଇ ମଜ୍ଜା ନେଉଛନ୍ତି, ହେଲେ ମନ୍ଦିର ଖୋଲିନଥିବାରୁ ନିରାଶ ହେଉଛନ୍ତି ।

ପର୍ଯ୍ୟଟନ କ୍ଷେତ୍ର ଖୋଲିବା ଯୋଗୁଁ ଏହି ଶିଳ୍ପ ଉପରେ ର୍ନିଭରସିଲ ହଜାର ହଜାର ହସ୍ତଶିଳ୍ପ ବ୍ୟବସାୟୀ, ଫୋଟୋଗ୍ରାଫର, ଗାଇଡ, ହୋଟେଲ ବ୍ୟବସାୟୀଙ୍କ ମନରେ ନୂଆ ଆଶା ସଂଚାର ହୋଇଛି । ଅନ୍ୟପକ୍ଷରେ କୋଭିଡ ଗାଇଡଲାଇନ ଅନୁସାରେ ସୂର୍ଯମନ୍ଦିର ସମେତ ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ର ଖୋଲିବାକୁ ପର୍ଯ୍ୟଟକ ଓ ସ୍ଥାନୀୟ ବ୍ୟବସାୟୀ ଦାବି କରିଛନ୍ତି ।

ସେପଟେ ଆସନ୍ତାକାଲି ଠାରୁ ସମ୍ବଲପୁରର ପ୍ରସିଦ୍ଧ ମା ସମଲେଇଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ମାଙ୍କୁ ପ୍ରତ୍ୟକ୍ଷ ଭାବେ ଦର୍ଶନ କରିବା ସହ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ମଧ୍ୟ ଯାଇପାରିବେ ଶ୍ରଦ୍ଧାଳୁ । କାରଣ କାଲିଠାରୁ ଖୋଲିବ ସବୁ ଧର୍ମାନୁଷ୍ଠାନ ଦ୍ୱାର । ବିଶୋଧନ ଏବଂ ରକ୍ଷଣାବେକ୍ଷଣ ଲାଗି କେବଳ ସୋମବାର ଧର୍ମାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ ବୋଲି ଜଣାପଡ଼ିଛି ।

ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଯଦି କୌଣସି ଧର୍ମାନୁଷ୍ଠାନ ରହେ ତେବେ ଅନୁମତି ଦିଆଯିବନି ବୋଲି ଏସଓପିରେ ଦର୍ଶାଯାଇଛି । ତାସହ ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ଅଗଷ୍ଟ ମାସର ଗାଇଡଲାଇନରେ ପର୍ଯ୍ୟଟନ ସ୍ଥଳ ଓ ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ଅନୁମତି ମିଳିବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତି । ମଙ୍ଗଳବାର ଖୋଲିପାରେ ନନ୍ଦନକାନନ। ସ୍ଥିତି ଅନୁଧ୍ୟାନ ପରେ ଏହି ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ମହାପାତ୍ର। ଚିଡ଼ିଆଖାନା ଖୋଲିଲେ ବି ଭିତରେ ବ୍ୟାଟେରି ଚାଳିତ ଗାଡ଼ିକୁ ଅନୁମତି ମିଳିବ ନାହିଁ । ଏମିତିକି ବୋଟିଂ ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ। ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ ବୋଲି ସେ କହିଛନ୍ତି ।