• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚର୍ଚ୍ଚାରେ ମନସୁଖ ମାଣ୍ଡଭୀୟ, ନୀତିନ ପଟେଲ ଓ ସିଆର ପାଟିଲଙ୍କ ନାଁ

  • ବିଜେପି ବିଧାୟକ ଦଳ ବୈଠକରେ ଆଜି ହୋଇପାରେ ନିଷ୍ପତ୍ତି

ଅହମଦାବାଦ : ଗୁଜରାଟରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ନିର୍ବାଚନର ପ୍ରାୟ ଏକ ବର୍ଷ ପୂର୍ବରୁ ବିଜେପି ରାଜ୍ୟରେ ସରକାରଙ୍କ ଚେହେରା ପରିବର୍ତ୍ତନ ହେବାକୁ ଯାଉଛି । ଏ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଆଜି ବସିପାରେ ବିଜେପି ବିଧାୟକ ଦଳ ବୈଠକ । ଏଥିରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ସାମିଲ ହୋଇପାରନ୍ତି । ବିଜୟ ରୁପାଣୀଙ୍କ ସ୍ଥାନରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ବୈଠକରେ ନାଁ ଚୂଡ଼ାନ୍ତ ହୋଇପାରେ । ରୁପାଣୀଙ୍କ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଏବଂ ଗୁଜରାଟ ବିଜେପି ମୁଖ୍ୟ ସିଆର ପାଟିଲଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ହେଲେ ଏନେଇ ଦଳୀୟ ନିଷ୍ପତ୍ତି କଣ ରହିବ, ତାଉପରେ ସମସ୍ତଙ୍କର ନଜର ।

ଏପଟେ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜୟ ରୁପାଣୀ କହିଛନ୍ତି, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଦଳ ନିଷ୍ପତ୍ତି ନେବ ।  ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବେ । ଜେପି ନଡ୍ଡାଙ୍କର ମାର୍ଗଦର୍ଶନ ବି ମିଳିଥିବା ମଧ୍ୟ କହିଛନ୍ତି ରୁପାଣୀ । ସେ ପଦ ନୁହେଁ, ବରଂ ଦାୟିତ୍ୱ ଚାହାନ୍ତି ବୋଲି କହିଛନ୍ତି । ତାଙ୍କୁ ଯେଉଁ ଦାୟିତ୍ୱ ମିଳିଥିଲା ସେ ସବୁ ସୂଚାରୁ ରୂପେ ପାଳନ କରିଥିବା କହିଛନ୍ତି । ପ୍ରଦେଶର ପୂର୍ବ ନିର୍ବାଚନ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲଢ଼ିଥିବାବେଳେ ୨୦୨୨ ନିର୍ବାଚନ ମଧ୍ୟ ତାଙ୍କରି ନେତୃତ୍ୱରେ ପରିଚାଳିତ ହେବ ବୋଲି ରୁପାଣୀ କହିଛନ୍ତି ।

୨୦୧୬ ଅଗଷ୍ଟ ୭ରେ ପ୍ରଥମ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ରୁପାଣୀ । ଏହାପରେ ୨୦୧୭ ବିଧାନସଭା ନିର୍ବାଚନ ପରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କର୍ଣ୍ଣାଟକ, ଉତ୍ତରାଖଣ୍ଡ ପରେ ଗୁଜରାଟରେ ବିଜେପି ନେତୃତ୍ୱ ପରିବର୍ତ୍ତନ କରିଛି। ଗତମାସରେ ରୂପାନୀଙ୍କ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳକୁ ୫ ବର୍ଷ ପୂରିଥିଲା। ୨୦୨୨ରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ତାପୂର୍ବରୁ ରୁପାଣୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି ।