• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କମନ୍‌ମ୍ୟାନ୍ ଅନ୍ଦାଜ ।

  • ଟ୍ରେନ୍‌ରେ ଯାତ୍ରୀଙ୍କ ସହ ମିଶି ଗପିଲେ, ଆଦିବାସୀଙ୍କ ସହ ନାଚଗୀତ କଲେ ।

  • ଚାହା ବିସ୍କୁଟ୍ ଖାଇ ମୋବାଇଲ୍‌ରେ ଅନ୍‌ଲାଇନ୍‌ ପେମେଣ୍ଟ ବି କଲେ ।

କୋରାପୁଟ: ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କମନ୍‌ମ୍ୟାନ୍ ଅନ୍ଦାଜ । ଟ୍ରେନ୍‌ରେ ଯାତ୍ରୀଙ୍କ ସହ ମିଶି ଗପିଲେ, ଆଦିବାସୀଙ୍କ ସହ ନାଚଗୀତ କଲେ, ଚାହା ବିସ୍କୁଟ୍ ଖାଇ ମୋବାଇଲ୍‌ରେ ଅନ୍‌ଲାଇନ୍‌ ପେମେଣ୍ଟ ବି କଲେ । ବିଜେପିର ଜନ ଆଶୀର୍ବାଦ ଯାତ୍ରା ଅବସରରେ ଏଭଳି ନିଆରା ଅନ୍ଦାଜ ଦେଖିବାକୁ ମିଳିଥିଲା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ।

ବିଜେପିର ଜନ ଆଶୀର୍ବାଦ ଯାତ୍ରା ଚାଲିଥିବା ବେଳେ ଦକ୍ଷିଣ ଓଡିଶାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ରାୟଗଡାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି ରେଳ ମନ୍ତ୍ରୀ । ରାୟଗଡ଼ାରୁ କୋରାପୁଟ ଯିବା ବାଟରେ ବିଭିନ୍ନ ଛକରେ ରେଳ ମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ଲକ୍ଷ୍ମୀପୁରରେ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଅଶ୍ୱିନୀ ।

ଆଜି ସକାଳେ ସେ ରାୟଗଡ଼ାରେ ପହଞ୍ଚିବା ପରେ ପ୍ରଥମେ ମାଆ ମଝିଘରିଆଣୀ ମନ୍ଦିର ଯାଇ ଦର୍ଶନ କରିଥିଲେ । ଏକ ରୋଡ୍ ସୋ କରିବା ସହ ସ୍ଥାନୀୟ ଆଦିବାସୀଙ୍କ ସହ ମିଶି ନାଚିଥିଲେ । ରାୟଗଡାରେ ନୂତନ ରେଳ ଡିଭିଜନର କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ପ୍ରସ୍ତାବିତ ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଅଶ୍ୱିନୀ । ସମସ୍ତଙ୍କ ସହଯୋଗରେ ସାମୁହିକ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି । ପୂର୍ବ ଭାରତର ସର୍ବାଙ୍ଗୀନ ଉନ୍ନତି ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ସେଥିପାଇଁ ବିଶେଷକରି ଓଡିଶା ଉପରେ ଫୋକସ କରିଛନ୍ତି କେନ୍ଦ୍ର ସରକାର ।

ଚଳିତ କ୍ୟାବିନେଟରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ରେଳ, ଗମନାଗମନ, ଶିକ୍ଷା, ଜଳସମ୍ପଦ, ଜନଜାତି ବିକାଶ, ଦୁରସଂଚାର ଭଳି ୭ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଛି । ତେଣୁ ଆଗାମୀ ଦିନରେ ସବୁ ଗାଁକୁ ରାସ୍ତା, ଘର ଘରକୁ ସ୍ୱଚ୍ଛ ପାନୀୟ ଜଳ, ରେଳ ସଂଯୋଗ, ଇଣ୍ଟରନେଟ ବ୍ୟବସ୍ଥା, ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶୃତି ବଦ୍ଧ ବୋଲି କହିଛନ୍ତି ରେଳମନ୍ତ୍ରୀ ।