• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପିପିଲି ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର ।

  • ପ୍ରଚାରରେ ଜି ଜାନ୍ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ ।

ପିପିଲି: ପିପିଲି ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଏଥିଲାଗି ପ୍ରଚାରରେ ଜି ଜାନ୍ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ତାଙ୍କର ପ୍ରଚାର ଜୋରଦାର କରିଥିବା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମଧ୍ୟ ପରିଶ୍ରମ କରୁଥିବା ନଜର ଆସିଛନ୍ତି ।

ପିପିଲି ୨୪ ନମ୍ବର ଜୋନ୍‌ର ରଥ ପୁରୁଷୋତ୍ତମପୁର, ସରସ୍ୱତୀପୁର ଓ ତେଇଶିପୁର ପଞ୍ଚାୟତରେ ନିଜ କର୍ମୀ ଏବଂ ସମର୍ଥକଙ୍କୁ ଧରି ଗାଁ ଗାଁ ବୁଲି ଲୋକମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି ଆଶ୍ରିତ । ଏଥର ପିପିଲିବାସୀ ନିଶ୍ଚିତ ପରିବର୍ତ୍ତନ କରିବେ ବୋଲି ଆଶା ରଖିଛନ୍ତି ଆଶ୍ରିତ ପଟ୍ଟନାୟକ । ବିଜେପି ପକ୍ଷରୁ ଆଜି ପିପିଲିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି ।

ସେହିପରି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମଧ୍ୟ ପିପିଲି ଏନଏସିର ବିଭିନ୍ନ ଓ୍ୱାର୍ଡ ବୁଲି ପ୍ରଚାର ଚଳାଇଛନ୍ତି । ପୁଣି ଥରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ପ୍ରୟାସ ଚଳାଇଛନ୍ତି ରୁଦ୍ର ପ୍ରତାପ । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ମଧ୍ୟ ଶେଷ ଦିନରେ ପ୍ରଚାରକୁ ଜୋରଦାର କରିଛନ୍ତି । ଡେଲାଙ୍ଗ ବ୍ଲକ୍‌ର ସୁଜନପୁର ଏବଂ ପତନପୁରରେ ଘରକୁ ଘର ବୁଲି ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି ବିଶ୍ୱକେଶନ ।

ସେହିଭଳି ଗତକାଲି ବି ପ୍ରଚାର ଜୋରଦାର କରିଥିଲା ବିଜେପି । ଆଶ୍ରିତଙ୍କ ପାଇଁ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଡେଲାଙ୍ଗର ବେରବୋଇ, ମୁନିଦା ଆଦି ପଞ୍ଚାୟତରେ ଗତକାଲି ଡୋର ଟୁ ଡୋର କ୍ୟାମ୍ପେନିଂ କରିଥିଲେ । ତାଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ ବିଧାୟକ ସୁରେଶ ରାଉତରାୟ ।

ତେବେ ଏଠାରେ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ କରାଯିବ । ଅକ୍ଟୋବର ୩ରେ ଭୋଟ୍‌ ଗଣତି ହେବ । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ହୋଇଥିବା ଆସନ ଲାଗି ଏଠାରେ ଉପନିର୍ବାଚନ କରାଯାଉଛି । ତେବେ ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ହେବା ଯୋଗୁଁ ଉପନିର୍ବାଚନ ଘୁଞ୍ଚିଥିଲା । ପରେ କୋଭିଡ୍ ଦ୍ୱିତୀୟ ଲହର ସ୍ଥିତି ପାଇଁ ସ୍ଥଗିତ ଥିଲା । 

ଏବେ ମହାମାରୀ ସ୍ଥିତି ଟିକେ ଥମିବା ପରେ ପୁଣି ନିର୍ବାଚନ କରାଯାଉଛି । ପୂର୍ବଥର ନିର୍ବାଚନ ସ୍ଥଗିତ ରହିବା ପୂର୍ବରୁ ୨୯ ଏପ୍ରିଲ୍‌ରୁ ମେ ୩ ଯାଏଁ ପ୍ରଚାର ହୋଇଥିଲା । ତେଣୁ ପ୍ରାର୍ଥିମାନଙ୍କୁ ଏଥର ପ୍ରଚାର ଲାଗି ହାତରେ ପ୍ରାୟ ସପ୍ତାହେ ସମୟ ରହିଥିଲା । ୨୦ ତାରିଖରୁ ପ୍ରଚାର ଆରମ୍ଭ ହୋଇଥିଲା, ଭୋଟଗ୍ରହଣର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ସରିବ ବୋଲି ମଧ୍ୟ କୁହାଯାଇଥିଲା ।