• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

  • ଅଗ୍ନିଶମ ସେବା, ପୁରୀ ମ୍ୟୁନିସିପାଲଟିକୁ ସମନ୍ୱୟ ନେଇ ପ୍ରଶଂସା ।

  • ପୁରୀର ଜନସାଧାରଣଙ୍କ ସହଯୋଗ ଓ ସଂଯମତା ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଅଗ୍ନିଶମ ସେବା, ପୁରୀ ମ୍ୟୁନିସିପାଲଟିକୁ ସମନ୍ୱୟ ନେଇ ପ୍ରଶଂସା । ପୁରୀର ଜନସାଧାରଣଙ୍କ ସହଯୋଗ ଓ ସଂଯମତା ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଗଜପତି ମହାରାଜାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀଜିଉଙ୍କ ଆଦ୍ୟ ସେବକ ଭାବେ ଦୀର୍ଘ ୫୦ ବର୍ଷ ଧରି ସେବା ପାଇଁ ଶୁଭେଚ୍ଛା ଜଣାଇଲେ । ମହାପ୍ରଭୁଙ୍କ ଛେରା ପହଁରା ନୀତି, ସେବା ଓ ସମର୍ପଣର ସର୍ବୋତ୍ତମ ନିଦର୍ଶନ । ମହାପ୍ରଭୁଙ୍କ ସେବାରେ ଗଜପତି ମହାରାଜାଙ୍କ ଜୀବନ ଆନନ୍ଦମୟ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ଆଜି ବିନା ଭକ୍ତରେ ଶୁରୁଖୁରୁରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହଇଯାଇଛି । ସେବାୟତମାନେ ରଥ ଟାଣି ସିଂହ ଦ୍ୱାର ସମ୍ମୁଖରେ ପହଞ୍ଚାଇ ସାରିଛନ୍ତି । ପ୍ରଥମେ ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ । ପଛରେ ଆସିଥିଲା କାଳିଆ ଠାକୁରଙ୍କ ନନ୍ଦିଘୋଷ । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଛନ୍ତି ତିନି ଠାକୁର । ଆଜି ପ୍ରତ୍ୟୁଷରେ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହୋଇଥିଲା । ଏହାପରେ ଗୋପାଳବଲ୍ଲଭ ଓ ଖେଚୁଡି ଭୋଗ ହୋଇଥିଲା । ସେନାପଟା ଲାଗି ପରେ ବାହୁଡା ପହଣ୍ଡି ଆରମ୍ଭ ହୋଇଥିଲା ।

ବାହୁଡା ପହଣ୍ଡି ପାଇଁ ଦିନ ୧୨ଟାରୁ ୨ଟା ୩୦ ମଧ୍ୟରେ ଧାର୍ଯ୍ୟ ହୋଇଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ପହଣ୍ଡି ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା ଶେଷରେ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ସେବାୟତଙ୍କ ଗହଣରେ ଟାହିଆ ହଲାଇ ତିନି ଠାକୁରଙ୍କ ପହଣ୍ଡି ଅତ୍ୟନ୍ତ ମନୋରମ ଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନିରଥର ଛେରାପହଁରା କରିବା ପରେ ବଡଦାଣ୍ଡରେ ଗଡିଥିଲା ତିନି ରଥ ।