• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାୟଗଡା ନୂତନ ରେଳ ଡିଭିଜନର କାର୍ଯ୍ୟ ଆଗେଇ ଚାଲିଛି ।

  • ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ତ୍ୱରାନୀତ କରାଯିବ ।

ରାୟଗଡା: ରାୟଗଡା ନୂତନ ରେଳ ଡିଭିଜନର କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ପ୍ରସ୍ତାବିତ ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ସମସ୍ତଙ୍କ ସହଯୋଗରେ ସାମୁହିକ ବିକାଶ ହୋଇପାରିବ ବୋଲି କହିଛନ୍ତି ରାୟଗଡା ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ପୂର୍ବ ଭାରତର ସର୍ବାଙ୍ଗୀନ ଉନ୍ନତି ପାଇଁ ମୋଦି ସରକାର ସଂକଳ୍ପବଦ୍ଧ ।

ସେଥିପାଇଁ ବିଶେଷକରି ଓଡିଶା ଉପରେ ଫୋକସ କରିଛନ୍ତି କେନ୍ଦ୍ର ସରକାର । ଚଳିତ କ୍ୟାବିନେଟରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ରେଳ, ଗମନାଗମନ, ଶିକ୍ଷା, ଜଳସମ୍ପଦ, ଜନଜାତି ବିକାଶ, ଦୁରସଂଚାର ଭଳି ୭ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଛି । ତେଣୁ ଆଗାମୀ ଦିନରେ ସବୁ ଗାଁକୁ ରାସ୍ତା, ଘର ଘରକୁ ସ୍ୱଚ୍ଛ ପାନୀୟ ଜଳ, ରେଳ ସଂଯୋଗ, ଇଣ୍ଟରନେଟ ବ୍ୟବସ୍ଥା, ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶୃତି ବଦ୍ଧ ବୋଲି କହିଛନ୍ତି ରେଳମନ୍ତ୍ରୀ ।

ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ସାମିଲ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡ଼ାରେ ପହଞ୍ଚିବା ପରେ ମାଆ ମଝିଘରିଆଣୀ ମନ୍ଦିର ଯାଇ ଦର୍ଶନ କରିବା ସହ ବୃକ୍ଷରୋପଣ କରିଛନ୍ତି । ଏହି ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ନେଇ ବିଭିନ୍ନ ଜିଲ୍ଲା ବୁଲି ସେ ଜନତାଙ୍କୁ ଅବଗତ କରାଇବେ । ସେପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦାସଙ୍କୁ ରାୟଗଡ଼ାରେ ସାକ୍ଷାତ କରି ତାଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଶାନ୍ତି ଦାସଙ୍କୁ ସାକ୍ଷାତ ପାଇଁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ କହିଥିବା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଗାଁ ଭୋଟରଙ୍କୁ ଆକର୍ଷିତ କରିବାକୁ ଗାଁ ମୁହାଁ ନେତା । ବିଜେପି ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ଗୁରୁବାରଠାରୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି । ସେପଟେ ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚିବାକୁ ରଣନୀତି ସହ ଆଗକୁ ବଢୁଛି ବିଜେଡି । ଆଜି ମାଲ୍‌କାନ୍‌ଗିରି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେପିର ଜନ ଆଶୀର୍ବାଦ ଯାତ୍ରାର ପ୍ରଥମ ଦିନର ଅଭିଯାନରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଉଦ୍ଦେଶ୍ୟ କେନ୍ଦ୍ରର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ନେଇ ଜନତାଙ୍କ ପାଖକୁ ଯିବେ, ଆଶୀର୍ବାଦ ନେଇ ଦଳ ପାଇଁ ତୟାର କରିବେ ପଞ୍ଚାୟତ ଭୋଟ୍ ଭିତ୍ତି । 

ଦୁଇ କେନ୍ଦ୍ରମନ୍ତ୍ରୀ ଗୁରୁବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବାହାରିଥିଲେ ପୁରୀ । ବାଟରେ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ପର୍ବ ପରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ଦର୍ଶନ କରିଥିଲେ । ସେଠୁ ଆରମ୍ଭ ହୋଇଥିଲା ଅଭିଯାନ ।