• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ।

  • ୨୦ ବର୍ଷର ସଂପର୍କ ତୁଟାଇ ଦଳ ଛାଡ଼ିଲେ ପ୍ରଦୀପ ମାଝୀ ।

  • ବିଶ୍ୱାସନୀୟତା ହରାଇଛି ମୁଷ୍ଟିମେୟଙ୍କ ହାତରେ ଥିବା ଦଳ- ପ୍ରଦୀପ ।

ଭୁବନେଶ୍ୱର: କଂଗ୍ରେସ ସହ ୨୦ ବର୍ଷର ସମ୍ପର୍କ ଛିନ୍ନ କଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଦକ୍ଷିଣ ଓଡ଼ିଶାର ଯୁବ ଓ ଦକ୍ଷ ନେତା ଏବଂ ଜାତୀୟ ସ୍ତରରେ ଜଣେ ଟାଣୁଆ ଆଦିବାସୀ ଚେହରା ପ୍ରଦୀପ । ଦକ୍ଷିଣ ଓଡ଼ିଶାରେ ପତିଆରା ଜାହିର କରୁଥିବା ପ୍ରଦୀପ ଆଜି AICC ସଭାପତି ସୋନିଆ ଗାନ୍ଧିଙ୍କୁ ଇସ୍ତଫାପତ୍ର ପଠାଇ ଦଳର ପ୍ରାଥମିକ ସଦସ୍ୟ ପଦ ଛାଡ଼ିଛନ୍ତି । ଦଳ ଏବେ ବିଶ୍ୱାସନୀୟତା ହରାଇଥିବା, ମୁଷ୍ଟିମେୟଙ୍କ ରାଜୁତି ଚାଲୁଥିବା ଆଉ ଏଠାରେ ସେବାର ସୁଯୋଗ ନଥିବା କହି ଦଳ ଛାଡ଼ିଛନ୍ତି ପ୍ରଦୀପ ।

ଏହାକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ପ୍ରଦୀପ୍ ଝଟକା କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୀର୍ଘ ଦିନର ଚର୍ଚ୍ଚା ପରେ ଶେଷରେ ୨୦ ବର୍ଷର ସମ୍ପର୍କ ତୁଟାଇ ଦଳ ଛାଡ଼ିଲେ ଦକ୍ଷିଣ ଓଡ଼ିଶାର ଯୁବ, ଦକ୍ଷ ଓ ଟାଣୁଣା ଆଦିବାସୀ ଚେହେରା ପ୍ରଦୀପ ମାଝୀ । କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ନିଜ ଇସ୍ତଫାପତ୍ରରେ ପ୍ରଦୀପ ଲେଖିଛନ୍ତି ଯେ, ଆଗରୁ ଅତି ସୁନ୍ଦର ଭାବେ ସଂଗଠନ ପରିଚାଳନା ହେଉଥିବା ବେଳେ ଏବେ କିନ୍ତୁ କିଛି ମୁଷ୍ଟିମେୟ ବ୍ୟକ୍ତି ଦଳରେ ବିଭିନ୍ନ ପଦପଦବୀକୁ ଜାବୁଡ଼ି ଧରିଛନ୍ତି । ଯେଉଁଥିପାଇଁ ଦଳ ଏବେ ବିଶ୍ୱାସନୀୟତା ହରାଇଛି । କଂଗ୍ରେସରେ ସେବା ପାଇଁ ଆଉ ସୁଯୋଗ ନଥିବାରୁ ସେ ଦଳ ଛାଡୁଛନ୍ତି । ତେବେ ପ୍ରଦୀପଙ୍କ ଏ ଉକ୍ତିକୁ ସହଜରେ ଗ୍ରହଣ କରି ନାହାନ୍ତି ଦଳର ରାଜ୍ୟ ମୁଖିଆ ନିରଞ୍ଜନ ପଟ୍ଟନାୟକ । ପ୍ରଦୀପ ସେବା ପାଇଁ ନୁହେଁ ବରଂ କିଛି ହେବା ପାଇଁ ଦଳ ଛାଡ଼ିଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଦେଶବ୍ୟାପୀ ଯୁବ ନେତୃତ୍ୱଙ୍କୁ କଂଗ୍ରେସରେ ସାମିଲ କରିବାକୁ ୨୦୦୨ରେ ରାହୁଲ ଗାନ୍ଧି ଆରମ୍ଭ କରିଥିବା ଟ୍ୟାଲେଣ୍ଟ ସର୍ଚ୍ଚ ଫର ୟୁଥ୍ ଅଭିଯାନରୁ ଆରମ୍ଭ ହୁଏ ପ୍ରଦୀପଙ୍କ ରାଜନୈତିକ କ୍ୟାରିୟର । ନବରଙ୍ଗପୁରରୁ ଆରମ୍ଭ ହୋଇଥିଲା ସକ୍ରିୟ ରାଜନୀତି । ୨୦୦୭ରେ କଂଗ୍ରେସ ଟିକେଟରୁ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚିତ ହେବା ସହ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବି ହୋଇଥିଲେ । ୨୦୦୮ରେ ସେ ଭାରତୀୟ ଯୁବ କଂଗ୍ରେସର ସଂପାଦକ ଭାବେ ଦାୟିତ୍ୱ ନେଇଥିଲେ । ୨୦୦୯ରେ ତାଙ୍କୁ ଓଡ଼ିଶା ଯୁବ କଂଗ୍ରେସ ସଭାପତି ପଦ ମିଳିଥିଲା । ସେହିବର୍ଷ ସେ ନବରଙ୍ଗପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଦୀପଙ୍କ ସାଂଗଠନିକ ଦକ୍ଷତା ଯୋଗୁଁ ଶାସକ ଦଳକୁ ବହୁ ପ୍ରସଙ୍ଗରେ ଅଡୁଆରେ ପକାଉଥିଲେ ।

ମନରେଗା ଦୁର୍ନୀତି, କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ, ଆଦିବାସୀଙ୍କୁ ଶୋଷଣର ପ୍ରତିବାଦ ଆଦି ବିଭିନ୍ନ ପ୍ରସଙ୍ଗରେ ସାମ୍ନାକୁ ଆସି ନବୀନ ସରକାରକୁ ଚ୍ୟାଲେଞ୍ଜ୍ ଦେଉଥିଲେ ପ୍ରଦୀପ । ତେବେ ଗତ କିଛି ବର୍ଷ ଧରି ସେ ବିଜେଡି ସହ ଗୁପ୍ତ ସମ୍ପର୍କରେ ରହୁଥିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ସେ ଦଳ ଛାଡ଼ିଥିବାରୁ ସେ କଂଗ୍ରେସକୁ ଧୋକ୍କା ଦେଇଥିବା କହିଛନ୍ତି ବରିଷ୍ଠ ନେତା ତାରା ବାହିନୀପତି । ତେଣେ ପ୍ରଦୀପ ବିଜେଡି ଆସିଲେ, ତାଙ୍କୁ ସ୍ୱାଗତ କରିବୁ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଭଳି ତିନି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କଂଗ୍ରେସର ସଂଗଠନ ମଜବୁତ ଥିଲା । ଯାହାର ନେତୃତ୍ୱ ନେଉଥିଲେ ନିଜେ ପ୍ରଦୀପ ମାଝୀ । ଏବେ ପ୍ରଦୀପ ଦଳ ଛାଡ଼ିବା ପରେ କଂଗ୍ରେସର ଏ ତିନି ଜିଲ୍ଲାରେ ଦଳର ସଂଗଠନ ଦୁର୍ବଳ ହେବା ସହ ଯଦି ସେ ବିଜେଡି ଯାଆନ୍ତି, ତେବେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ଏହାର ଫାଇଦା ନେଇପାରେ ବୋଲି ଚର୍ଚ୍ଚା ହେଉଛି ।