• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର, (ରିପୋର୍ଟ-ହରିହର ଚାନ୍ଦ): ୨୦୨୪ ଫାଇନାଲ୍ ଫାଇଟ୍ ପୂର୍ବରୁ ବାଜିଲାଣି ସେମିଫାଇନାଲ୍ ବିଗୁଲ୍ । ପଞ୍ଚାୟତ ନିର୍ବାଚନ ପାଇଁ ଉଷ୍ମ ହେଲାଣି ରାଜ୍ୟ ରାଜନୀତି । ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ପ୍ରାରମ୍ଭରେ ହେବ ଭୋଟ୍ । ସେଥିଲାଗି ଜୋରସୋରରେ ଚାଲିଛି ତୟାରି । ଆଉ ପଞ୍ଚାୟତ ଫାଇଟ୍ ପାଇଁ ବିଜେଡିର ବଡ଼ ଅସ୍ତ୍ର ହୋଇଛି ସ୍ମାର୍ଟ ହେଲ୍ଥ କାର୍ଡ, ସ୍କୁଲ ରୂପାନ୍ତରୀକରଣ ଓ ମିଶନ ଶକ୍ତି ।

ଖୋଦ୍ ମୁଖ୍ୟମନ୍ତ୍ରୀ ଜିଲ୍ଲାରୁ ଜିଲ୍ଲା ବୁଲି ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟୁଛନ୍ତି । ମନ୍ତ୍ରୀମାନେ ମଧ୍ୟ ବ୍ଲକକୁ ଯାଇ ଏଇ କାମରେ ଲାଗିଛନ୍ତି । ତେବେ ଯେଉଁ ସବୁ ସିଟ୍‌ରେ ବିଜେପିର ସାଂସଦ ଓ ବିଧାୟକ ଅଛନ୍ତି ଓ ଯେଉଁଠି ବିଜେଡିର ସଙ୍ଗଠନ ସେତେଟା ମଜଭୁତ ନାହିଁ, ତାକୁ ଫୋକସ୍‌ରେ ରଖୁଛି ଦଳ । ସେସବୁ ସ୍ଥାନରେ ସରକାରୀ କାର୍ଯ୍ୟକ୍ରମ କରି ନବୀନ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ଜିଲ୍ଲାଓ୍ୱାରୀ ପ୍ୟାକେଜ୍ ଘୋଷଣା ବି କରୁଛନ୍ତି ।

ଆଉ ଏହା ମାଧ୍ୟମରେ ନିର୍ବାଚନ ଲାଗି ପ୍ରାକ୍ ପ୍ରଚାର କରାଯାଉଥିବା ଚର୍ଚ୍ଚା ହେଉଛି । ସେହିପରି ସ୍କୁଲ ରୂପାନ୍ତନ୍ତରୀକରଣ ମାଧ୍ୟମରେ ଯୁବ ଏବଂ ମିଶନ ଶକ୍ତି ମାଧ୍ୟମରେ ମହିଳା ଭୋଟରଙ୍କୁ ହାତରେ ରଖିବାକୁ ଦଳ ଭରପୁର ଉଦ୍ୟମ କରୁଥିବା କୁହାଯାଉଛି ।

ସେପଟେ ବିଜେପି ମମିତା ମେହେର ହତ୍ୟା ପ୍ରସଙ୍ଗରେ ଜୋରଦାର ଆନ୍ଦୋଳନ କରି ମହିଳା ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଚଳାଇଛି । ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ବି ତୃଣମୂଳ ସ୍ତରରେ ଦଳ କାମ କରୁଛି । ଆସନ୍ତା ୨୩ ଓ ୨୪ ତାରିଖରେ ହେବାକୁ ଥିବା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ପଞ୍ଚାୟତ ନିର୍ବାଚନ ନେଇ ବିସ୍ତୃତ ଖସଡ଼ା ପ୍ରସ୍ତୁତ ହେବ ।

ଏଣେ କଂଗ୍ରେସ୍ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଚଳାଇଛି ଜନ ଜାଗରଣ ଯାତ୍ରା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଗର୍ଜୁଛି ଦଳ ।ପଞ୍ଚାୟତ ନିର୍ବାଚନ ଲାଗି ଜିଲ୍ଲାଓ୍ୱାରୀ ଦଳୀୟ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେପଟେ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆସନ୍ତାକାଲିଠାରୁ ରାସ୍ତାକୁ ଓହ୍ଲାଇବ ବୋଲି ଘୋଷଣା କରିଛି ବିଜେଡି । ବିଜୁ ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ତିନି ଦିନ ଧରି ଆନ୍ଦୋଳନ କରାଯିବ । ତେବେ ବିଜେପି କହିଛି, ମମିତା ହତ୍ୟାକାଣ୍ଡ ଓ ମାହାଙ୍ଗା ଡବଲ ମର୍ଡର ଭଳି ଘଟଣାରୁ ନଜର ହଟାଇବା ପାଇଁ ବିଜେଡି ଏପରି ବାହାନା କରୁଛି । ରାଜ୍ୟ ସରକାର ପ୍ରଥମେ ବିଜୁଳି ଦର କମାନ୍ତୁ ବୋଲି ଦଳ ଦାବି କରିଛି ।

ସେପଟେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳରେ ମିଶ୍ରଣ ପର୍ବ ବି ଆରମ୍ଭ ହୋଇଯାଇଛି । ବିଜେପି ଓ ବିଜେଡିରେ ହେଭିୱେଟ୍ ନେତାମାନେ ଯୋଗ ଦେଉଛନ୍ତି । ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ଜିଲା ପରିଷଦ ସଭ୍ୟ ନିର୍ବାଚନରେ ବିଜ଼େଡିକୁ ଝଟ୍‌କା ଦେଇଥିଲା ବିଜେପି । ମୋଟ୍ ୮୫୩ ସିଟ୍‌ରୁ ବିଜେଡି ୪୭୩, ବିଜେପି ୨୯୭ ଓ କଂଗ୍ରେସ୍ ୬୦ଟି ସିଟ୍ ଦଖଲ କରିଥିଲା । ପରେ ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାର ୫ରୁ ୫ ଲୋକସଭା ସିଟ୍ ଜିତିଥିଲା । ତେଣୁ ୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ଇଲେକ୍ସନ ସବୁଦଳ ପାଇଁ ଏସିଡ୍ ଟେଷ୍ଟ ହେବାକୁ ଯାଉଛି ।