• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କେନ୍ଦ୍ରମନ୍ତ୍ରୀମାନେ ପହଞ୍ଚିବା ପରେ ରାଜ୍ୟ ରାଜନୀତିରେ ଉଷ୍ମତା ।

  • ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଛି ଟ୍ୱିଟର ୱାର ।

  • ପ୍ରଣବ-ଅରୁଣଙ୍କ ଟ୍ୱିଟ୍‌କୁ ବିଜେପି ନେତାଙ୍କ ଜବରଦସ୍ତ ଟାର୍ଗେଟ୍‌ ।

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ଗତକାଲି ରାଜ୍ୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଯାଇଛି । ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଛି ଟ୍ୱିଟର ୱାର ।

ବିଜେପିର ଜନ ଆଶୀର୍ବାଦ ଯାତ୍ରା ଓ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବିଜେପି-ବିଜେଡି ମଧ୍ୟରେ ଟ୍ୱିଟର ଓ୍ୱାର ଦେଖିବାକୁ ମିଳିଛି । ଆୟୁଷ୍ମାନ ଭାରତକୁ ନେଇ ଧର୍ମେନ୍ଦ୍ରଙ୍କ ଟୁଇଟ୍‌ର ଜବାବ ଦେଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ଆୟୁଷ୍ମାନ ଭାରତ ଓଡ଼ିଶାରେ ତୁରନ୍ତ ଲାଗୁ କରିବାକୁ ଟୁଇଟ୍ କରିଥିଲେ ଧର୍ମେନ୍ଦ୍ର । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛନ୍ତି ବୋଲି ଲେଖିଥିଲେ ।

ଜବାବରେ ଆୟୁଷ୍ମାନ ଭାରତ ଓ BSKYର ତୁଳନା କରି ଟ୍ୱିଟ୍ କରିଥିଲେ ପ୍ରଣବ ପ୍ରକାଶ । ଆୟୁଷ୍ମାନ ହିତାଧିକାରୀ ୬୦ ଲକ୍ଷ ଥିବା ବେଳେ BSKY ସଂଖ୍ୟା ୯୬ ଲକ୍ଷ ପରିବାର ବୋଲି ଦର୍ଶାଇଥିଲେ ପ୍ରଣବ । ସେପଟେ ପ୍ରଣବଙ୍କ ତୁଳନାତ୍ମକ ଟ୍ୱିଟ୍‌ରେ ଜବାବ ରଖିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା । ଆୟୁଷ୍ମାନ ଯୋଜନାର ସୁବିଧା ବାବଦରେ ତଥ୍ୟ ନଜାଣି ଅଭିଯୋଗ କରିବା ଭିତ୍ତିହୀନ ବୋଲି ବସନ୍ତ ପଣ୍ଡା ଟ୍ୱିଟ୍ କରିଛନ୍ତି ।

ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇଥିଲେ । ଏହି ଫଟୋକୁ ସେ ଟ୍ୱିଟ୍ କରିଥିଲେ । ଏହାକୁ କାଉଣ୍ଟର କରି ବିଜେଡି ପାୱାର କରିଡରର ନେତା ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ଟ୍ୱିଟ୍ କରି ତାତ୍ସଲ୍ୟ କରିଥିଲେ । ସେ ଲେଖିଥିଲେ ସେବା ନକରି ଆଶୀର୍ବାଦ ପାଇବାକୁ ବାଧ୍ୟ କରିବା ଓ ନିରନ୍ତର ସେବା ଦେଇ ସ୍ୱତଃପ୍ରବୃତ୍ତ ଆଶୀର୍ବାଦ ପାଇବା ଭିତରେ ଫରକ ଓଡ଼ିଶା ବାସୀଙ୍କୁ ଜଣାଅଛି ।

ତେବେ ଅରୁଣଙ୍କ ଏହି ଲେଖାର ଜବାବ ଦେଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ତାଙ୍କ ସହ ଟଙ୍କଧର ତ୍ରିପାଠି ଓ ଦିଲୀପ ମଲିକ ମଧ୍ୟ ଅରୁଣଙ୍କୁ କଡ଼ା ଜବାବ ଦେଇଛନ୍ତି । ଅରୁଣ ସାହୁଙ୍କ ଏକ ପୁରୁଣା ଫଟୋ ସେୟାର କରି ଅରୁଣଙ୍କୁ ଜବରଦସ୍ତ ଟାର୍ଗେଟ୍‌ କରିଛନ୍ତି । ସେହି ଫଟୋଟି ନବକଳେବର ସମୟରେ ଭାଇରାଲ ହୋଇଥିଲା । ଯେଉଁଥିରେ ଅରୁଣ କୁମାର ସାହୁ ଦିଇତାପତିମାନଙ୍କ ସହ ଶୟନମୁଦ୍ରାରେ ଦେଖାଯାଉଛନ୍ତି । ଏହି ଫଟୋ ସେୟାର କରି ଲେଖାଶ୍ରୀ ଲେଖିଛନ୍ତି ଲୋକଙ୍କ ସେବା କରିବା ଓ ଅଏସ କରିବା ଫରକ ଲୋକ ଜାଣିଛନ୍ତି ।

ଅନ୍ୟପଟେ ଦିଲ୍ଲୀପ ମଲିକ ଟ୍ୱିଟ୍ କରି ବିଜେଡି ସରକାର ରାଜ୍ୟବାସୀ ଓ ବଡ଼ ଠାକୁରଙ୍କୁ ପ୍ରବଞ୍ଚନା କରିଥିବା ଲେଖିଛନ୍ତି । ସେହିପରି ଗୋଟିଏ ନିବାସରେ ବନ୍ଦ ହୋଇ ରହିଲେ ଆଶୀର୍ବାଦ ମିଳେନି ବୋଲି ଟ୍ୱିଟ୍ କରିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ ।