• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର । ୱାର୍ଡ ପୁନର୍ଗଠନ ଏବଂ ସଂରକ୍ଷଣ କାର୍ଯ୍ୟ ସାରିବାକୁ ପଦକ୍ଷେପ ଆରମ୍ଭ ହୋଇଛି । ଏନେଇ ସବୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ । ଡିସେମ୍ବର ୧୩ ମଧ୍ୟରେ ପୁନର୍ଗଠନ ଏବଂ ସଂରକ୍ଷଣ ତାଲିକା ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ୯ ତାରିଖ ସୁଦ୍ଧା ୱାର୍ଡ ସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବେ ଜିଲ୍ଲାପାଳ । ଏହାପରେ ନଭେମ୍ବର ୧୮ ତାରିଖ ଭିତରେ ତାଲିକାକୁ ନେଇ ଥିବା ଆପତ୍ତି ଓ ଅଭିଯୋଗର ଶୁଣାଣି ହେବ । ସମସ୍ତ ଆପତ୍ତି ଓ ଅଭିଯୋଗର ତର୍ଜମା କରି ନଭେମ୍ବର ୨୯ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ । ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ପୁନର୍ଗଠନ ଏବଂ ସଂରକ୍ଷଣ ତାଲିକା ମିଳିବା ପରେ ତାକୁ ନିର୍ବାଚନ କମିଶନଙ୍କ ପାଖକୁ ପଠାଯିବ ଏବଂ କମିଶନ ପୌର ନିର୍ବାଚନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ।

ତେବେ ଏନଏସି ଓ ପୌରାଂଚଳ ନିମନ୍ତେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ଚୂଡ଼ାନ୍ତ ବିଜ୍ଞପ୍ତି ନଭେମ୍ବର ୨୯ ତାରିଖରେ ଓ ୩ଟି ମହାନଗର ନିଗମର ୱାର୍ଡ ଓ ସିଟ୍ ସଂରକ୍ଷଣ ଚୂଡ଼ାନ୍ତ ବିଜ୍ଞପ୍ତି ଜାନୁୟାରୀ ୨୦ତାରିଖରେ ପ୍ରକାଶ ପାଇବ । ଆଇନଗତ ବିବାଦ ଯୋଗୁ କେନ୍ଦ୍ରାପଡ଼ା ମ୍ୟୁନିସପାଲଟି ସମେତ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ଏହି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇନଥିବା ଜଣାପଡ଼ିଛି ।

ଆଜି ରାଜ୍ୟ ମ୍ୟୁନିସପାଲ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟର ୧୦୫ଟି ମ୍ୟୁନିସପାଲଟି ଓ ଏନଏସିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏସବୁରେ ୱାର୍ଡ ସୀମା ନିର୍ଦ୍ଧାରଣ ସହ ଅନୁସୂଚିତ ଜାତି, ଜନଜାତି, ଓବିସି ଓ ମହିଳାଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ପ୍ରକ୍ରିୟାର ଚିଠା ବିଜ୍ଞପ୍ତି ନଭେମ୍ବର ୯ସୁଦ୍ଧା ଦେବାକୁ କୁହାଯାଇଛି ।

ସେହିପରି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ପ୍ରକ୍ରିୟା ନଭେମ୍ବର ୧୫ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୯ତାରିଖରେ ଶେଷ ହେବ । ଜାନୁୟାରୀ ୨୦ତାରିଖରେ ୱାର୍ଡସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୧୫ ତାରିଖ ସୁଦ୍ଧା ମହାନଗର ନିଗମଗୁଡ଼ିକ ରାଜ୍ୟ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଧାରିତ ଦୁଇଟି ଫର୍ମରେ ଏହି ତଥ୍ୟ ଦାଖଲ କରିବେ ।

ଡିସେମ୍ବର ୧୦ରେ ଏହି ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣର ଚିଠା ବିଜ୍ଞପ୍ତି ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି ହେବ । ଡିସେମ୍ବର ୧୯ତାରିଖ ସୁଦ୍ଧା ଏହା ଉପରେ ଆପତ୍ତି-ଅଭିଯୋଗ ପରେ ଜାନୁୟାରୀ ୨୦ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ଓଡ଼ିଶା ମ୍ୟୁନିସପାଲ ଆକ୍ଟ-୧୯୫୦ର ଧାରା ୧୧ ଏବଂ ଓଡ଼ିଶା ମ୍ୟୁନିସପାଲ ରୁଲସ୍‌-୧୯୯୪ ଅନ୍ତର୍ଗତ ସିଟ୍ ସଂରକ୍ଷଣ କରିବା ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ୧୦୧ଟି ମ୍ୟୁନସପାଲଟି ଓ ଏନଏସି ସମେତ ନବଗଠିତ ୪ଟି ଏନଏସିର କାର୍ଯ୍ୟକାଳ ଶେଷ ହୋଇସାରିଥିବାରୁ ଏଠାରେ ନିର୍ବାଚନ କରାଯିବ । ସେହିପରି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ନିର୍ବାଚନ ହେବ । ରାଜ୍ୟରେ ମୋଟ ୫ଟି ମହାନଗର ନିଗମ ଥିବାବେଳେ ୪୮ଟି ମ୍ୟୁନିସପାଲଟି ଓ ୬୧ଟି ଏନଏସି ରହିଛି ।