• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ ।

    ଆଜିଠାରୁ ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଦଳ ନିଷ୍ପତ୍ତି ନେଇଛି ।

    ପର୍ଯ୍ୟାୟକ୍ରମେ ଏହି ଆନ୍ଦୋଳନ କରାଯିବ । ଆଜି ସବୁ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ । 

ଭୁବନେଶ୍ୱର: ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆଜିଠାରୁ ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଦଳ ନିଷ୍ପତ୍ତି ନେଇଛି । ପର୍ଯ୍ୟାୟକ୍ରମେ ଏହି ଆନ୍ଦୋଳନ କରାଯିବ । ଆଜି ସବୁ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ । ୯ ତାରିଖରେ ଜିଲ୍ଲା ସ୍ତରରେ ଧାରଣା, ୧୪ ତାରିଖରେ ଭୁବନେଶ୍ୱରରେ କରାଯିବ ବିକ୍ଷୋଭ । ଆଗରୁ ଏହି ସୂଚନା ଦେଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ଅଭିଯୋଗ କରିଥିଲେ, କରୋନା ବେଳେ କେନ୍ଦ୍ର ସରକାର ଲୋକଙ୍କୁ ସହାୟତା କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଆର୍ଥିକ ବୋଝ ଲଦୁଛନ୍ତି । ପେଟ୍ରୋଲ, ଡିଜେଲ ବଢ଼ିବା ଯୋଗୁଁ ନିତିଦିନିଆ ସାମଗ୍ରୀ ଦର ବଢୁଛି । ତେଣୁ ଆସନ୍ତା ୧୫ରେ ଦିନିକିଆ ପେଟ୍ରୋଲ, ଡିଜେଲ୍ ବର୍ଜନ କରିବାକୁ ମଧ୍ୟ ସେ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ୧୭ରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ଲୋକଙ୍କ ଦସ୍ତଖତ ସଂଗ୍ରହ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ।  

ସୂଚନାଯୋଗ୍ୟ, ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଛି । ମାଲକାନଗିରି କଥା ଶୁଣି ଯାହା ଶଙ୍କା ଥିଲା, ସେୟା ହେଲା । ଭୁବନେଶ୍ୱର-କଟକରେ ବି ଶହେ ଟପିଛି ପେଟ୍ରୋଲ୍ । ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ବି ଶହେ ପାର୍ ହୋଇଛି ଦର । ଲୋକଙ୍କ ଅଭିଯୋଗ ଏମିତି ତ ଲକଡାଉନ୍-ସଟଡାଉନ୍ ଯନ୍ତ୍ରଣା । ଏହା ସାଙ୍ଗକୁ ମହଙ୍ଗା ମାଡ଼ରେ ଜନତା ଦେଢ଼ ବର୍ଷ ହେଲା ଜୁଝୁଛନ୍ତି । ଆଉ ସେତିକିବେଳେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି ସେଞ୍ଚୁରୀ ପାର୍ ପେଟ୍ରୋଲ୍ ।

ଭୁବନେଶ୍ୱରରେ ଦୁଇ ତାରିଖ ଦିନ, ପେଟ୍ରୋଲ୍ ୧୦୦ ଟଙ୍କା ୦୧ ପଇସା ଛୁଇଁଥିବା ବେଳେ କଟକରେ ୧୦୦ ଟଙ୍କା ୨୭, ସମ୍ବଲପୁରରେ ୧୦୦ଟଙ୍କା ୫୧ ଓ ବ୍ରହ୍ମପୁରରେ ୧୦୦ଟଙ୍କା ୨୯ ପଇସାରେ ପହଞ୍ଚିଥିଲା । ରାଜଧାନୀରେ ୧୦୧ଟଙ୍କା ପାର୍ । ପେଟ୍ରୋଲ ଲିଟରର ମୂଳଦର ୪୦ଟଙ୍କା ୪୧ ପଇସା ଥିବା ବେଳେ ଏଥିରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମିଶିଛି ୩୨ଟଙ୍କା ୯୦ ପଇସା । ସେହିପରି ରାଜ୍ୟ ଭାଟ୍ ଆକାରରେ ୨୩ଟଙ୍କା ୪୦ ପଇସା ଗ୍ରାହକଙ୍କୁ ଦେବାକୁ ପଡୁଥିବା ବେଳେ ଡିଲର କମିଶନ ରହିଛି ୩ଟଙ୍କା ୩୦ ପଇସା । ତେଣୁ ପକେଟ୍‌କୁ ପେଟ୍ରୋଲ ରେଟ୍ ସାଂଘାତିକ ବାଧୁଥିବା କହି କେହି କେହି ଗ୍ରାହକ ରାଗରେ ବ୍ୟାଟେରି ଗାଡ଼ି କିଣିବେ ବୋଲି ବି କହିଲେଣି । ଏଣେ ଶହେ ଶହେ ରେଟ୍‌ରେ ଦୌଡୁଥିବା ପେଟ୍ରୋଲକୁ ପଛେ ପଛେ ଗୋଡେଇଛି ଡିଜେଲ୍ । ଲିଟର ପିଛା ମାତ୍ର ୩ଟଙ୍କାର ଫରକ୍ ।