• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର, (ରିପୋର୍ଟ- ହରିହର ଚାନ୍ଦ): ଲଗାତାର ଦ୍ୱିତୀୟ ଦିନ ପାଇଁ ବିଧାନସଭାରେ ବିରୋଧୀ-ଶାସକ ମୁହାଁମୁହିଁ । ଗୃହ ଭିତରେ ବିଜେପି ଓ କଂଗ୍ରେସ୍ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ହଙ୍ଗାମା କରିଥିବା ବେଳେ ଗୃହ ବାହାରେ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲା ବିଜେଡି ।

ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ କଳା ଗାମୁଛା ସହ ହାତରେ ପ୍ଲାକାର୍ଡ ଓ ବ୍ୟାନର୍ ଧରି ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ବି ଗୃହ ଭିତରେ ପୋଷ୍ଟର ଓ ବ୍ୟାନର୍ ଦେଖାଇ ହୋହଲ୍ଲା କରିଥିଲେ । ଏହାପରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ଗୃହକୁ ଘଣ୍ଟାଏ, ଦି ଘଣ୍ଟା ବଦଳରେ ଏକା ଥରକେ ୪ଟା ଯାଏଁ ମୁଲତବୀ କରିଥିବାରୁ ବାଚସ୍ପତିଙ୍କୁ କଡ଼ା ସମାଲୋଚନା କରିଛି ବିଜେପି । ଏପରିକି ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ସଂପର୍କିତ ମୁଲତବୀ ନୋଟିସ୍ ଉପରେ ବି ଆଲୋଚନା କରିବାକୁ ସୁଯୋଗ ଦିଆଯାଇନଥିବାରୁ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି ଦଳ ।

ସେପଟେ କଂଗ୍ରେସ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି । ତେଣେ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇ କେନ୍ଦ୍ର ବିରୋଧରେ ଗର୍ଜନ କରିଥିଲା ବିଜେଡି । ଦଳର ବିଧାୟକମାନେ ବ୍ୟାନର ଧରି, କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେବା ସହ ଧାରଣାରେ ବସିଥିଲେ । ବିଜେଡି କହିଛି ରାଜ୍ୟର ସ୍ୱାର୍ଥ ନୁହେଁ, ବିରୋଧୀ କେବଳ ଗୋଟିଏ ପ୍ରସଙ୍ଗ ଧରି ରାଜନୀତି କରୁଛନ୍ତି । ଅପରାହ୍ନରେ ମମିତା ପ୍ରସଙ୍ଗରେ ବିଧାନସଭା କ୍ୟାଂପସରେ ବିଜେପି ବିଧାୟକମାନେ ବିକ୍ଷୋଭ କରିଥିଲେ । ପରେ ଗୃହ ଭିତରେ ଉଭୟ ବିଜେପି ଓ କଂଗ୍ରେସ୍ ସଦସ୍ୟମାନେ ପ୍ରବଳ ହୋହଲ୍ଲା କରିଥିଲେ । ଏହାରି ଭିତରେ ବିବାଦରେ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଗ୍ନିଶମ ସଂପର୍କିତ ରିପୋର୍ଟ ଉପସ୍ଥାପନ କରିଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ କରିଦିଆଯାଇଥିଛି । 

ସେପଟେ କଂଗ୍ରେସ୍ ବିଧାୟକମାନେ ଆଜି ଡିଜି କ୍ୟାମ୍ପ୍ ଅଫିସ୍‌କୁ ଯାଇ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ଗଠନ କରି ମମିତା ମାମଲାର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ଦୋଷୀକୁ ଖସାଇବାକୁ ଷଡ଼ଯନ୍ତ୍ର କରାଯାଇଛି ବୋଲି ଦଳ ଅଭିଯୋଗ କରିବା ସହ ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଲାଗି ଦାବି କରିଛି । ସେପଟେ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଆସନ୍ତା ୯ ତାରିଖରେ ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ଯୁବ ମୋର୍ଚ୍ଚା ସଭାପତି । 

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିରୋଧୀ, ମମିତା ପ୍ରସଙ୍ଗକୁ ନେଇ ଆଟାକିଂ ମୁଡ୍‌ରେ ଥିବାବେଳେ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇ ଏହାକୁ କାଉଣ୍ଟର କରୁଛି ।