• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗଠନ ହେବ ଆନୁଷ୍ଠାନିକ ବ୍ୟବସ୍ଥା । ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । ଯାହା କି ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ନେଇ ପଦକ୍ଷେପ ନେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମଧ୍ୟରେ ଲୋକସେବା ଭବନରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦିଆଯାଇଛି ।

ଏନେଇ ନେଇ ଜଏଣ୍ଟ ଷ୍ଟେଟମେଣ୍ଟ ଜାରି କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ । ଜଳ ସମସ୍ୟା, ସୀମା ବିବାଦ ଓ ନକ୍ସଲ ମୁକାବିଲା ନେଇ ଆଲୋଚନା ହୋଇଛି । ଏହାସହ କୋଟିଆ, ନେରେଡ଼ି, ଝଞ୍ଜାବତି ଜଳ ସମସ୍ୟା ସମାଧାନ ନେଇ ମଧ୍ୟ ଆଲୋଚନା ହୋଇଛି । ପୋଲାଭରମ, ବାହୁଦା ଜଳ, ବାଲିମେଳା, ସିଲେରୁ ଜଳ ପ୍ରସଙ୍ଗ ମଧ୍ୟ ଉଠିଥିଲା । ମାଓ ଦମନ ଓ ଗଂଜେଇ ଚାଷ ରୋକିବାକୁ ଦୁଇ ରାଜ୍ୟ ମିଶି କାମ କରିବେ ବୋଲି ନିଷ୍ପତ୍ତି ହୋଇଛି । ଦୁଇ ରାଜ୍ୟର ଦୁଇ ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା ହେବ । ଆମ୍ବେଦକର ୟୁନିଭର୍ସିଟିରେ ଓଡ଼ିଆ ଓ ବ୍ରହ୍ମପୁର ୟୁନିଭର୍ସିଟିରେ ତେଲୁଗୁ ଚେୟାର ପ୍ରତିଷ୍ଠା ହେବ । ଉଭୟ ରାଜ୍ୟର ସୀମାନ୍ତ ଜିଲ୍ଲା ସ୍କୁଲରେ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ଆଲୋଚନା ବେଳେ ନିଷ୍ପତ୍ତି ନିଆଯାଇଛି । 

ପାରସ୍ପରିକ ସହଯୋଗ ଓ ସଂଘୀୟ ଢାଂଚାକୁ ସୁରକ୍ଷିତ ରଖିବା ଦିଗରେ ଦୁଇ ରାଜ୍ୟ କାମ କରିବେ । ଦୁଇ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟ ସଚିବସ୍ତରରେ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଜନସାଧାରଣଙ୍କ ସ୍ୱାର୍ଥରେ ସମାଧାନ ଖୋଜିବାକୁ ପ୍ରୟାସ କରାଯିବ ବୋଲି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଏହି ବୈଠକ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟ ସଚିବଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ । ଦୁଇ ରାଜ୍ୟର ବିଭିନ୍ନ ବିବାଦୀୟ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।