• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ବିଜେପିର ଦସ୍ତଖତ ଅଭିଯାନ । ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ ଓ ତୁରନ୍ତ ଗିରଫ ଦାବିରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ରେଲେଓ୍ୱ ଷ୍ଟେସନ ପାଖରେ ବିଜେପି କର୍ମୀମାନେ ଦସ୍ତଖତ ସଂଗ୍ରହ କରୁଥିବାର ଦେଖିବାକୁ ମିଳିଛି ।

ମମିତା ମେହେର ଙ୍କୁ ନ୍ୟାୟ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ମହିଳା ଅଧିକାର ଅଭିଯାନ ସଦସ୍ୟ। ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ନିମନ୍ତେ ସେମାନେ ଦାବି କରିଛନ୍ତି । ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି । ଏନେଇ ସାମାଜିକ କର୍ମୀ ନମ୍ରତା ଚଢା, ଅଂଜନା ମିଶ୍ର ଓ ପ୍ରୀତି ଧଳ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟିଛନ୍ତି ।

ଏଣେ ମମିତା ହତ୍ୟା ପ୍ରସଙ୍ଗରେ ପୁଣି ମୁହଁ ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ ନିଜକୁ ଦିର୍ଦ୍ଦୋଷ ବୋଲି ପୁଣି ଥରେ ସଫେଇ ଦେଇଛନ୍ତି । ଖାଲି ସେତିକି ନୁହେଁ ପୁରୁଣା କଥାକୁ ପୁଣି ଥରେ ଦୋହରାଇଛନ୍ତି । ଆଉ ଅଜବ ଯୁକ୍ତି ରଖିଛନ୍ତି । ଯେଉଁଥିପାଇଁ ବିବାଦ ତେଜୁଛି ସେହି ସମାନ କଥା ସେ ଦୋହରାଇଛନ୍ତି ।

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ପୂର୍ବ ଭଳି କେବଳ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ହତ୍ୟା ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । କାରଣ ସେ ଭାରତୀୟ ବାୟୁସେନାର ଜଣେ ପାଇଲଟ୍‌, ଦେଶ ପାଇଁ ଲଢ଼ିଛନ୍ତି । ତେଣୁ ସେ କେବେ ବେଆଇନ୍ କାର୍ଯ୍ୟ କରିପାରିବେ ନାହିଁ । ତାଙ୍କ ଦ୍ୱାରା କୌଣସି ବେଆଇନ କିମ୍ବା ଘୃଣ୍ୟ କାର୍ଯ୍ୟ ହୋଇପାରିବନି ବୋଲି କହିଛନ୍ତି ଦିବ୍ୟଶଙ୍କର । ଏଭଳି ଯୁକ୍ତି ସହଜରେ ଲୋକଙ୍କର ହଜମ ହେଉ ନାହିଁ ।

ମମିତା ହତ୍ୟା ଘଟଣା ସନସାଇନ ପବ୍ଲିକ ସ୍କୁଲରେ ଘଟିଛି । ସେହି ସ୍କୁଲକୁ ସେ କେବେ ବି ଯାଇନାହାନ୍ତି ବୋଲି କହିଛନ୍ତି ଦିବ୍ୟଶଙ୍କର । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି ଯେ, ସ୍ଥାନୀୟ ବିଧାୟକ ଭାବେ ସେ ମହାଲିଙ୍ଗ କଲେଜର ଗଭର୍ଣ୍ଣିଂ ବଡି ସଭାପତି । ଆଉ ସନସାଇନ ସ୍କୁଲ ମାଲିକ ଗୋବିନ୍ଦ ସାହୁ ହେଉଛନ୍ତି ଗଭର୍ଣ୍ଣିଂ ବଡିର ଜଣେ ସଦସ୍ୟ । ଏହାକୁ ଯୋଡ଼ି ରାଜନୈତିକ ଷଡ଼ଯନ୍ତ୍ର କରାଯିବା ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଦିବ୍ୟଶଙ୍କର ।

ଶେଷରେ ସେ କହିଛନ୍ତି, ‘ମୁଁ ନିର୍ଦ୍ଦୋଷ, ମୋତେ ଦଣ୍ଡଦେବାକୁ ଚାଲିଥିବା ପ୍ରୟାସ ସଫଳ ହେବନି’ । ମମିତା ହତ୍ୟା ଘଟଣା ଏକ ଜଘନ୍ୟ କାଣ୍ଡ, ଯିଏ ବି ଦୋଷୀ ହୋଇଥାଉ ନା କାହିଁକି ସିଏ ନିଶ୍ଚିତ ଦଣ୍ଡିତ ହେବ ।

ସେପଟେ ମଙ୍ଗଳବାର ମମିତା ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଥିଲା । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଇଛନ୍ତି ମମିତାଙ୍କ ପରିବାର ସଦସ୍ୟ । ନିର୍ଦ୍ଦିଷ୍ଟ ସମୟ ଭିତରେ ତଦନ୍ତ ଶେଷ କରିବାକୁ ଆବେଦନ କରିଛନ୍ତି । ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପକ୍ଷଭୁକ୍ତ କରାଯିବା ପାଇଁ ଆବେଦନ କରାଯାଇଛି । ସିନ୍ଧେକେଲା IICଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଆବେଦନ କରିଛନ୍ତି ମମିତାଙ୍କ ପରିବାର ଲୋକ ।