• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିଜେଡିକୁ ଦିବ୍ୟଶଙ୍କର କଣ୍ଟା !

  • ବିଜେଡିର ଭୋଟ୍ କାଟିବ କି ମମିତା ମାମଲା ।

  • ପଶ୍ଚିମ ଓଡ଼ିଶାରେ ଦଳର କ୍ଷତି କରିବ କି ମମିତା ମାମଲା ?

ଭୁବନେଶ୍ୱର (ରିପୋର୍ଟ-ମାୟାଧର ସରାଫ, ରାଜକୁମାର ସିଂହଦେଓ, ହରିହର ଚାନ୍ଦ): ମମିତା ମେହେର ମାମଲା, ବିଜେଡିର ପଶ୍ଚିମ ଓଡ଼ିଶା ଗଣିତକୁ ଓଲଟପାଲଟ କରିବ କି ?  ୨୦୧୭ ପଂଚାୟତ ନିର୍ବାଚନ ହେଉ କି ୧୯ ସାଧାରଣ ନିର୍ବାଚନର ଲୋକସଭା ଭୋଟ୍, ସବୁଠି ବିଜେଡିକୁ ଝଟ୍‌କା ଲାଗିଥିଲା । ଆଉ ତାପରେ ବିଜେଡିର ମିଶନ ଥିଲା ଫୋକସ୍ ପଶ୍ଚିମ ଓଡିଶା । ବିରୋଧୀଙ୍କ ଗଡ଼ ଭାଙ୍ଗିବାକୁ ବି ଭରପୂର ଉଦ୍ୟମ କରିଥିଲା ଦଳ । ତେବେ ମମିତା ହତ୍ୟା ଘଟଣା ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଆସୁଥିବା ଅଭିଯୋଗ, ବିଜେଡିର ପଶ୍ଚିମ ଓଡ଼ିଶା ମିଶନ୍‌କୁ ଘାଟା କରାଇପାରେ ।

ମମିତା ମେହେର ନିଖୋଜ ଘଟଣାକୁ ୨୬ ଦିନ । ଆଉ ହତ୍ୟାକାଣ୍ଡ ସାମ୍ନାକୁ ଆସିବାର ୧୫ ଦିନ ବିତିଲାଣି । ହେଲ ଝଡ଼ ଥମିବାର ନାଁ ନେଉନି । କଳାହାଣ୍ଡିରୁ କଟକ, ବଲାଙ୍ଗିରରୁ ମାଲକାନଗିରି, ସବୁଠି ଲାଗିଛି ବିକ୍ଷୋଭ ଓ ପ୍ରତିବାଦର ନିଆଁ । ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ବି ଦିନକୁ ଦିନ ଜୋର୍ ହେଉଛି । ତେଣୁ ଏହି ଘଟଣାର ପ୍ରଭାବ ଆଗକୁ କଣ ପଡ଼ିବ ? ପ୍ରଭାବ କେବଳ ପଶ୍ଚିମ ଓଡ଼ିଶାରେ ରହିବ ନା ସାରା ରାଜ୍ୟରେ ପଡ଼ିବ । ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ମୁଖ୍ୟତଃ ବିଜେଡିର ସବୁଠୁ ବଡ଼ ଶକ୍ତି କୁହାଯାଉଥିବା ମହିଳା ଭୋଟବ୍ୟାଙ୍କ୍ ଉପରେ ପ୍ରଭାବ ପଡିବ କି ? କାରଣ ମମିତା ହତ୍ୟା ଘଟଣା ଓ ଦିବ୍ୟଶଙ୍କର ପ୍ରସଙ୍ଗରେ ବିଜେଡି ସରକାର ବିରୋଧରେ ଜନଆକ୍ରୋଶ ବଢିବାରେ ଲାଗିଛି । ବିରୋଧୀ ବିଜେପି ଓ କଂଗ୍ରେସ ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ତୀବ୍ର କରିବାକୁ ଯୋଜନା କରୁଛନ୍ତି । ସେପଟେ ମନ୍ତ୍ରୀଙ୍କୁ ବହିଷ୍କାର କରୁନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଉପରେ ବି ପ୍ରଶ୍ନ ଉଠିଲାଣି । ତେଣୁ କଳାହାଣ୍ଡି, ବଲାଙ୍ଗିର, ବରଗଡ଼ ସମେତ ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରଭାବ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ଏପରିକି ବିଜେଡି ନେତାମାନେ ଗ୍ରାଉଣ୍ଡକୁ ଯିବାବେଳେ ବିଭିନ୍ନ ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି । ତେଣୁ ଡ୍ୟାମେଜ୍ କଣ୍ଟ୍ରୋଲ ଲାଗି ଉଦ୍ୟମ ଆରମ୍ଭ କରିଛି ଦଳ । କଂଗ୍ରେସ କହିଛି ଏହାର ଜବରଦସ୍ତ ପ୍ରଭାବ ପଡିବ । ସେପଟେ କଳାହାଣ୍ଡି ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ଏହି ଘଟଣାରେ ବିଜେଡି ଧୂଳସାତ ହୋଇଯିବ । 

୨୦୧୭ ପଂଚାୟତ ନିର୍ବାଚନ ଓ ୧୯ ସାଧାରଣ ନିର୍ବାଚନ ଲୋକସଭା ଭୋଟ୍‌ରେ ବିଜେଡି ଘାଟା ସହିବା ପରେ ଏବେ ମିଶନ୍ ପଶ୍ଚିମ ଓଡ଼ିଶା ଉପରେ ଫୋକସ କରୁଥିଲା ଦଳ । ମୁଖ୍ୟମନ୍ତ୍ରୀ କଳାହାଣ୍ଡିଠୁ ଆରମ୍ଭ କରି ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗିର ଆଦି ସ୍ଥାନରେ BSKY ସ୍ମାର୍ଟ କାର୍ଡ ବାଣ୍ଟୁଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବି ଘନଘନ ବୁଲୁଛନ୍ତି । ବିଭିନ୍ନ ବଡ ବଡ ପ୍ରକଳ୍ପ ମଧ୍ୟ ପଶ୍ଚିମ ଓଡିଶାରେ ଶୁଭାରମ୍ଭ ହୋଇଛି । ଏତେ ସବୁ ରଣନୀତିକୁ କିନ୍ତୁ ଏକପ୍ରକାର ଧୋଇ ଦେଇଛି ମମିତ ଇସ୍ୟୁ । ଆଗକୁ ଆସୁଥିବା ପଂଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା ହେଉଛି ।

୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ଜବରଦସ୍ତ ପ୍ରଦର୍ଶନ କରିଥିବା ବେଳେ ଲୋକସଭା ନିର୍ବାଚନରେ ମଧ୍ୟ ପଶ୍ଚିମ ଓଡ଼ିଶାର ୫ରୁ ୫ ସିଟ୍ ପଦ୍ମ ଖାତାକୁ ଯାଇଥିଲା । ତେଣୁ ଆଗକୁ ପଶ୍ଚିମ ଓଡ଼ିଶା ରାଜନୀତିରେ ମମିତା ମର୍ଡର ଇଫେକ୍ଟ କଣ ରହୁଛି, ତାକୁ ଅପେକ୍ଷା ।