• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଏତେ ସହଜରେ ଲିଭିବନି ମମିତା ନିଆଁ । ବିଜେପି-କଂଗ୍ରେସ ପଛଘୁଞ୍ଚା ଦେବାକୁ ନାରାଜ । ଆଗକୁ ଆନ୍ଦୋଳନ ଆହୁରି ତେଜିବ କହିଲାଣି ବିଜେପି । ମମିତାଙ୍କୁ ନ୍ୟାୟ ଦାବିରେ ବିଧାନସଭା ଘେରାଉ କରିବ ବିଜେପି । ସେପଟେ କଂଗ୍ରେସ ବି ଲାଗି ପଡ଼ିଛି ମମିତାଙ୍କ ନ୍ୟାୟ ପାଇଁ । ଆଜି କଂଗ୍ରେସ ପହଞ୍ଚିଛି ରାଜ୍ୟ ପୋଲିସ ମୁଖ୍ୟଙ୍କ ପାଖରେ । ଆଉ ଦାବି କରିଛି ଏସ୍‌ଆଇଟି ଦ୍ୱାରା ମମିତା ହତ୍ୟାକାଣ୍ଡର ତଦନ୍ତ କରାଯାଉ । 

ମମିତା ମେହେର ହତ୍ୟା ମାମଲାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି । ଆସନ୍ତା ୯ ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ନିଷ୍ପତ୍ତି ନିଆଯାଇଛି । ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି । ସେହିଭଳି ମୁଖ୍ୟମନ୍ତ୍ରୀ କାହିଁକି ଏହି ମାମଲାରେ ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।

ସେପଟେ ମମିତା ମେହେର ହତ୍ୟା ମାମଲାର ତଦନ୍ତ ପାଇଁ ଡିଜିପିଙ୍କୁ ଭେଟିଛି କଂଗ୍ରେସ । ଡିଜିପିଙ୍କୁ ଭେଟିବା ପରେ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ତଦନ୍ତ ଠିକ ଢଙ୍ଗରେ ହେଉନି । ହତ୍ୟାର ମୋଟିଭ କଣ ସେ ବିଷୟରେ ଏଯାଏଁ କିଛି ସ୍ପଷ୍ଟ ହେଲାନି । ସେପଟେ ମନ୍ତ୍ରୀ ଓ ଅନ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଖସାଇବାକୁ ଉଦ୍ୟମ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଡିଜିପି ନିଜ କ୍ଷମତା ବଳରେ SIT ଦ୍ୱାରା ତଦନ୍ତ କରାଇ ହାଇକୋର୍ଟଙ୍କୁ ଜଣାନ୍ତୁ ବୋଲି ସେ ଦାବି କରିଛନ୍ତି ।

ତେବେ ଗତକାଲି ବିଧାନସଭା ଆଧିବେଶନର ପ୍ରଥମ ଦିନରେ ବି ଗୃହରେ ଦେଖିବାକୁ ମିଳିଥିଲା ମମିତା ତାତି । ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ଏଣ୍ଟ୍ରି କରାଇଦେବେନି ବୋଲି ଦୁଆର ମୁହଁରେ ଜଗି ବସିଥିଲେ କଂଗ୍ରେସ ନେତାମାନେ । ବିଜେପି ମଧ୍ୟ ଗୃହରେ କଳା ଗାମୁଛା ଦେଖାଇଥିଲା । ଖାଲି ଉଭୟ କଂଗ୍ରେସ ଓ ବିଜେପି ମମିତାଙ୍କୁ ନ୍ୟାୟ ଦାବିରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ ।