• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବରଙ୍ଗପୁର: ଦୀର୍ଘ ଦିନ ଧରି ପଡ଼ି ରହିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଜୁନାଗଡ଼-ନବରଙ୍ଗପୁର, ଧର୍ମଗଡ଼କୁ ସଂପ୍ରସାରଣ ସହିତ ବିଭିନ୍ନ ଷ୍ଟେସନର ମଧ୍ୟ ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି । ଜମି ଅଧିଗ୍ରହଣ ସହିତ ସବୁ ପ୍ରକଳ୍ପର କାମ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି । ଜନ ଆଶୀର୍ବାଦ ଯାତ୍ରାରେ ରେଳ ମନ୍ତ୍ରୀ ଆଜି ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ଭବାନୀପାଟଣା ଗସ୍ତ କରିଥିଲେ । ତାଙ୍କୁ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ସୀମାନ୍ତ ଲୁଥରବନ୍ଧରେ ସ୍ୱାଗତ କରାଯାଇଥିଲା । ଭବାନୀପାଟଣାରେ ସେ ମାଆ ମାଣିକେଶ୍ୱରୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି ।

ତେବେ ସାରା ଓଡ଼ିଶାରେ ଏବେ ଅଶ୍ୱିନୀ କ୍ରେଜ୍‌ । ତାଙ୍କ କମନମ୍ୟାନ୍‌ ଅନ୍ଦାଜ ଏବେ ସବୁରିଙ୍କ ମୁହଁରେ । ତେବେ କେନ୍ଦ୍ର ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସେ ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହେବା ପାଇଁ ଓଡ଼ିଶା ଆସିଛନ୍ତି । ଓଡ଼ିଶା ଆସିବା ପରେ ସେ କୋରାପୁଟ ରାୟଗଡ଼ା ନବରଙ୍ଗପୁର ଆଦି ଅଞ୍ଚଳ ବୁଲିଛନ୍ତି । ସାଧାରଣ ଲୋକଙ୍କ ଭଳି ଟ୍ରେନ୍‌ ଯାତ୍ରା କରିଛନ୍ତି । ସେଥିରେ ଥିବା ସାଧାରଣ ଲୋକଙ୍କ ସହ ଟ୍ରେନ୍‌ ଯାତ୍ରା ସମ୍ପର୍କୀତ ସମସ୍ୟା ନେଇ ମଧ୍ୟ ଆଲୋଚନା କାରିଛନ୍ତି । ତେବେ ଅଶ୍ୱିନୀଙ୍କ ଏଭଳି କମନମ୍ୟାନ୍‌ ଅନ୍ଦାଜ ସବୁରିଙ୍କ ମନ ମୋହି ନେଇଛି । ତାଙ୍କ ଚା’ ବିସକୁଟ୍ ଖିଆ ଷ୍ଟାଇଲ ଓ ଫୋନ୍‌ ପେ’ରେ ପେମେଣ୍ଟ କରିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ପ୍ରକଳ୍ପ ନେଇ ମଧ୍ୟ ବିଭିନ୍ନ ବର୍ଗରେ ଆଲୋଚନା କରିଛନ୍ତି । ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ଏବଂ ଥେରୁବାଲି-ଗୁଣୁପୁର ରେଳ ପ୍ରକଳ୍ପ ତ୍ୱରାନ୍ୱିତ ନେଇ ସେ ଆଲୋଚନା କରିଛନ୍ତି । ଜୟପୁର-ନବରଙ୍ଗପୁର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବା ପରେ କାର୍ଯ୍ୟ ଶୀଘ୍ର ସମାପନ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଯୋଗାଯୋଗ ରହିଲେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଆଶ୍ୱିନୀ କହିଛନ୍ତି । ରେଲୱେ ଅଧିକାରୀଙ୍କ ସହ ବୈଠକ ପରେ ନବରଙ୍ଗପୁରରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଆଜି ଅଶ୍ୱିନୀଙ୍କୁ ଜୟପୁରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।  ଜୟପୁର ସହରରେ କେନ୍ଦ୍ର ମନ୍ତ୍ରୀ ରୋଡ୍ ସୋ କରିଥିଲେ ।