• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପେଗାସସ୍ ଫୋନ୍ ହ୍ୟାକିଂ ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ।

  • ଅଶ୍ୱିନୀ ବୈଷ୍ଣବ ବିବୃତି ରଖୁଥିବାବେଳେ ବିରୋଧୀଙ୍କ ହଙ୍ଗାମା ।

  • TMC ସାଂସଦ ବିବୃତି ପେପରକୁ ଛଡ଼ାଇ ନେଇ ଚିରି ଦେଇଥିଲେ ।

ନୂଆଦିଲ୍ଲୀ: ପେଗାସସ୍ ଫୋନ୍ ହ୍ୟାକିଂ ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ । ପେଗାସସ ସ୍ନୁପିଂକୁ ନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖୁଥିବାବେଳେ ବିରୋଧୀଙ୍କ ହଙ୍ଗାମା । ତୃଣମୂଳ କଂଗ୍ରେସର ସଦସ୍ୟମାନେ କାଗଜ ଫିଙ୍ଗୁଥିବା ଦେଖିବାକୁ ମିଳିଥିଲା । ଜଣେ ସାଂସଦ ତାଙ୍କ ହାତରୁ ଏହି ବିବୃତି ପେପରକୁ ଛଡ଼ାଇ ନେଇ ଚିରି ଦେଇଥିଲେ । ଏହାସହ ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋ-ହଲ୍ଲା କରିଥିଲେ । ସରକାରଙ୍କ ବିରୋଧରେ ବିରୋଧୀ ସଦସ୍ୟମାନେ ନାରାବାଜି ଦେବା ସହ ବିବୃତି କାଗଜ ଚିରିକି ଫିଙ୍ଗିଥିଲେ ।

କାଗଜ ଉଡିବାରୁ ମନ୍ତ୍ରୀ ତାଙ୍କ ବିବୃତି ପୂରା କରିପାରିନଥିଲେ । ତେଣୁ ସେ ନିଜର ବିବୃତି ପେପରକୁ ଗୃହରେ ଉପସ୍ଥାପନ କରିଥିଲେ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏଭଳି ଆଚରଣରୁ ବିରତ ରହିବାକୁ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ । ପରେ ଗୃହକୁ ଆସନ୍ତାକାଲି ସକାଳ ୧୧ ଯାଏଁ ମୁଲତବି ଘୋଷଣା କରିଥିଲେ ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ । ଏଥିପାଇଁ ରାଜ୍ୟସଭାକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଥିଲା । ମଧ୍ୟାହ୍ନ ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସବୁ ଭିତରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱଳ୍ପ ସମୟରେ ପେଗାସସ୍‌ ରିପୋର୍ଟକୁ ନେଇ ନିଜର ବିବୃତି ରଖିଥିଲେ । କିନ୍ତୁ ଏହି ସମୟରେ ଟିଏମସି ସାଂସଦ ଶାନ୍ତନୁ ସେନ ତାଙ୍କ ଠାରୁ ପେପର ଛଡ଼ାଇ ନେଇ ଚିରି ଦେଇଥିଲେ । ଏହାକୁ ସେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କ ଆଡ଼କୁ ଫୋପାଡ଼ିଥିଲେ । ଫଳରେ ଅଶ୍ୱିନୀ ବୈଷ୍ଣବ ବିବୃତି ପଢ଼ିବା ପରିବର୍ତ୍ତେ ଏହାକୁ ଗୃହରେ ଉପସ୍ଥାପନ କରାଗଲା ବୋଲି କହିଥିଲେ ।

ସ୍ୱଳ୍ପ ସମୟର ଭାଷଣରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶର ଗଣତନ୍ତ୍ରକୁ କ୍ଷୁର୍ଣ୍ଣ କରିବାକୁ ଏପରି ରିପୋର୍ଟ ମୌସୁମୀ ଅଧିବେଶନ ପୂର୍ବରୁ ଲିକ୍‌ କରାଯାଇଛି । ଏଥିସହ ସେ ଲୋକସଭାରେ ଯାହା କହିଥିଲେ, ରାଜ୍ୟସଭାରେ ମଧ୍ୟ ସମାନ କଥା ଦୋହରାଇଛନ୍ତି ।

ଆରଜେଡି ସାଂସଦ ମନୋଜ ଝା କହିଛନ୍ତି, ଆଇଟି ମନ୍ତ୍ରୀଙ୍କ ଆଭିମୁଖ୍ୟ ଦୁର୍ଭାଗ୍ୟଜନକ । ନାରାବାଜୀ ଭିତରେ ଆଇଟି ମନ୍ତ୍ରୀ ଯେଉଁଭଳି ଭାବେ ବିବୃତି ରଖିଲେ, ସେଥିରୁ ସ୍ପଷ୍ଟ ହେଉଛି ଯେ ସରକାର ପେଗାସସ୍‌ ପ୍ରସଙ୍ଗର ମଜାକ ଉଡ଼ାଇବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷରେ ଲୋକସଭାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିବାରୁ ଗୃହକୁ ବାରମ୍ବାର ମୁଲତବୀ କରାଯାଇଛି ।