• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭା ପହଞ୍ଚିବା ରାସ୍ତା ସଫା ହୋଇଯାଇଛି । ପଶ୍ଚିମବଙ୍ଗର ଖାଲି ପଡ଼ିଥିବା ବିଧାନସଭା ଆସନ ମଧ୍ୟରୁ ତିନୋଟି ଏବଂ ଓଡିଶାରେ ଗୋଟିଏ ଆସନରୁ ସେପ୍ଟେମ୍ବର ୩୦ରେ ଉପ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପଶ୍ଚିମବଙ୍ଗର ଭବାନୀପୁର, ଶମଶେରଗଞ୍ଜ, ଜଙ୍ଗିପୁର ସିଟରେ ଉପନିର୍ବାଚନ ହେବ । ସେହିପରି ଓଡ଼ିଶାର ପିପିଲି ସିଟରୁ ଉପନିର୍ବାଚନ କରାଯିବ ବୋଲି ଘୋଷଣା ହୋଇଛି । ଏହି ସିଟରେ ଆଜି ଠାରୁ ହିଁ ଆଦର୍ଶ ଆଚରଣ ବିଧି ଲାଗୁ ହେଉଛି ।

ବର୍ତ୍ତମାନ ସମୟରେ ବିଭିନ୍ନ ରାଜ୍ୟରେ ୩୧ ବିଧାନସଭା ସିଟ୍ ଓ ଦୁଇ ଲୋକସଭା ସିଟ୍ ଖାଲି ରହିଛି । ଏହି ସିଟରେ ଉପନିର୍ବାଚନ ହେବାର ଅଛି । କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ସମସ୍ତ ସିଟରେ ଉପନିର୍ବାଚନ ହେବା ପରିବର୍ତ୍ତେ ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ କ୍ରମେ ଭବାନୀପୁର ଓ ଅନ୍ୟ ଦୁଇ ସିଟ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି ।

ଏହି ଉପନିର୍ବାଚନ ପାଇଁ ଆଜି ଠାରୁ ଲାଗୁ ହେଉଛି ଆଦର୍ଶ ଆଚରଣ ବିଧି । ଏଥିପାଇଁ ସେପ୍ଟେମ୍ବର ୬ରେ ଉପନିର୍ବାଚନ ପାଇଁ ଗେଜେଟ୍ ଅଧିସୂଚନା ଜାରି କରାଯିବ ଏବଂ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ । ୩୦ ସେପ୍ଟେମ୍ବରରେ ମତଦାନ ହେବାସହ ୩ ଅକ୍ଟୋବରରେ ଭୋଟ୍ ଗଣତି କରାଯିବ । ଏବେ କରୋନା ସଂକ୍ରମଣ କମିବା ସହ ନିୟନ୍ତ୍ରଣକୁ ଆସିଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଅନ୍ୟପକ୍ଷରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ମମତା ବାନାର୍ଜୀଙ୍କ ବିଧାନସଭାରେ ପହଞ୍ଚିବାର ରାସ୍ତା ସ୍ପଷ୍ଟ ହୋଇଛି । ମମତା ବାନାର୍ଜୀଙ୍କ ଦଳ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲେ ସୁଦ୍ଧା ନନ୍ଦିଗ୍ରାମରୁ ନିର୍ବାଚନରେ ​​ହାରି ଯାଇଥିଲେ । ଟିଏମସିରୁ ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ମମତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।