• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା

  • ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ

  • କିଛି ସମୟ ତଳେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ

ବେଙ୍ଗାଲୁରୁ : ଉଠୁଛି ପଡ଼ୁଛି କର୍ଣ୍ଣାଟକର ରାଜନୀତି । ସୋମବାର ବି.ଏସ୍ ୟେଡିୟୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ହେବ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ସୋମବାର ତାଙ୍କ ପଦ ଛାଡ଼ିଛନ୍ତି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେ କିଛି ସମୟ ପୂର୍ବରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ୨୬ ଜୁଲାଇରେ ତାଙ୍କ ସରକାର ଦୁଇ ବର୍ଷ ପୂରଣ ହେବା ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇସ୍ତଫା ବିଷୟରେ ସୂଚନା ଦେଇଥିଲେ ୟେଦ୍ୟୁରପ୍ପା ।

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ରାଜଭବନରେ ହଲଚଲ୍ ଆରମ୍ଭ ହୋଇଛି । ବି.ଏସ୍ ୟେଦ୍ୟୁରପ୍ପାଙ୍କ ବ୍ୟତୀତ ଅନେକ ନେତା ଓ ମନ୍ତ୍ରୀ ମଧ୍ୟ ରାଜ ଭବନରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବା ପରେ ୟେଦ୍ୟୁରପ୍ପା କହିଛନ୍ତି, କର୍ଣ୍ଣାଟକର ଲୋକଙ୍କ ପାଇଁ ତାଙ୍କର ଅନେକ କିଛି କରିବାର ଅଛି । ସମସ୍ତେ ମିଳିମିଶି କଠିନ ପରିଶ୍ରମ କରିବା ଉଚିତ୍ । ତେବେ ଇସ୍ତଫା ଘୋଷଣା କରିବା ପରେ ଭାବପ୍ରବଣ ହୋଇଯାଇଥିଲେ ୟେଦ୍ୟୁରପ୍ପା । ସବୁବେଳେ ଅଗ୍ନିପରୀକ୍ଷା ଦେଇ ଗତି କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ପ୍ରଥମ ଦିନରୁ ତାଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ଲୋକ ତଥା ରାଜ୍ୟର ବିକାଶ ପାଇଁ ସେ କରିଥିବା କାମ ତାଙ୍କୁ ସନ୍ତୁଷ୍ଟି ପ୍ରଦାନ କରେ ।

ସୋମବାର ଦିନ ଅର୍ଥାତ୍ ଆଜି କର୍ଣ୍ଣାଟକରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳନ କରୁଛି । ୟେଦ୍ୟୁରପ୍ପା ମଧ୍ୟ ସକାଳୁ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବି.ଏସ୍ ୟେଦୁରପ୍ପାଙ୍କ ଇସ୍ତଫା ପରେ ଦିଲ୍ଲୀରେ ମଧ୍ୟ ରାଜନୀତି ସରଗରମ ହୋଇଉଠିଛି । କର୍ଣ୍ଣାଟକର ପ୍ରଭାରୀ ଅରୁଣ ସିଂଙ୍କ ସହ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଦୀର୍ଘ ଦିନ ଧରି କର୍ଣ୍ଣାଟକର ରାଜନୀତିକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଥିଲା । କିଛି ଦିନ ପୂର୍ବରୁ ହିଁ ୟେଦ୍ୟୁରପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ।