• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପୁଣି ମମିତା ଘଟଣାରେ ନିଜର ସ୍ୱର ଶାଣିତ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏଥର ସେ ସିଧାସଳଖ କହିଛନ୍ତି ଗୋବିନ୍ଦଙ୍କୁ ଖସାଇବାକୁ ଚେଷ୍ଟା କରାଯାଉଛି । ତେଣୁ ଏଫ୍‌ଆଇଆର୍‌ରେ ଗଡ଼ବଡ଼ କରାଯାଇଥିବା ସନ୍ଦେହ ହେଉଛି । ପୋଲିସ ଜାଣିଶୁଣି ତଦନ୍ତକୁ ବାଟବଣା କରୁଛି । ତଦନ୍ତରେ କୌଣସି ପ୍ରକାର ସତ୍ୟାତା ପରିଲିକ୍ଷିତ ହେଉନାହିଁ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜୟ ମହାପାତ୍ର । 

ମମିତା ହତ୍ୟା ଘଟଣାରେ ଏତଲା ଦିଆଯିବାକୁ ମାସେ ପୂରିଛି । ହେଲେ ମାସେ ଭିତରେ ତଦନ୍ତର ଦିଗ କୁଆଡ଼େ ଯାଇଛି, କିଛି ଜଣାପଡ଼ିନି । ଏଣୁ ପୋଲିସର ପାରିବା ପଣିଆ ଉପରେ ଏହା ପ୍ରଶ୍ନ ଉଠାଉଛି ବୋଲି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି । ତେବେ ଏହା ଭିତରେ ମମିତାଙ୍କ ଚରିତ୍ର ସଂହାର କରାଯାଉଥିବା ନେଇ ବିରୋଧୀଙ୍କ ବାବଦରେ ଯେଉଁ ସବୁ ଅଭିଯୋଗ ଅଣାଯାଉଛି । ତାହା ଆଧାରହୀନ ବୋଲି ବିଜୟ କହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ମମିତା ସତ୍ୟର ଉନ୍ମୋଚନ କରିବାକୁ ଯାଇ ନିଜର ବଳିଦାନ ଦେଇଛନ୍ତି ।

ବିଜୟ ଆହୁୁରି କହିଛନ୍ତି ଯେ, ଅକ୍ଟୋବର ୧୩ରେ ଏଫ୍‌ଆଇଆର୍ ହେଲା, ୧୬ ତାରିଖରେ ପୋଲିସ ବଙ୍ଗୋମୁଣ୍ଡା କୋର୍ଟରେ କେଶ୍ ଡାଏରୀ କଲା । ତେବେ କେଶ୍ ଡାଏରୀ କରିବାକୁ କାହିଁକି ୩ ଦିନ ଲାଗିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏଫ୍‌ଆଇଆର୍ ହେବା କ୍ଷଣି କେଶ୍ ଡାଏରୀ କରାଯିବା କଥା, ହେଲେ କାହିଁକି ସମୟ ଲାଗିଲା । ତେଣୁ ଏଫ୍‌ଆଇଆର୍‌ ଉପରେ କିଛି ଏପଟ ସେପଟ କରାଯାଇ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ତା ଛଡ଼ା ମମିତା ରହୁଥିବା ହଷ୍ଟେଲରେ ସେକ୍ସ ରାକେଟ ଚାଲିଥିଲା ବୋଲି କେଶ୍ ଡାଏରୀରେ ଉଲ୍ଲେଖ କରାଯାଇଛି । ହେଲେ ଏଥିରେ ଗୋବିନ୍ଦ ବିଷୟରେ କିଛି ଉଲ୍ଲେଖ ହୋଇନାହିଁ । ଏଥିରୁ ଜଣାପଡୁଛି ଯେ, ପୋଲିସ କେସ୍‌କୁ ଦୁର୍ବଳ କରିଛି । ତଦନ୍ତ ଠିକ୍ ଭାବରେ ହୋଇନାହିଁ ଓ ଗୋବିନ୍ଦକୁ ଖସାଇବାକୁ ଉଦ୍ୟମ କରାଯାଉଛି ବୋଲି ବିଜୟ ଅଭିଯୋଗ କରିଛନ୍ତି ।

ସେହିଭଳି ମମିତା ମାମଲାରେ କଂଗ୍ରେସ ନେତା ଭକ୍ତ ଦାସ ମଧ୍ୟ ଏକ ପ୍ରେସମିଟ୍ କରି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି, ହାଇକୋର୍ଟ ସିଟିଂ ଜଜ୍‌ଙ୍କ ଦ୍ୱାରା ତଦନ୍ତ କରାଯାଉ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରଥମେ ବହିଷ୍କାର କରାଯାଉ ଏବଂ ତାପରେ ତଦନ୍ତ ହେଉ । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି, ଘଟଣା ଘଟିବାର ଏତେ ଦିନ ଯାଏଁ କାହିଁକି ମନ୍ତ୍ରୀ ଚୁପ୍‌ ଥିଲେ ? କାହିଁକି ତୁରନ୍ତ ମୁହଁ ଖୋଲିଲେନି ମନ୍ତ୍ରୀ ? ଏଭଳି ପ୍ରଶ୍ନ କରି ପୁଣି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଭକ୍ତ ଦାସ ।

ଖାଲି ସେତିକି ନୁହେଁ ସେ ଆହୁରି ଦାବି କରିଛନ୍ତି ଯେ, ଗୋବିନ୍ଦ, ମନ୍ତ୍ରୀ ଓ ସହଯୋଗୀଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରାଯାଉ । ସେମାନଙ୍କ କଲ୍‌ ଡିଟେଲ୍ସ ପଦାକୁ ଆସୁ । କଲ୍ ଡିଟେଲ୍ସ ପଦାକୁ ଆସିଲେ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଭକ୍ତ ।

ସେହିଭଳି ସେପ୍ଟେମ୍ବରରେ ମନ୍ତ୍ରୀଙ୍କ ରାୟପୁର ବୈଠକ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ହେଲେ ସେନେଇ ମନ୍ତ୍ରୀଙ୍କ ପକ୍ଷରୁ କିଛି ବି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ସେପ୍ଟେମ୍ବର ୧୮,୧୯,୨୦ ତାରିଖ ବେଳକୁ ରାୟପୁରରେ ବୈଠକ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କିନ୍ତୁ ସେହି ସମୟର ମନ୍ତ୍ରୀଙ୍କ ଟୁର୍ କୁଆଡ଼େ ଥିଲା ତାହା ସୋ’ କରୁନି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୂର୍ଣ୍ଣ ଗସ୍ତ ବିବରଣୀ ତୁରନ୍ତ ପ୍ରକାଶ କରାଯାଉ । ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୯ ଯାଏଁ ମନ୍ତ୍ରୀଙ୍କ ଗସ୍ତ ସାମ୍ନାକୁ ଆସୁ ବୋଲି ଭକ୍ତ ଦାବି କରିଛନ୍ତି ।