• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଦୁଇ ଦଶନ୍ଧି ଧରି ସରକାରରେ ମାଳ ମାଳ ନେତା, ବିରୋଧୀ ନିଷ୍କ୍ରିୟ ତଥାପି ବିଜେଡିକୁ ସାହା କଂଗ୍ରେସ ନେତା । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାର ଟାଣୁଆ କଂଗ୍ରେସ ନେତା ପ୍ରଦୀପ ମାଝୀ ବିଜେଡିରେ ଖୁବ୍ ଶୀଘ୍ର ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଜି ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଉପରେ ନିଜେ ବିରାମ ଲଗାଇଛନ୍ତି । ପ୍ରଦୀପ କହିଛନ୍ତି ସେ ଏବେ ବି କଂଗ୍ରେସ୍‌ରେ ଅଛନ୍ତି । ସେ ଦଳ ଛାଡ଼ିବା ନେଇ ଯେଉଁ ଗୁଜବ ପ୍ରଚାର ହେଉଛି ତାହା ଭୁଲ୍ ।

ଓଟିଭିର ଲୋକପ୍ରିୟ ଟକ୍ ସୋ ଖୋଲାକଥାରେ ଭାଗ ନେଇ ଗତକାଲି ବିଜେଡିରେ ମିଶିବା ନେଇ ସଙ୍କେତ ଦେଇଥିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଏହା ବି କହିଥିଲେ, ବିଜେଡି ଓ କଂଗ୍ରେସ ଆଇଡୋଲୋଜିରେ ବିଶେଷ ଫରକ ନାହିଁ । ତେବେ ଆଜି ନୂଆଦିଲ୍ଲୀରେ କଂଗ୍ରେସ୍ ନେତା ରାହୁଲ ଗାନ୍ଧିଙ୍କ ସହ ଆଲୋଚନା ପରେ ସ୍ୱର ବଦଳାଇଛନ୍ତି । ପ୍ରଦୀପ କହିଛନ୍ତି, ସେ କଂଗ୍ରେସ୍ ଛାଡ଼ିବା ନେଇ ଯେଉଁ ଗୁଜବ ହେଉଛି ତାହା ଭୁଲ୍ । ଏହା ବି ସ୍ପଷ୍ଟ କରିଛନ୍ତି ଯେ, ପ୍ରଦେଶ କଂଗ୍ରେସ୍ କମିଟିର ନେତୃତ୍ୱ ପରିବର୍ତ୍ତନ ଉପରେ ରାହୁଲଙ୍କ ସହ କୌଣସି ଆଲୋଚନା ହୋଇନାହିଁ । ପ୍ରଦୀପଙ୍କ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ମଧ୍ୟ ରାହୁଲ୍‌ଙ୍କୁ ଭେଟିଥିଲେ । ଦୁହିଁଙ୍କ ସହ ଆଲୋଚନା ପରେ ପ୍ରଦୀପଙ୍କ ସହ ଏକାକୀ କଥା ହୋଇଥିଲେ ରାହୁଲ ।

ପ୍ରଦୀପଙ୍କ ସାନି ବୟାନ, ଦଳ ବଦଳ ଚର୍ଚ୍ଚାରେ ସାମୟିକ ଭାବେ ପୂର୍ଣ୍ଣଛେଦ ପକାଇଛି । ତେବେ କାହିଁକି ଜଣକ ପରେ ଜଣେ କଂଗ୍ରେସ୍ ନେତା ବିଜେଡି ମୁହାଁ ହେଉଛନ୍ତି ? କିଛିଦିନ ତଳେ କଂଗ୍ରେସର ପୂର୍ବତନ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି ଶଙ୍ଖ ଧରିଥିଲେ । ସେହିପରି ପୂର୍ବରୁ ଗଞ୍ଜାମର ଟାଣୁଆ ନେତା ଚନ୍ଦ୍ରଶେଖର ସାହୁ ଓ ବିକ୍ରମ ପଣ୍ଡା ବି ବିଜେଡି ଶିବିରରେ ସାମିଲ ହୋଇଥିଲେ । ଏଥିରୁ ବିଜେଡି ଫୋକସ୍‌ରେ ଦକ୍ଷିଣ ଓଡ଼ିଶା ଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି ।

ଏପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପ୍ରଦୀପ ଗଲେ ରାଜ୍ୟ କଂଗ୍ରେସ ଉପରେ ନିଶ୍ଚିତ ପ୍ରଭାବ ପଡ଼ିବ । ତେବେ ଦକ୍ଷିଣ ଓଡିଶାର ଫାୟାର ବ୍ରାଣ୍ଡ କଂଗ୍ରେସ ଲିଡର ତାରା ବାହିନୀପତିଙ୍କ ଦମ୍ଭୋକ୍ତି ହେଲା ପ୍ରଦୀପ ଗଲେ କିଛି ଫରକ ପଡିବନି ।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ଏହାପୂର୍ବରୁ ବିଜେଡି ନିର୍ବାଚନ ମଣ୍ଡଳୀରେ ଦବଦବା ଥିବା ନେତାଙ୍କୁ ଦଳକୁ ଆଣି ଶକ୍ତିଶାଳୀ ହେବାକୁ ଚେଷ୍ଟା କରୁଛି । ଏହାସହ ଆଣ୍ଟି ଇନ୍‌କମ୍ବାନ୍ସି ଭୋଟ୍ ମ୍ୟାନେଜ କରିବା ଲାଗି ନୂଆ ନେତାଙ୍କୁ ଅମୋଘ ଅସ୍ତ୍ର ଭାବେ ବିଜେଡି ବ୍ୟବହାର କରୁଥିବା ମତପ୍ରକାଶ ପାଇଛି । ପୂର୍ବରୁ ପଶ୍ଚିମ ଓଡ଼ିଶାର ବିଜେପୁର ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ତାଙ୍କ ପରିବାର ବିଜେଡିରେ ମିଶିଥିଲା । ସେହିପରି ୨୦୧୯ ନିର୍ବାଚନ ପୂର୍ବରୁ ନବ ଦାସ ଓ ଯୋଗେଶ ସିଂ କଂଗ୍ରେସକୁ ବାଏ ବାଏ କରି ବିଜେଡିରେ ସାମିଲ୍ ହୋଇଥିଲେ । ଏଭଳି ସ୍ଥିତିରେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ୨୨ ବର୍ଷର ବିଜେଡି ଦଳ ନିଜ ନେତାଙ୍କ ଉପରେ ଭରସା କରିପାରୁନି । ଆମଦାନୀ ନେତାଙ୍କୁ ନେଇ ଦଳରେ କନ୍ଦଳ ଯେ କେତେବେଳେ ବିସ୍ଫୋରକ ରୂପ ନେବ ତାହାକୁ ଏଡାଇ ଦିଆଯାଇନପାରେ ।